Unknown

 

 

 

 

 

 

 

 

ଶାନ୍ତି ଓ ମୁକ୍ତିର ପ୍ରତୀକ ସୋଭିଏତ୍

ସାହିତ୍ୟିକ-ପତ୍ରାବଳୀ

ସଂକଳନ

ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର

 

ସୂଚନା

 

ମାନବିକତାର ଉଦ୍‍ଗାତା, ଲିଓ ଟଲଷ୍ଟୟ (୧୯୭୮-୧୯୧୦)

 

ରୁଷିଆର ମନୀଷୀ, ଦାର୍ଶନିକ ଓ ଅମର ଔପନ୍ୟାସିକ ଟଲଷ୍ଟୟ କେବଳ ସାହିତ୍ୟ କ୍ଷେତ୍ରରେ ନୁହନ୍ତି, ଚିନ୍ତା କ୍ଷେତ୍ରରେ ମଧ୍ୟ, ରୋମ ରୋଲାଁଙ୍କଠାରୁ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ବହୁ ଜନନେତା ଓ ମନୀଷୀଙ୍କୁ ପ୍ରଭାବିତ କରିଅଛନ୍ତି ।

 

ମାତ୍ର ୧୯ବର୍ଷ ବୟସରେ କାଜାନ୍‍ଠାରେ ଜଣେ ଭାରତୀୟ ବୌଦ୍ଧ ସନ୍ନ୍ୟାସୀଙ୍କ ସହିତ ଟଲଷ୍ଟୟଙ୍କ ପରିଚୟ ହୁଏ । ତାଙ୍କରିଠାରୁ ଟଲଷ୍ଟୟ ଭାରତ ବିଷୟରେ ପ୍ରଥମ ଧାରଣ ପାଇଥିଲେ-। ତାପରେ ସେ ଭାରତର ଜୀବନଧାରା ବିଷୟରେ ଜାଣିବାକୁ ସାତିଶୟ ଆଗ୍ରହୀ ହୋଇ ସେ ଦେଶର ସାହିତ୍ୟ, ଦର୍ଶନ ଓ ଧର୍ମଶାସ୍ତ୍ର ଅଧ୍ୟୟନ କଲେ । ଭାରତୀୟ ଜନଜୀବନର ଅଗ୍ରଣୀ ବ୍ୟକ୍ତିମାନଙ୍କ ସହିତ ଲିଓ ଟଲଷ୍ଟୟଙ୍କ ପତ୍ରାଳାପ ୧୯୦୧ରେ ଆରମ୍ଭ ହେଲା-। ଜନୈକ ଭାରତୀୟ ସାମ୍ବାଦିକ ଏ. ରାମଶେଷାନ୍‍ଙ୍କ ପତ୍ରର ଉତ୍ତର ଦେବାକୁ ଏ ପତ୍ରାଳାପର ସୂତ୍ରପାତ ହୋଇଥିଲା । ରାମଶେଷାନ୍ ତାଙ୍କୁ ଲେଖିଥିଲେ, “ମୋ ଦେଶର ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଆପଣଙ୍କ ନାମ ଜାଣନ୍ତି । ଆପଣଙ୍କ ଉପନ୍ୟାସକୁ ସେମାନେ ଗଭୀର ଶ୍ରଦ୍ଧା କରନ୍ତି-।”

 

୧୯୦୩-୪ ମସିହାରେ ଭାରତର ମୁସଲିମ ସଂପ୍ରଦାୟ ନେତା ସୁଫତି ମହମ୍ମଦ ସାଦିକଙ୍କ ଚିଠିର ସେ ଉତ୍ତର ଦେଇଥିଲେ । ୧୯୦୫-୭ରେ ସୁବିଦିତ ‘ଭାରତ ଜ୍ୟୋତି’ ପତ୍ରିକାର ସଂପାଦକ ଦାର୍ଶନିକ ବାବୁ ପରମାନନ୍ଦ ଭାରତୀଙ୍କ ସହିତ ତାଙ୍କର ପତ୍ରାଳାପ ହୋଇଥିଲା । ‘ବୈଦିକ ପତ୍ରିକା’ର ସଂପାଦକ ଅଧ୍ୟାପକ ରାମଦେବ ଏବଂ ‘ନବ ସଂସ୍କାରକ’ ପତ୍ରିକାର ସଂପାଦକ ଡି. ଗୋପାଲ ଚେଟିଙ୍କ ସହିତ ମଧ୍ୟ ଟଲଷ୍ଟୟ ପତ୍ର ବିନିମୟ କରୁଥିଲେ । ଭାରତକୁ ଟଲଷ୍ଟୟଙ୍କୁ ଚିଠି ଲେଖୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସାଧାରଣ ଲୋକ ମଧ୍ୟ ଥିଲେ । ସେମାନେ ଏଇସବୁ ଚିଠିରେ ଦାରିଦ୍ର୍ୟ ଓ ନିର୍ଯ୍ୟାତନାର ବିବରଣୀ ଏବଂ ବ୍ରିଟିଶ ଶାସନର ମନମୁଖୀ କାରବାରର କାହାଣୀ ଲେଖିଥିଲେ ।

 

ଲିଓ ଟଲଷ୍ଟୟଙ୍କ ସଚରାଚର-ବିଦିତ ପ୍ରଚାରପତ୍ର ଲାଗିଲା । ଏହି ସମୟରେ ଲିଓ ଟଲଷ୍ଟଏ ଭାରତୀୟ ଜନଗଣଙ୍କ ଜାତୀୟ ମୁକ୍ତି ସଂଗ୍ରାମକୁ ସମର୍ଥନ କରି ଏକ ବାର୍ତ୍ତା ପ୍ରକାଶ କଲେ-। ଏହିଭଳି ଏକ ପଦକ୍ଷେପ ନେବାପାଇଁ ସେ ବସ୍ତୁତଃ ସାମ୍ବାଦିକ ତାରକାନାଥ ଦାସଙ୍କ ଚିଠିଦ୍ଵାରା ତତ୍ପର ହୋଇଥିଲେ । ତାରକାନାଥ ସେତେବେଳେ ଆମେରିକା ଯୁକ୍ତରାଷ୍ଟ୍ରରେ ମୁକ୍ତ ହିନ୍ଦୁସ୍ଥାନ’ ବୋଲି ଏକ ପତ୍ରିକା ପ୍ରକାଶ କରୁଥିଲେ ।

 

ଭାରତ ସମ୍ପର୍କରେ ଏକ ବିଶଦ ପ୍ରବନ୍ଧ ଟଲଷ୍ଟୟ ୧୯୦୮ ମସିହା ଜୁନରେ ଲେଖିବାକୁ ଆରମ୍ଭ କରିଥିଲେ । ସେହି ବର୍ଷ ଡିସେମ୍ବର ମାସରେ ଉକ୍ତ ପ୍ରବନ୍ଧର ରଚନା ଶେଷ ହୋଇଥିଲା । ଏହି ପ୍ରବନ୍ଧ ରଚନାକାଳରେ ସେ ଭାରତୀୟ ଦାର୍ଶନିକମାନଙ୍କର ରଚନାର ପୁନରଧ୍ୟୟନ କରିଥିଲେ-। ଏହି ପ୍ରବନ୍ଧରେ ବେଦରୁ, ଉପନିଷଦରୁ ଓ ସ୍ଵାମୀ ବିବେକାନନ୍ଦଙ୍କ ଲେଖାରୁ ଉଦ୍ଧୃତିମାନ ରହିଛି-

 

ତାଙ୍କର ‘ଜଣେ ହିନ୍ଦୁଙ୍କ ନିକଟକୁ ପତ୍ର’ ହେଉଛି ଉପନିବେଶବାଦ ବିରୁଦ୍ଧରେ ତୀବ୍ର କ୍ରୋଧର ଏକ ସ୍ଫୁର୍ତ୍ତ ଅଭିବ୍ୟକ୍ତି । ଏଥିରେ ସେ ଲେଖିଛନ୍ତି, “ଏକ ବାଣିଜ୍ୟ କମ୍ପାନୀ ୨୦ କୋଟି ଲୋକଙ୍କୁ ପରାଧୀନ କରି ରଖିଛି । ଯେ କୌଣସି ବିଦ୍ୱେଷମୁକ୍ତ ବ୍ୟକ୍ତିଙ୍କୁ ଏକଥା କହିଲେ ସେ ଅର୍ଥ ହିଁ ବୁଝିପାରିବେ ନାହିଁ । ଏ କଥାର ଅର୍ଥ ହେଉଛି ଯେ ୩୦ ହଜାର ଲୋକ, ସେମାନେ ଏଭଳି କିଛି ବୀର ନୁହନ୍ତି ବରଂ ଏକ ଦୁର୍ବଳ ଓ ଅଧମ ଜାତିର ଲୋକ-ସେମାନେ ୨୦ କୋଟି ପ୍ରାଣବନ୍ତ ସୁଚତୁର ଓ ଶକ୍ତିବାନ୍ ଲୋକଙ୍କୁ ପରାଧୀନ କରିଛନ୍ତି-ଯେଉଁ ଲୋକେ କି ସ୍ଵାଧୀନତାକୁ ଶ୍ରଦ୍ଧା କରନ୍ତି-।” ପୁନଶ୍ଚ ସେ ଲେଖିଛନ୍ତି, “ଭାରତରେ ପୁଣି ଏ କଥା ଅତି ବିସ୍ମୟକର; କାରଣ ସେଠାରେ ମାନସିକ ଓ ଶାରୀରିକ ଶକ୍ତିରେ ଗରୀୟାନ୍ ଏକ ଜାତି ସେମାନଙ୍କଠାରୁ ଅପରିମିତ ଭାବରେ ନିକୃଷ୍ଟ ଏକ ଜାତିର ମୁଷ୍ଟିମେୟ ଲୋକଙ୍କଦ୍ୱାରା ଶାସିତ ହେଉଛନ୍ତି ।”

 

ଏହାପରେ ମହାତ୍ମା ଗାନ୍ଧୀ ଲିଓ ଟଲଷ୍ଟୟଙ୍କ ପ୍ରଥମ ଚିଠି ଲେଖିବାକୁ ଉତ୍ସାହିତ ହୋଇଥିଲେ । ଅବଶ୍ୟ ସେତେବେଳକୁ (୧୯୦୯) ମହାତ୍ମା ଗାନ୍ଧୀ ଟଲଷ୍ଟୟଙ୍କ ଅନେକ ରଚନା ଓ ଚିନ୍ତାଧାରା ସହିତ ପରିଚିତ ହୋଇସାରିଥିଲେ ।

 

ଟଲଷ୍ଟୟ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ବିନିମୟ ହୋଇଥିବା ପତ୍ରାବଳୀ ପୁସ୍ତକାକାରରେ ୧୯୨୫ ମସିହାରେ ପ୍ରକାଶିତ ହୋଇଛି । ପୁସ୍ତକର ନାମ ହେଉଛି ‘ଟଲଷ୍ଟୟ ଓ ପ୍ରାଚ୍ୟ ଦୁନିଆ ।’ ଗାନ୍ଧିଜୀ ଲଣ୍ଡନରୁ ୧୯୦୯ ଅକ୍ଟୋବର ପହିଲାରେ ଟଲଷ୍ଟୟଙ୍କୁ ପ୍ରଥମ ପତ୍ର ଦେଇଥିଲେ ଏବଂ ଟଲଷ୍ଟୟ ତା’ର ଉତ୍ତର ଦେଇଥିଲେ ସେହି ବର୍ଷ ଅକ୍ଟୋବର ୭ ତାରିଖରେ । ତାଙ୍କର ଏ ଉତ୍ତରରେ ଭାରତର ନିର୍ଯ୍ୟାତନା ବିରୋଧୀ ସଂଗ୍ରାମ ପ୍ରତି ଥିଲା ଆନ୍ତରିକ ସହାନୁଭୂତିର ବାର୍ତ୍ତା ।

 

ଟଲଷ୍ଟୟଙ୍କର ଜୀବନ ଓ ଜଗତ ଥିଲା ସୂର୍ଯ୍ୟାଲୋକରେ ଉଦ୍‍ଭାସିତ । ଜୀବନର ଜୟଗାନ ଓ ଦୃଢ଼ ଘୋଷଣା ଥିଲା ତାଙ୍କର ସୃଜନାତ୍ମକ ପ୍ରୟାସର ପ୍ରାଣ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏସବୁ ଉପରେ ପ୍ରଭାବ ବିସ୍ତାର କରିଥିଲା ଟଲଷ୍ଟୟଙ୍କ ଚିନ୍ତାଧାରାର ସାରା ଅଂଶ ଯାହା ଯଥାର୍ଥରେ ଅଭିବ୍ୟକ୍ତ ହୋଇଛି କନସ୍ତାନ୍ତିକ୍ ଲେଭିନ୍‍ଙ୍କ ଥେସିସରେ । ଏଇ ଥେସିସ୍‍ର ନାମ ହେଲା.....“ଅଭିନ୍ନ ସତ୍ୟକୁ ଉପଲବ୍‍ଧି କରିବା ପାଇଁ କୋଟି କୋଟି ଜନତାକୁ ସୁଯୋଗ ଦେବା ଯାହାଫଳରେ ସେମାନେ ଇଚ୍ଛାନୁରୂପ ସେମାନଙ୍କ ଆତ୍ମାର ସେହି ଏକ ଓ ଅଭିନ୍ନ ଜୀବନକୁ ସୃଷ୍ଟି କରିପାରିବେ, ଯେଉଁଥିପାଇଁ ବଞ୍ଚି ରହିବାର ଉପଯୋଗିତା ବା ସାର୍ଥକତା ରହିଛି......”

 

ଏହି ଫର୍ମୁଲା ବା ସୂତ୍ରର ସାରମର୍ମଟି ଟଲଷ୍ଟୟଙ୍କ ଚିନ୍ତାଧାରାର ଦୁଇଟି ପ୍ରଧାନ ପ୍ରବାହର ସଙ୍ଗମସ୍ଥଳରେ ନିହିତ ରହିଛି । ଟଲଷ୍ଟୟଙ୍କର ଏହି ଚିନ୍ତାଧାରା ଗଣତନ୍ତ୍ରବାଦ ସହିତ ତଥା ଲୋକମାନଙ୍କୁ ଯେ ଏକ ନିର୍ଦ୍ଦିଷ୍ଟ ବିଶ୍ଵାସର ଅନୁଗାମୀ ହେବାକୁ ପଡ଼ିବ-ଏହି ଦୃଢ଼ ବିଶ୍ଵାସ ସହିତ ସଂଗତିଶୀଳ । ରୁଷରେ ସାଧାରଣ କୃଷକମାନଙ୍କ ସମ୍ପର୍କରେ ଟଲଷ୍ଟୟ ଲେଖିଥିଲେ, “ଏହା ମୋର ଯୌବନୋଚ୍ଛଳ ପ୍ରୀତିର ସଂକେତ ।” ଏହି ପ୍ରୀତି ଟଲଷ୍ଟୟଙ୍କ ସାର୍ଥକ ଚରିତ୍ରର ସମଗ୍ର ଯୁକ୍ତି ସହିତ ସମ୍ପର୍କଶୀଳ । ଏହା ତାଙ୍କର ବିଶ୍ଵ ଦୃଷ୍ଟିଭଙ୍ଗୀରେ ଆଣିଛି ପରିବର୍ତ୍ତନ । ତାଙ୍କର ସ୍ଵୀକାରୋକ୍ତି ନାମକ ପୁସ୍ତକରେ ସେ ଏହି ପରିବର୍ତ୍ତନ ସମ୍ପର୍କରେ ଅତ୍ୟନ୍ତ ଆନ୍ତରିକତାର ସହିତ ଉଲ୍ଲେଖ କରିଛନ୍ତି, “ମୋ କ୍ଷେତ୍ରରେ ଯେଉଁ ଘଟଣାଟି ଘଟିଥିଲା ତା’ ହେଉଛି ଆମ ଧନୀ ଓ ବିଦ୍ୱାନ୍ ଲୋକମାନଙ୍କ ଜୀବନ କେବଳ ଘୃଣ୍ୟ ନଥିଲା, ଏହା ହେଉଛି ସଂପୂର୍ଣ୍ଣ ଅର୍ଥହୀନ... ଯେଉଁ ସମସ୍ତ ଶ୍ରମଜୀବୀ ଜନସାଧାରଣ ଜୀବନ ସୃଷ୍ଟି କରୁଛନ୍ତି ସେମାନଙ୍କ କାର୍ଯ୍ୟକଳାପ ମୋ ପକ୍ଷରେ ଏକମାତ୍ର ବାସ୍ତବ କାରଣ ବୋଲି ପ୍ରତୀୟମାନ ହୋଇଛି ଏବଂ ଆମ ଗୋଷ୍ଠୀର ନାମ ମୁଁ ପ୍ରତ୍ୟାଖ୍ୟାନ କରୁଛି, ଆଉ ମୁଁ ସ୍ଵୀକାର କରୁଛି ଯେ ଏହା ଯଥାର୍ଥ ଜୀବନ ନୁହେଁ......”

 

ଟଲଷ୍ଟୟଙ୍କ ମତରେ ଅନ୍ୟପକ୍ଷରେ ଲୋକେ ବିଶ୍ୱାସ ଚାହିଁଥିଲେ । ବିଶ୍ୱାସ କାହିଁକି ? କେଉଁଥିରେ ବିଶ୍ୱାସ ?

 

୧୮୯୧ରେ ଟଲଷ୍ଟୟ ସ୍ଵୀକାର କରିଥିଲେ ଯେ, “ଆମ ସମୟର କୌଣସି ବିବେକୀ ଲୋକ ଅତିମାନୁଷ ଦୈବୀ ଘଟଣାଗୁଡ଼ିକରେ ବିଶ୍ୱାସ କରିବେ ନାହିଁ.....କାରଣ ଅତିମାନୁଷ ଆଶ୍ଚର୍ଯ୍ୟଜନକ ଘଟଣାରେ ବିଶ୍ୱାସ କରିବାର ଅର୍ଥ ହେଲା ତତ୍ତ୍ଵରେ ବିଶ୍ୱାସ ହରାଇବା...” କନ୍‍ସ୍ତାନ୍ତିନ୍‍ ଲେଭିନ୍ ଓ ଦିମିତ୍ରି ନେଖ୍‍ଲ୍ୟୁଦୋଭ୍‍ ଅତ୍ୟନ୍ତ ବୁଦ୍ଧିମାନ୍ ଥିଲେ । ସେମାନେ ଅତିମାନୁଷ ବା ଅଲୌକିକ ଦୈବୀ ଘଟଣାରେ ବିଶ୍ୱାସ କରୁନଥିଲେ । ଧର୍ମଦୀକ୍ଷା ଗ୍ରହଣ ପରେ ଟଲଷ୍ଟୟଙ୍କ ଭଳି ସେମାନେ ସାମାଜିକ ନୈରାଶ୍ୟରେ ପୀଡ଼ିତ ହେବାର ଅବସ୍ଥାକୁ ଆସି ଯାଇଥିଲେ । ଏ ଅବସ୍ଥାରେ ମଣିଷ ପୃଥିବୀକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପଲବ୍‍ଧି କରେ । କିନ୍ତୁ ଏଥିଲାଗି ବାସ୍ତବ ସମ୍ଭାବନା ସେ କିଛି ଦେଖିପାରେ ନାହିଁ । ତେଣୁ ସେ ‘ଅଲୌକିକ ଘଟଣା’ରେ ବିଶ୍ୱାସ ନ କଲେ ଆଉ କିଛି ନା କିଛି ଏକ ବିଷୟରେ ଏପରିକି ଏକ ‘ତତ୍ତ୍ୱ’ରେ ବିଶ୍ୱାସ କରେ । ଲେଖକ ଅତି ସଂକ୍ଷେପରେ ତାଙ୍କର ଆଧ୍ୟାତ୍ମିକ ଅନୁସନ୍ଧାନର ଅର୍ଥ ବ୍ୟାଖ୍ୟା କରି କହିଥିଲେ...‘ମୁଁ ଖ୍ରୀଷ୍ଟଙ୍କର ତତ୍ତ୍ଵରେ ବିଶ୍ୱାସ କରେ । କାରଣ ଏତେ ଅଧିକ ସଂଖ୍ୟକ ଲେଖକଙ୍କର କଲ୍ୟାଣସାଧନ କଲାଭଳି ଅନ୍ୟ କୌଣସି ତତ୍ତ୍ୱ ଅଛି ବୋଲି ମୁଁ ଜାଣେନାହିଁ ।’

 

ଅତିମାନୁଷ ଘଟଣା କିନ୍ତୁ କେବେହେଲେ ସତ୍ୟ ନୁହେଁ । ଟଲଷ୍ଟୟ ଓ ତାଙ୍କର ଯେଉଁସବୁ ଚରିତ୍ର ମାଧ୍ୟମରେ ସେ ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ, ସେମାନେ ଏକଥା ଜାଣିଥିଲେ । ସତ୍ୟ ହେଉଛି ଏକ “ତତ୍ତ୍ୱ”, ଯେଉଁଥିରେ କି ସେମାନଙ୍କୁ ବିଶ୍ୱାସ କରିବାକୁ ହେବ. । ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ସିଦ୍ଧାନ୍ତ ସେମାନଙ୍କ ଆଗରେ ନଥିଲା । ଏ କ୍ଷେତ୍ରରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଉଲ୍ଲେଖଯୋଗ୍ୟ” ଯେକୌଣସି “ତତ୍ତ୍ୱ”ର ଅନୁଭୂତି ବା ଉପଲବ୍‍ଧି କ୍ଷେତ୍ରରେ ଟଲଷ୍ଟୟ ମତାନ୍ଧତାର ସଂପୂର୍ଣ୍ଣ ବିରୋଧୀ ଥିଲେ । ସ୍ଵୀକାରୋକ୍ତି ନାମକ ପୁସ୍ତକରେ ସେ ଲେଖିଛନ୍ତି–

 

“ମୁଁ ଏହା ନିଃସନ୍ଦେହ ଭାବରେ ଜାଣେ ଯେ, ଯେ କୌଣସି ତତ୍ତ୍ୱରେ ସତ୍ୟ ନିହିତ ଅଛି-। ଆଉ ଏହା ମଧ୍ୟ ସନ୍ଦେହାତୀତ ଯେ ସେଥିରେ ମିଥ୍ୟା ମଧ୍ୟ ରହିଛି । କିନ୍ତୁ ମୁଁ ସତ୍ୟ ଓ ମିଥ୍ୟାକୁ ପରସ୍ପରଠାରୁ ବିଚ୍ଛିନ୍ନ କରିବି ।”

 

ଟଲଷ୍ଟୟ ଏହି ମତ ପୋଷଣ କରିଥିଲେ ଯେ ଖ୍ରୀଷ୍ଟଙ୍କର ନିୟମାବଳୀ ଉପରେ ପ୍ରତିଷ୍ଠିତ ଜୀବନରେ ହିଁ ସଂପୂର୍ଣ୍ଣ ଧ୍ଵଂସରୁ ଖ୍ରୀଷ୍ଟାନ୍ ଜନସଂପ୍ରଦାୟର ମୁକ୍ତି ନିହିତ; କାରଣ ବର୍ତ୍ତମାନ (୧୮୯୧ରେ) ଆମେ ଏପରି ଏକ ସଂକଟଜନକ ଅବସ୍ଥାରେ ପହଞ୍ଚିଛୁ, ଯେଉଁଠାରେ ସେହିସବୁ ନିୟମ ଓ ବିଧିବିଧାନଦ୍ଵାରା ଚାଳିତ ହେବାକୁ ଆମେ ବାଧ୍ୟହେବୁ । ୧୮୮୧ରେ ଟଲଷ୍ଟୟ ତାଙ୍କର ଡାଏରୀରେ ଏହି ବିଷାଦପୂର୍ଣ୍ଣ ଦୃଢ଼ ବିଶ୍ୱାସର କଥା ଉଲ୍ଲେଖ କରିଥିଲେ । “ନିଆଁ ଲାଗିଯାଇଥିବା ଗୋଟିଏ ଘରର ଏକମାତ୍ର ଦ୍ୱାରଦେଶ ଦେଇ ପଳାଇଯିବା ପାଇଁ” ମଣିଷ ଯେଉଁ ସମାଧାନରେ ଉପନୀତ ହୁଏ, ତା’ ସହିତ “ଖ୍ରୀଷ୍ଟଙ୍କର ତତ୍ତ୍ଵ”କୁ ତୁଳନା କରି ସେ ଏଇକଥା ଲେଖିଥିଲେ ।

 

ଏହି ସମସ୍ତ ଯୁକ୍ତିତର୍କରେ ଟଲଷ୍ଟୟଙ୍କୁ ଯେପରି ବିଜ୍ଞ, ବିଚକ୍ଷଣ, ବାସ୍ତବବାଦୀ ଓ ସ୍ୱବିରୋଧୀ ଭାବେ ଚିତ୍ର କରାଯାଇଛି, ତାଠାରୁ ଅଧିକ ବିଚକ୍ଷଣ, ବାସ୍ତବବାଦୀ ଓ ସ୍ଵବିରୋଧୀ ଭାବେ ତାଙ୍କୁ କଳ୍ପନା କରାଯାଇ ପାରେନାହିଁ । ଆଉ ତାଙ୍କର ବିଶ୍ଵ ଦୃଷ୍ଟିକୋଣକୁ ସେ ଯେତେ ଅଧିକ ସୁସଂଗତ ଭାବରେ ଶିଳ୍ପୀସୁଲଭ ରୀତିରେ ଅତିକ୍ରମ କରିଥିଲେ (୯ମ ଓ ୧୦ମ ଦଶକରେ ତାଙ୍କର ଦୀର୍ଘ କାହାଣୀ ଓ ତାଙ୍କର ଲୋକକାହାଣୀ) ତାଙ୍କର ଅନ୍ତର୍ଦ୍ୱନ୍ଦ୍ଵ ସେତେ ସୁସ୍ପଷ୍ଟ ହୋଇଉଠିଥିଲା । ତାଙ୍କର ଏହି ଅନ୍ତର୍ଦ୍ୱନ୍ଦ୍ଵଗୁଡ଼ିକ ହେଲା-

 

-ମନ୍ଦ ବିଷୟଗୁଡ଼ିକୁ ଦେଖିବା ଏବଂ ଅନ୍ୟାୟକୁ ଧ୍ଵଂସ କରିବା ଲାଗି ଜନଗଣଙ୍କୁ ଆହ୍ଵାନ ଦେବା ।

 

-ଏବଂ ଯେଉଁ ସରଳ କଳ୍ପନା ବିଳାସପୂର୍ଣ୍ଣ ଉପାୟରେ ଏହା ସଂପାଦନ କରିବାକୁ ହେବ ସେ ବିଷୟରେ ପରାମର୍ଶ ଦେବା ।

 

-ଆଇନସମ୍ମତ ବ୍ୟବସ୍ଥାଗୁଡ଼ିକୁ ଗ୍ରହଣ ନ କରିବା (ତାହେଲେ ଆମେ କ’ଣ କରିବୁ ? ପୁସ୍ତକ ୧୮୮୬, ୧୮୯୭, ୧୯୦୦, ୧୯୦୬, ୧୯୦୮ର ପ୍ରବନ୍ଧମାଳା, “କଳା କ’ଣ ?”, “ଆମ ସମୟର କ୍ରୀତଦାସ ପ୍ରଥା”, “ଶତାବ୍ଦୀର ଶେଷ”, “ମୁଁ ନୀରବ ରହିପାରେନା”) ଏବଂ ଧର୍ମନୈତିକତା ସଂପର୍କିତ ତତ୍ତ୍ଵ ସାହାଯ୍ୟରେ ଏହା ଉଭେଇଯିବ ବୋଲି ମନେକରିବା ।

 

ସ୍ଵୀକୃତ ଲକ୍ଷ୍ୟ ଏବଂ ଏହାକୁ ହାସଲ କରିବାର ଘୋଷିତ ପଦ୍ଧତି ମଧ୍ୟରେ ଏହି ଦ୍ୱନ୍ଦ୍ଵ ବିଦ୍ୟମାନ । ପ୍ରଖ୍ୟାତ ସୋଭିଏତ୍ ବିଜ୍ଞାନୀ ଓ ଲେଖକ ଭିକ୍ଟର ସ୍କାଲୋଭସ୍କି କହିଛନ୍ତି, “ଧର୍ମ ଟଲଷ୍ଟୟଙ୍କ କ୍ଷତକୁ ବାନ୍ଧି ରଖିଥିଲା କିନ୍ତୁ ଧର୍ମଗତ ପଟି ତଳେ ଅବା କ୍ଷତଗୁଡ଼ିକ ଆରୋଗ୍ୟ ନ ହୋଇ ପୂର୍ବଭଳି ଯନ୍ତ୍ରଣାଦାୟକ ହୋଇଥିଲା ।”

 

ଟଲଷ୍ଟୟ ୧୯ବର୍ଷ ବୟସରେ ବୌଦ୍ଧ-ଧର୍ମରେ ଆଗ୍ରହ ପ୍ରକାଶ କରିବାକୁ ଆରମ୍ଭ କରିଥିଲେ । ଆଉ ତାଙ୍କ ମୃତ୍ୟୁର ପୂର୍ବ ଦୁଇମାସ ମଧ୍ୟରେ ସେ ଏହି ବିଷୟ ଉଲ୍ଲେଖ କରିଥିଲେ । ବୌଦ୍ଧଧର୍ମରେ ଯେଉଁ ତତ୍ତ୍ଵଟିର ତାଙ୍କ ପ୍ରତି ସବିଶେଷ ଆବେଦନ ଥିଲା, ସେହି ତତ୍ତ୍ଵଟି ହେଉଛି ସମତା ସମ୍ପର୍କରେ ଏବଂ ଈଶ୍ୱର ଯେ ସର୍ବଶକ୍ତିମାନ୍ ଓ ଅତି ପ୍ରାକୃତ ନୁହନ୍ତି ସେ ସମ୍ପର୍କରେ । ବୌଦ୍ଧନୀତି ଶାସ୍ତ୍ରଗୁଡ଼ିକର ମୌଳିକ ନିର୍ଦ୍ଧାରଣ ସହିତ ଏକମତ ହୋଇ ସେଥି ମଧ୍ୟରେ ଯାହାସବୁ ମନୁଷ୍ୟର ମହନୀୟତାକୁ କ୍ଷୁଣ୍ଣ କରେ ଏବଂ ନୈରାଶ୍ୟ ଓ ଅବକ୍ଷୟ ଦିଗରେ ମଣିଷକୁ ଘେନିଯାଏ, ସେ ସବୁକୁ ଟଲଷ୍ଟୟ ପ୍ରତ୍ୟାଖ୍ୟାନ କରିଥିଲେ । ମହାଭାରତ ଓ ରାମାୟଣ ପାଠ କଲାବେଳେ ଏହି ରୁଷୀୟ ଲେଖକ ତାଙ୍କର ଡାଏରୀରେ ମାନବ ବ୍ୟକ୍ତିତ୍ୱର ଗୁଣଗାନ କରିଥିଲେ । ମାନବ ବ୍ୟକ୍ତିତ୍ୱର ଏହି ଗୁଣଗାନ ହିଁ ଏହି ସମସ୍ତ ଭାରତୀୟ ମହାକାବ୍ୟର ବୈଶିଷ୍ଟ୍ୟ ।

 

ରୁଷ ଭାରତର ମୈତ୍ରୀ ପୁସ୍ତକର ଏକ ଗୌରବୋଜ୍ଜ୍ୱଳ ପୃଷ୍ଠ ଟଲଷ୍ଟୟଙ୍କ ନାମ ସହିତ ସଂଶ୍ଳିଷ୍ଟ । ଟଲଷ୍ଟୟ ଓ ପ୍ରାଚ୍ୟ (ମସ୍କୋ ୧୯୬୦) ସଂପର୍କିତ ଅଧ୍ୟାୟରେ ଏହି ବିଷୟଟି ଉଲ୍ଲେଖ କରିଛନ୍ତି । ସୋଭିଏଟ୍ ଭାରତ ତତ୍ତ୍ୱବିଦ୍ ଏ. ଆଇ. ସିଫମ୍ୟାନ୍ ତାଙ୍କ ଜୀବନରେ ପରବର୍ତ୍ତୀ କାଳରେ “କ୍ଷୁଦ୍ର ବା ଜ୍ଞାନଗର୍ଭକ ଗଦ୍ୟ” ପ୍ରତି ସନ୍ନ୍ୟାସୀ ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି (ଲୋକ କିମ୍ୱଦନ୍ତୀ ଓ ନୀତିଗଳ୍ପ ଆଦେଶରେ ଲିଖିତ ଛୋଟ ଛୋଟ କାହାଣୀ) ଟଲଷ୍ଟୟ ଯତ୍ନର ସହିତ ପଞ୍ଚତନ୍ତ୍ର ଓ ହିତୋପଦେଶରୁ ମହାକାବ୍ୟର ସଂଳାପ-ପୁରାଣ, ବିଖ୍ୟାତ ତାମିଲ୍ କବିତା ତିରୁକୁରାଲ, ଧର୍ମପଦ ପୁସ୍ତକରୁ ଅନୂଦିତ କିମ୍ବଦନ୍ତୀ ଓ ଆଖ୍ୟାୟିକ ଗୁଡ଼ିକୁ ବାଛିଥିଲେ । ଟଲଷ୍ଟୟଙ୍କୁ ଯେଉଁସବୁ ଭାରତୀୟ ଶ୍ରଦ୍ଧା କରୁଥିଲେ ସେମାନଙ୍କ ସହିତ ଟଲଷ୍ଟୟଙ୍କର ପତ୍ରାଳାପ ଥିଲା । ମାନ୍ଦ୍ରାଜର ପ୍ରବନ୍ଧକାର ବୈଦ୍ୟନାଥଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ବହୁ ବ୍ୟକ୍ତିଙ୍କ ସହିତ ସେ ଚିଠିପତ୍ର ମାଧ୍ୟମରେ ସମ୍ପର୍କ ରଖିଥିଲେ । ଏହିସବୁ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ବହୁ ଚିନ୍ତାବିତ୍, ଦାର୍ଶନିକ, ପ୍ରକାଶକ ଓ ଆଇନଜ୍ଞ (ମହମ୍ମଦ ସାଦ୍ଦିକ, ବାବା ପରମାନନ୍ଦ ଭାରତୀ, ଡି. ଗୋପାଳ ଚେଟୀ, ପି. ଏମ୍, ଦାସ ଶର୍ମା, ତାରକା ଦାସ ପ୍ରମୁଖ) ।

 

୧୯୦୮ରେ ପ୍ରକାଶିତ ‘ଇଣ୍ଡିଆନ୍ ଓପିନିଅନ୍’ ଓ ‘ମଡ଼ର୍ଣ୍ଣ ରିଭ୍ୟୁ’ର ମର୍ମସ୍ପର୍ଶୀ ପ୍ରବନ୍ଧଠାରୁ ଆରମ୍ଭ କରି ‘ପ୍ରଭଦା ଲିତରେ ତୁର୍ଣ୍ଣୟା ଗେଜେଟା’ରେ ମହାନ୍ ଲେଖକଙ୍କର ୫୦ତମ ବାର୍ଷିକୀରେ ବାନରସୀ ଦାସ ଚତୁର୍ବେଦୀ ଓ ଶିବଦାନ ସିଂ ଚୌହାନଙ୍କଦ୍ଵାରା ଲିଖିତ ସମ୍ମାନପୂର୍ଣ୍ଣ ଉଲ୍ଲାସଜନକ ପ୍ରବନ୍ଧ ପର୍ଯ୍ୟନ୍ତ, ଜେ.ପି. ନାରାୟଣଙ୍କ ଅଧ୍ୟକ୍ଷତାରେ (ଡିସେମ୍ବର ୧୯୬୦)ରେ ଦିଲ୍ଲୀରେ ଅନୁଷ୍ଠିତ ଟଲଷ୍ଟୟ ସେମିନାର ଏବଂ (ନଭେମ୍ବର ୧୯୬୦)ରେ ମସ୍କୋରେ ଅନୁଷ୍ଠିତ ଟଲଷ୍ଟୟ ଶତବାର୍ଷିକୀ ଅଧିବେଶନରେ ସାହିତ୍ୟ ଏକାଡେମୀର ସେକ୍ରେଟାରୀ କେ.ଆର. ତ୍ରିପାଳିନୀ ଓ ଶିବଦାନ ସିଂଙ୍କର ଆଗ୍ରହୋଦ୍ଦୀପକ ବିବରଣୀ ପର୍ଯ୍ୟନ୍ତ ସକଳ ଦଲିଲରେ ବିଜ୍ଞାନସମ୍ମତ ଓ ବସ୍ତୁନିଷ୍ଠ ଭାବେ ଉଲ୍ଲେଖ କରାଯାଇଛି ଯେ, ଅପରିବର୍ତ୍ତନୀୟ ଶ୍ରଦ୍ଧା ଓ ସମ୍ମାନ ସତ୍ତ୍ୱେ ମହାନ୍ ରୁଷୀୟ ଚିନ୍ତାବିତଙ୍କ ନୈତିକତାପୂର୍ଣ୍ଣ ମାନଦଣ୍ଡ ଏବଂ ଗାନ୍ଧୀବାଦର ଭାବଧାରା ମଧ୍ୟରେ ସାମଞ୍ଜସ୍ୟ ପ୍ରଥମତଃ ଏଠାରେ ହିଁ ରହିଛି ଯେ ଟଲଷ୍ଟୟ ସୁସଞ୍ଜତ ଭାବରେ ମାନବର ନୈତିକ ତ୍ରୁଟିଶୂନ୍ୟତା ଆଦର୍ଶର ରୂପାୟନ ଦିଗରେ ଉଦ୍ୟମ କରିଥିଲେ; ସେ ଉଦ୍ୟମ କରିଥିଲେ ସେହି ଆଦର୍ଶର ରୂପାୟନ ଦିଗରେ ଯାହାର ମୂଲ୍ୟବୋଧ ଓ ଅର୍ଥ ସମୟ ସହିତ ପରବର୍ତ୍ତିତ ହେଉଛି; କିନ୍ତୁ ଯାହାର ମୌଳିକ ନୀତିରାଜି ଚିରଦିନ ମାନବଜାତିର ମହାନ୍ ଉତ୍ତରାଧିକାରୀ ହୋଇ ରହିବ.... ।”

 

...କିନ୍ତୁ ୟାସନୟା ପୋଲିଆନାରେ ନଅଟି ଓକବୃକ୍ଷ ପରିବେଷ୍ଟିତ ଛୋଟ ପାହାଡ଼ ଉପରେ ଥିବା କୁଦଟି ତାଙ୍କର ବିଭିନ୍ନ ଦିଗବିଶିଷ୍ଟ ଜୀବନକାହାଣୀଗୁଡ଼ିକୁ ଏକତ୍ର କରିଥାଏ । କାରଣ ଏହାର ନିମ୍ନଦେଶରେ ଜଣେ ବ୍ୟକ୍ତିଙ୍କର ଅବଶେଷାଂଶ ରହିଛି, ଯାହାଙ୍କର ଆତ୍ମାରେ ଜୀବନର ସକଳ ଧ୍ୱନି ସୁସ୍ପଷ୍ଟ ପ୍ରତିଧ୍ୱନି ସୃଷ୍ଟି କରିଥିଲା । ଖାଲି ସେତିକି ନୁହେଁ, ସୋଭିଏତ୍ ଲେଖକ ହିଓନିଦ୍ ଲିଓନୋଭଙ୍କ ମତରେ ଏହି ବ୍ୟକ୍ତିଙ୍କର ଦୃଷ୍ଟିକୁ ଇତିହାସର ଦର୍ଶନ, ରାଷ୍ଟ୍ରର ଶ୍ରେଣୀଗଠନ ରୀତି, ଶିକ୍ଷା ଓ ଶିକ୍ଷଣ ଶିକ୍ଷା ବିଜ୍ଞାନର ସମସ୍ୟାବଳୀ, ମୃତ୍ୟୁଦଣ୍ଡ, ଭଲ୍‍ଗା ଅଞ୍ଚଳରେ ପଡ଼ିଥିବା ଦୁର୍ଭିକ୍ଷ, ଟ୍ରାନ୍ସଭାଲରେ ଭାରତୀୟମାନଙ୍କର ନିର୍ଯ୍ୟାତନା, ରୁଷିଆରେ ଅର୍ଥ ଓ ଜମିର ମାଲିକାନା, ବିଶ୍ଵାସ, ଅମରତ୍ୱ, ସଂପ୍ରୀତି ଓ ସ୍ଵାଧୀନତା କିଛି ଏଡ଼ିଯାଇ ପାରି ନାହିଁ ।

 

ରୁଷିଆର ଏହି ସନ୍ତାନ ବିଶ୍ୱବାସୀମାନଙ୍କ ପାଇଁ ତାଙ୍କର ଆତ୍ମିକ ଉତ୍ତରାଧିକାର ରୂପେ ତାଙ୍କର ଚିନ୍ତା ପ୍ରସୂତ ବିରାଟ ଗ୍ରନ୍ଥମାନ ରଖିଯାଇଛନ୍ତି । ତା’ ଛଡ଼ା ଧର୍ମବିଶ୍ୱାସ ନିର୍ବିଶେଷରେ ସମସ୍ତ ସତ୍ୟପ୍ରିୟ ଓ ନ୍ୟାୟପରାୟଣ ଲୋକେ ଟଲଷ୍ଟୟଙ୍କର ଆଉ ଏକ ମାନବୋଚିତ ଶିକ୍ଷା ମଧ୍ୟ ଅନୁସରଣ କରିଥାନ୍ତି ।

 

ସ୍ୱୟଂ ଟଲଷ୍ଟୟଙ୍କ ପକ୍ଷରେ ଏହି ଶିକ୍ଷା ଥିଲା ଜୀବନର ଏକ ଅତୁଳନୀୟ ପ୍ରତିଶ୍ରୁତି । ଏହି ପ୍ରତିଶ୍ରୁତି ପ୍ରତି ତାଙ୍କର ସାହିତ୍ୟରଥୀମାନେ ସର୍ବଦା ଅନୁରକ୍ତ ଥିଲେ ।

 

“ମୋତେ କ’ଣ କରିବାକୁ ହେବ ମୁଁ ଜାଣେନା” ଏହାହିଁ ଲିଓ ଟଲଷ୍ଟୟଙ୍କର ଅନ୍ତିମ ଉକ୍ତି ବୋଲି ଲୋକେ କହନ୍ତି । ଏହି କିମ୍ବଦନ୍ତୀଟି ମାନବଜାତି ନିକଟରେ ଅତି ପ୍ରିୟ, ଯେହେତୁ ଏହା ଥିଲା ପୃଥିବୀର ଜଣେ ମାନବବାଦୀ ସତ୍ୟାନୁସନ୍ଧାନୀଙ୍କ ଜୀବନର ଯୁକ୍ତିଯୁକ୍ତ ଚୂଡ଼ାନ୍ତ ବିଚାର ।

 

ବିଶ୍ୱସାହିତ୍ୟରେ ଏକ ନୂତନ ଦିଗନ୍ତ

ମାକ୍‍ସିମ୍‍ ଗର୍କୀ (୧୮୬୮-୧୯୩୬)

 

ପୃଥିବୀର ସାହିତ୍ୟରେ ଯେ ସ୍ୱାଧୀନତା ଓ ମୁକ୍ତିର ସଂଗୀତ ଶୁଣାଇଥିଲା, ନିଜର ଲେଖନୀକୁ ସମାଜ ଓ ବ୍ୟକ୍ତିର ସେବାରେ ଯେ ଅଶ୍ରୁ ଜର୍ଜରିତ କରିପାରିଥିଲା, ସର୍ବହରା ଓ ଶ୍ରମିକମାନଙ୍କ ପାଇଁ ଯେ ବଞ୍ଚିବାର ନୂତନ ମନ୍ତ୍ର ଶିଖାଇଥିଲା, ସେ ହେଉଛନ୍ତି ସୋଭିଏଟ୍ ରୁଷର ବିଖ୍ୟାତ ନାଟ୍ୟକାର, କବି ଓ କଥାଶିଳ୍ପୀ ମାକ୍‍ସିମ୍‍ ଗର୍କୀ । ବାଲ୍ୟ ବୟସରୁ ଯାହାଙ୍କ ବାରବୁଲା ଜୀବନ ଆରମ୍ଭ ହୋଇଥିଲା ମୋଚି ଦୋକାନରେ ପିଅନ, ଘରର ନକ୍‍ସା କରୁଥିବା ଲୋକ ପାଖରେ ଶିକ୍ଷାନବିଶ, ଜାହାଜରେ ବାସନମଜା କାମ ଏହିପରି କେତେ ଅଭିଜ୍ଞତା, ଅନୁଭୂତି ତଥା ଦାରିଦ୍ର୍ୟ ମଧ୍ୟରେ ଯେ ବରାବର ଆଗକୁ ପାଦ ବଢ଼ାଇ ଚାଲିଥିଲେ, ସେ ହେଉଛନ୍ତି ମାକ୍‍ସିମ୍‍ ଗର୍କୀ-। ଏକ ଅଦ୍ଭୁତ ଓ ବିଚିତ୍ର ଜୀବନ, ଏକ ଅପୂର୍ବ ଓ ଅସାଧାରଣ ସୁଜନଶୀଳ ପ୍ରତିଭା ତାଙ୍କର ବ୍ୟକ୍ତିତ୍ୱ ନିକଟରେ ସମାଜର ପ୍ରତିକ୍ରିୟାଶୀଳ ଶକ୍ତି ଛାଏଁ ଛାଏଁ ମୁଣ୍ଡ ନୁଆଁଇଛି; ପରମ୍ପରା ଓ ଗତାନୁଗତିକତା ମଧ୍ୟରୁ ସେ କେବଳ ରୁଷ ସାହିତ୍ୟକୁ ରକ୍ଷା କରିନଥିଲେ, ରୁଷର ଶ୍ରମିକସମାଜକୁ ଶୋଷଣମୁଖରୁ ରକ୍ଷାକରି ତାଙ୍କୁ ବିଶ୍ୱସାହିତ୍ୟରେ ଏକ ମର୍ଯ୍ୟାଦାକର ସ୍ଥାନ ଦେଇପାରିଥିଲେ । ତାଙ୍କର ଯେପରି ନିର୍ଭୀକ ମତବାଦ, ସୃଷ୍ଟି ଓ କଳା କ୍ଷେତ୍ରରେ ତାଙ୍କର ସ୍ୱପ୍ନ ସେହିପରି ଅନନ୍ୟ ସାଧାରଣ-

 

ତାଙ୍କର ରଚନାବଳୀ ବ୍ୟକ୍ତି ଓ ସମାଜର ଜଟିଳ ସମ୍ପର୍କ ବିଶ୍ଳେଷଣ କରି ସେଥିରୁ ଏକ ସୂତ୍ର ଅର୍ଥାତ୍ formula ବାହାର କରିଥିଲା । ତାହା ହେଉଛି ମାନବିକତାର ସୂତ୍ର । ଯେ ଏତେବଡ଼ ଆଦର୍ଶ ପ୍ରବର୍ତ୍ତକ, ବୌଦ୍ଧିକ ସ୍ରଷ୍ଟାରୂପେ ପ୍ରତିଷ୍ଠିତ ହୋଇପାରିଥିଲେ, ସେ ରୁଷ ଦେଶର ଗ୍ରାମଗହଳରେ ଭୋକ ଉପାସରେ କେତେବେଳେ ଭିକାରି ବେଶରେ, କେତେବେଳେ ବିପ୍ଳବର ମଶାଲଧାରୀ ଜଗୁଆଳି ହିସାବରେ ଦିନରାତି ବୁଲିବୁଲି ମାନବିକତାର ଧର୍ମ ପ୍ରଚାର କରୁଥିଲେ ।

 

ଗର୍କୀ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ ୧୦ ବର୍ଷଠାରୁ ତାଙ୍କୁ ଜୀବନ-ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା । ପରିସ୍ଥିତିର ପ୍ରଭାବରେ ସେ ଯେ ଜଣେ ସର୍ବହରା ଗୋଷ୍ଠୀର ପ୍ରତିନିଧିତ୍ୱକାରୀ କବି ଓ ନାଟ୍ୟକାର ହୋଇପାରିଥିଲେ, ଏଥିରେ ସନ୍ଦେହ ନାହିଁ । ତାଙ୍କର ଜୀବନ ଓ ସାହିତ୍ୟିକ କାର୍ଯ୍ୟକଳାପ ସମଗ୍ର ଇତିହାସର ଏକ କ୍ରାନ୍ତିକାରୀ ବିବର୍ତ୍ତନ ସହିତ ଜଡ଼ିତ ବୋଲି କୁହାଯାଇପାରେ । କଳା ଓ ସଂସ୍କୃତିର ମୂଲ୍ୟବୋଧ ମାକ୍‍ସିମ୍‍ ଗର୍କୀଙ୍କ ଲେଖନୀରେ ଏକ ନୂତନ ଦିଗନ୍ତ ପ୍ରାପ୍ତ ହୋଇଥିଲା । ସାହିତ୍ୟରେ ସାର୍ବଜନୀନତା ସର୍ବହରା ଓ ଶ୍ରମିକ ଗୋଷ୍ଠୀର ମୁକ୍ତି ଏହା ହିଁ ତାଙ୍କ ଗଳ୍ପ ଉପନ୍ୟାସ ଓ ନାଟକମାନଙ୍କର ପ୍ରଧାନ ଉପଜୀବ୍ୟ ବିଷୟ । ଯେତେବେଳେ ରୁଷିଆର ଜୀବନରେ ଏକ ସନ୍ଧିକ୍ଷଣ ଉପସ୍ଥିତ ହୋଇଥିଲା-ଇତିହାସର ଓଲଟପାଲଟ ମଧ୍ୟରେ ତା’ର ନୂଆ ଇତିହାସ ଲେଖାଯାଉଥିଲା ସେତିକିବେଳେ ଗର୍କୀ ଏକ ଦୁର୍ଦ୍ଦାନ୍ତ ଶକ୍ତିରୂପେ ରୁଷୀୟ ସାହିତ୍ୟ ଆକାଶରେ ଦେଖାଦେଇଥିଲେ ।

 

୧୮୬୮ ମସିହା ମାର୍ଚ୍ଚ ମାସ ୧୬ ତାରିଖ । ନିଜ୍‍ନୀନବଗୋରଡ଼ ସହରର ଉପାନ୍ତ ଅଂଚଳରେ ନିହାତି ଦରିଦ୍ର ପରିବାରରେ ଏହି ବୁଦ୍ଧିମାନ୍ ବିଚକ୍ଷଣ ପୁରୁଷଙ୍କର ଜନ୍ମ ହୋଇଥିଲା । ଗର୍କୀ ତାଙ୍କ ବାଲ୍ୟ ଜୀବନର ବାଲ୍ୟ ସ୍ମୃତି ସମ୍ପର୍କରେ ଯାହା ଲେଖୁଥିଲେ, ସେଥିରୁ ତାଙ୍କର ଶିକ୍ଷା, ସଂସ୍କାର ଓ ଭବିଷ୍ୟତର ସାଧନା ସମ୍ପର୍କରେ ବେଶ୍ ଧାରଣା କରିହୁଏ । “ପୁଷ୍ଟିନଙ୍କର କବିତା ମୋତେ ବିଚଳିତ କରିଦେଇଥିଲା । ତାଙ୍କର ଲେଖା ଅଧ୍ୟୟନ କରି ମୁଁ ମୋର ବାରବୁଲା ଜୀବନରେ ଏକ ନୂତନ ଉତ୍ସାହ ଅନୁଭବ କରିଥିଲି । ମୁଁ ଯେତିକି ପୁଷ୍ଟିନଙ୍କ ଲେଖା ପଢ଼ୁଥିଲି, ଜୀବନ ପ୍ରତି ସେତିକି ଆକୃଷ୍ଟ ହେଉଥିଲି । ପ୍ରତିଦିନ ରାତିରେ ଶେଯରେ ଶୋଇରହି ମୁଁ ତାଙ୍କର ରଚନାଗୁଡ଼ିକୁ ମୁହେଁ ମୁହେଁ ଆବୃତ୍ତି କରୁଥିଲି” ।ଏଥିପାଇଁ ଗର୍କୀଙ୍କୁ ତାଙ୍କର ମାଲିକଙ୍କ ନିକଟରେ କମ୍ ନିନ୍ଦିତ ଓ ଲାଞ୍ଛିତ ହେବାକୁ ପଡ଼ିନଥିଲା । ସେମାନେ ତାଙ୍କଠାରୁ ଯେତିକି ବହିପତ୍ର ଛଡ଼ାଇ ନେଉଥିଲେ, ଗର୍କୀ ସେତିକି ଜିଦ୍‍ଧରି କୌଶଳ କରି ବିଭିନ୍ନ ପୁସ୍ତକ ସଂଗ୍ରହ କରି ଅଧ୍ୟୟନ କରୁଥିଲେ । କାରଣ ଗର୍କୀ ଜୀବନରେ ଯାହାକିଛି ଆଦର୍ଶ ଓ ସୁନ୍ଦର ସେଥିପାଇଁ ବରାବର ଆଗ୍ରହୀ ଓ ଚିନ୍ତିତ ଥିଲେ । ପୁଷ୍ଟିନ୍ ଯେଉଁସବୁ ଗ୍ରନ୍ଥ ଅଧ୍ୟୟନ କରୁଥିଲେ ତାହାର ଚରିତ୍ର ଓ କଥାବସ୍ତୁ ପ୍ରତି ସେ ଯେତିକି ଆକୃଷ୍ଟ ହେଉଥିଲେ । ସମୟ ସମୟରେ ପୁସ୍ତକ ବର୍ଣ୍ଣିତ ଚରିତ୍ରମାନଙ୍କ ପରି ସେ ମଧ୍ୟ ନିର୍ଜନରେ ଅଭିନୟ କରୁଥିଲେ । ତାଙ୍କ ଜୀବନରେ ଉଚ୍ଚଶିକ୍ଷା ଲାଭ କରିବା ସମ୍ଭବ ହୋଇନଥିଲା । ସେ କୌଣସି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିପାରିନଥିଲେ । ସେଥିପାଇଁ ତାଙ୍କ ଜୀବନରେ ପ୍ରକୃତ ବିଶ୍ୱବିଦ୍ୟାଳୟ ହେଉଛି ତାଙ୍କର ବାରବୁଲା ଜୀବନ । ସହର ଓ ଗ୍ରାମମାନଙ୍କରେ ପ୍ରତିଦିନ ବୁଲିବା, ନୂତନ ନୂତନ ଯୁବକ ବନ୍ଧୁମାନଙ୍କ ସହିତ ଆଳାପ କରିବା, ବିପ୍ଳବୀ ଯୁବକମାନଙ୍କଦ୍ୱାରା ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେବା ଥିଲା ତାଙ୍କର ତରୁଣ ଜୀବନର ଦୈନନ୍ଦିନ କାର୍ଯ୍ୟ । ତାଙ୍କ ଆତ୍ମଜୀବନୀରେ “ମୋର ବିଶ୍ୱବିଦ୍ୟାଳୟ” ଶୀର୍ଷକ ଭାଗରେ ଏହାର ବିସ୍ତୃତ ବର୍ଣ୍ଣନା ଦେଖିବାକୁ ମିଳେ ।

 

ତାଙ୍କର ପ୍ରଥମ ରଚନା ହେଉଛି ‘Song of the Old Oak’ । ସେ ନିଜର ଏହି ରଚନାଟି ତଦାନୀନ୍ତନ ପ୍ରସିଦ୍ଧ ରୁଷିଆର ଲେଖକ ଭ୍ରାଡ଼ିମିର କରୋଲେନଙ୍କୋଙ୍କୁ ଯେତେବେଳେ ଦେଖାଇଥିଲେ, ସେ ସେତେବେଳେ ତାଙ୍କଠାରୁ ପ୍ରତ୍ୟୁତ୍ତରରେ ଶୁଣିବାକୁ ପାଇଥିଲେ, “ତୁମର ଏ କବିତା ବୁଝିପାରିଲି ନାହିଁ; କିନ୍ତୁ ତୁମ ଭିତରେ ଗୋଟାଏ ଶକ୍ତି ଅଛି ଏତିକି ମୁଁ ଜାଣିପାରୁଛି ।” ତରୁଣ ଗର୍କୀ ବୟସ୍କ ଲେଖକଙ୍କଠାରୁ ଏହା ଶୁଣି ପାଣ୍ଡୁଲିପିଟି ଚିରି ଦେଇଥିଲେ । ଗର୍କୀ ସମସ୍ତଙ୍କୁ କହୁଥିଲେ, “ମୁଁ ସବୁ ଅସ୍ଵୀକାର କରିବାପାଇଁ ଏହି ପୃଥିବୀକୁ ଆସିଛି ।” ଏ ପ୍ରକାର ଦୃଷ୍ଟିକୋଣ ଯାହାଙ୍କ ବ୍ୟକ୍ତିତ୍ୱକୁ ପରିପୃଷ୍ଟ କରିଥିଲା, ତାଙ୍କର ରଚନା କିପରି ସମାଜ ଓ ଜୀବନଧର୍ମୀ ହୋଇଥିବ, ତାହା ଅନୁମେୟ । ଗର୍କୀଙ୍କର ସର୍ବପ୍ରଥମ ପ୍ରକାଶିତ କ୍ଷୁଦ୍ରଗଳ୍ପ ହେଉଛି ‘ଚେଲକାଶ୍’ । ତାଙ୍କର ରଚନା ‘ମକରଚୁଦ୍ରା’ ଯାଯାବର ଜୀବନକୁ କେନ୍ଦ୍ର କରି ଲିଖିତ ହୋଇଥିଲା । ଏହି ପାଣ୍ଡୁଲିପିଟି ଯେତେବେଳେ ପ୍ରକାଶନାର୍ଥେ ଗୃହୀତ ହୋଇଥିଲା, ସେତେବେଳେ ପେଶକୋଭ ଏକ ଛଦ୍ମନାମ ଗ୍ରହଣ କରିଥିଲେ । ତାହା ହେଉଛି ମାକ୍‍ସିମ୍‍ ଗର୍କୀ । ତାଙ୍କର ପ୍ରକୃତ ନାମ ହେଉଛି ଆଲେକ୍ସେୟୀମେ ପେଶକୋଭ ।

 

ବେସରବେୟା ଅଞ୍ଚଳରେ ଗର୍କୀ ପର୍ଯ୍ୟଟନ କରୁଥିବା ବେଳେ ଯେଉଁସବୁ ଅଭିଜ୍ଞତା ଅର୍ଜନ କରିଥିଲେ, ତାହା ତାଙ୍କର Old Izergil ନାମକ ରଚନାରେ ଲିପିବଦ୍ଧ କରିଥିଲେ । ସନ୍ଧ୍ୟା ସମୟ । ଏହା ହେଉଛି ଭାଇନ୍ ତୋଳିବାର ଋତୁ । ଯେତେବେଳେ ମଜୁରିଆମାନେ କାମ ଉପରକୁ ଚାଲିଯାଇଥିଲେ, ମାକ୍ସିମ ଗର୍କୀ ଜଣେ ଗ୍ରାମ୍ୟ ବୃଦ୍ଧାଠାରୁ ଯେଉଁ କେତୋଟି କାହାଣୀ ଓ ଗଳ୍ପ ଶୁଣିଥିଲେ, ତାହା ହିଁ ଏହି ପୁସ୍ତକରେ ଅନ୍ତର୍ଭୁକ୍ତ କରିଥିଲେ । ଗର୍କୀ ସାଧାରଣତଃ ରାତ୍ରିରେ ଲେଖାଲେଖି କରୁଥିଲେ । ଦିନସାରା ସେ ସଂବାଦପତ୍ରମାନଙ୍କ ପାଇଁ ଲେଖୁଥିଲେ ଓ ବନ୍ଧୁମାନଙ୍କ ସହିତ ନାନାଦି ବିଷୟରେ ଆଲୋଚନା କରୁଥିଲେ । ତାଙ୍କର ଟେବୁଲଟି ସଦାବେଳେ ବେଶ୍ ପରିଚ୍ଛନ୍ନ ରହୁଥିଲା । ସେ ତାଙ୍କର କଲମଦୁଆତ, ପେନ୍‍ସିଲ, କାଗଜ ପ୍ରଭୃତିକୁ ଅତି ଯତ୍ନରେ ସଜାଇ ରଖୁଥିଲେ । ଏପରିକି ସେ ତାଙ୍କ ମୁଣ୍ଡର ଅଯତ୍ନ କେଶରାଶିକୁ ମଧ୍ୟ ବେଶ୍ ସଜାଇ ରଖୁଥିଲେ । ସେ ତାଙ୍କର ପ୍ରସିଦ୍ଧ କବିତା ‘Song of the Falcon’ କିରାସିନୀ ଦୀପ ଆଲୁଅରେ ଲେଖିଥିଲେ । କବିତାଟିର ଧ୍ଵନ୍ୟାତ୍ମକ ଅର୍ଥ ନିଶ୍ଚୟ ବିଦ୍ରୋହ ଓ ବିପ୍ଳବକୁ ବୁଝାଉଥିଲା । ସେଥିପାଇଁ ଶ୍ରମିକମାନଙ୍କଦ୍ଵାରା ଏହି ରଚନା ଖୁବ୍ ଆଦୃତ ହୋଇଥିଲା । ସେମାନେ ହାତେ ହାତେ କବିତାର ନକଲ କରିନେଇଥିଲେ ଏବଂ ସର୍ବତ୍ର ଲୋକମୁଖରେ ସେହି କବିତାର ପ୍ରଚାର ହୋଇଥିଲା । ସେତେବେଳେ ସରକାରୀ କର୍ମଚାରୀମାନେ ଏହାର ପ୍ରକାଶନ ପାଇଁ କିପରି ଯେ ଅନୁମତି ଦେଇଥିଲେ, ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ଗର୍କୀ ଯେତେବେଳେ ଯେଉଁ କାମ ହାତକୁ ନେଉଥିଲେ, ତାକୁ ମନପ୍ରାଣ ଦେଇ ଶେଷ କରୁଥିଲେ । କେତେବେଳେ ମୁଣ୍ଡରେ ବୋଝ ବୋହିବା, କେତେବେଳେ ପଥର ହାଣିବା, କେତେବେଳେ ରାସ୍ତା ମରାମତି କରିବା, ମାଛ ଧରିବାଠାରୁ ଲୁଣ ମାରିବା ପର୍ଯ୍ୟନ୍ତ ଏପରିକି ଦିନେଦିନେ ଭୋକ ଉପାସରେ ୧୫ଘଣ୍ଟା ଧରି କାର୍ଯ୍ୟ କରିବାରେ ଗର୍କୀ ଧୁରନ୍ଧର ଥିଲେ । ଆଉ ମଧ୍ୟ ବିଶ୍ରାମ ସମୟରେ ବହି ପଢ଼ିବା ତାଙ୍କର ଏକ ପ୍ରଧାନ ଅଭ୍ୟାସ ଥିଲା-। ପ୍ରତିଦିନ ସନ୍ଧ୍ୟାରେ କୁଲି ମଜୁରିଆ ଶ୍ରେଣୀର ଲୋକଙ୍କ ସହିତ ନାନାଦି ଆଲୋଚନା କରୁଥିଲେ-। ବହି ପଢ଼ିବା, ଦେଶର ଶାସନ ବିଷୟରେ ଆଲୋଚନା କରିବା ଥିଲା ତାଙ୍କର ପ୍ରଧାନ ଲକ୍ଷ୍ୟ-। ଫଳରେ ତାଙ୍କ ଉପରେ ଶାସକଗୋଷ୍ଠୀର ବିଷଦୃଷ୍ଟି ପଡ଼ିଥିଲା । ତାଙ୍କ ବସାଘର ବହୁବାର ତଦନ୍ତ କରାଯାଇଥିଲା ।

 

ଗର୍କୀଙ୍କର ପ୍ରଥମ ଲେଖା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସୁଦୂର ସାଇବେରିଆଠାରୁ ଆରମ୍ଭ କରି ରୁଷିଆର ପ୍ରତ୍ୟେକ ଅଂଚଳରେ ତାଙ୍କ ରଚନା ଜାଗରଣ ସୃଷ୍ଟି କରିଥିଲା । ତାଙ୍କ ରଚନାରେ ବିଶେଷତଃ ବିପ୍ଲବାତ୍ମକ ଆଭିମୁଖ୍ୟ ପରିସ୍ଫୁଟ ହେଉଥିଲା । ସେଥିପାଇଁ ସେତେବେଳେ ଶ୍ରମିକମାନେ ତାହା ପଢ଼ୁଥିଲେ, ସେମାନେ ଆନନ୍ଦରେ ନାଚିଉଠୁଥିଲେ, ସତେ ଯେପରି ତାଙ୍କର ହୃଦୟବ୍ୟଥା ଓ ସେମାନଙ୍କ ଜୀବନର ଅଭିଜ୍ଞତା ଫଟୋଗ୍ରାଫି ସାହାଯ୍ୟରେ କିଏ ଅଙ୍କିତ କରିଦେଉଥିଲା । ଗର୍କୀଙ୍କର ଗଳ୍ପସମୂହରେ ସମୁଦ୍ରର ଗର୍ଜନ, ସୂର୍ଯ୍ୟର ଉତ୍ତାପ ଅନୁଭୂତ ହେଉଥିଲା । ଭବିଷ୍ୟତ ଶ୍ରମିକ ବିଜୟର ସଂକେତ ସତେଅବା ସେହି ରଚନାରେ ଉଜ୍ଜ୍ୱଳ ହୋଇଉଠୁଥିଲା । ସେଥିପାଇଁ ରାଜନୈତିକ ନିର୍ବାସିତ ବ୍ୟକ୍ତିମାନେ ଗର୍କୀଙ୍କର ଗଳ୍ପ ପଢ଼ି ସାଇବେରିଆର ଦାରୁଣ ଶୀତ କଷ୍ଟ ଭୁଲି ଯାଉଥିଲେ । ଶୀତଦଗ୍ଧ ରାତ୍ରିରେ କୁକୁରମାନେ ଯେତେବେଳେ ବିକଳ ହୋଇ ଚିତ୍କାର କରୁଥିଲେ, ରାଜନୈତିକ ବନ୍ଦୀମାନେ ସେତେବେଳେ ଗର୍କୀଙ୍କ ଗଳ୍ପ ପଢ଼ି ନିଜକୁ ଶୀତରୁ ରକ୍ଷା କରୁଥିଲେ । ତାଙ୍କର ପ୍ରତ୍ୟେକ ଗଳ୍ପରେ ଏକ ଉଦାର ହୃଦୟର କରୁଣ ଓ ଦରଦ ପ୍ରକାଶ ପାଇଥିଲା ।

 

ଗର୍କୀଙ୍କର ଜୀବନ ଓ ତାଙ୍କର ରଚନାସମୂହ ଇତିହାସରେ ଜନସାଧାରଣଙ୍କର ଜୟଯାତ୍ରାର ଉତ୍ଥାନ ପତନ ସହିତ ଗଭୀର ଭିତରେ ଜଡ଼ିତ ବୋଲି କୁହାଯାଇପାରେ । ଇତିହାସରେ ବ୍ୟକ୍ତିଦ୍ଵାରା ସାଂସ୍କୃତିକ ସମନ୍ୱୟ ସାଧନ, ଜୀବନର ଏକ ନୂତନ ମୂଲ୍ୟବୋଧ, ବିଶେଷତଃ ସମାଜବାଦର ସ୍ଵପ୍ନ, ଏହା ହିଁ ଗର୍କୀଙ୍କର ସାହିତ୍ୟିକ ଜୀବନର ଭିତ୍ତି ଥିଲା । ସମୟର ପରିବର୍ତ୍ତନ ଓ ନୂତନ ପରିପ୍ରେକ୍ଷୀରେ ଚିନ୍ତା କରିବା ଗର୍କୀଙ୍କର ଥିଲା ମୌଳିକତା । ୧୮୯୧-୯୨ ସମୟର ଘଟଣାବଳୀ ରୁଷିଆର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ତାହା ହେଉଛି ସେହି ସମୟରେ ରୁଷିଆରେ ଦେଖାଦେଇଥିବା ଭୟଙ୍କର ଦୁର୍ଭିକ୍ଷ । ହଜାର ହଜାର ନରନାରୀ ସେହି ଦୁର୍ଭିକ୍ଷର କରାଳ କବଳରେ ପ୍ରାଣ ହରାଇଥିଲେ ।

 

ସମଗ୍ର ରୁଷିଆର ପ୍ରାଣଗ୍ରନ୍ଥି ଯେପରି ଛିନ୍ନଭିନ୍ନ ହୋଇଯାଇଥିଲା । ଏହି ଜାତୀୟ ସଂକଟ ବେଳେ ଟଲଷ୍ଟୟ, ଚେକଭଙ୍କ ସଦୃଶ ଶକ୍ତିଶାଳୀ ଲେଖକମାନେ ସମଗ୍ର ଦେଶବାସୀଙ୍କୁ ଜାଗ୍ରତ କରାଇ ରଚନାମାନ ଲେଖିଥିଲେ । ଗର୍କୀ ବରାବର ସ୍ୱୀକାର କରିଥିଲେ ଯେ ଟଲଷ୍ଟୟ ଓ ଚେକଭଙ୍କର ସମସାମୟିକ ହେବା ଏକ ଭାଗ୍ୟର କଥା । ସେ ୧୯୦୦ ମସିହା ଜାନୁଆରୀ ମାସରେ ମସ୍କୋଠାରେ ୭୨ବର୍ଷ ବୟସ୍କ ପ୍ରସିଦ୍ଧ ଲେଖକ ଟଲଷ୍ଟୟଙ୍କୁ ଭେଟିଥିଲେ । ସେ ସେତେବେଳେ ଲେଖିଥିଲେ, “To meet Tolstoy is very important and very useful ।” ଟଲଷ୍ଟୟଙ୍କୁ ସାକ୍ଷାତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୁବ୍ ଦରକାରୀ ମଧ୍ୟ । ଚେକଭଙ୍କ ନିକଟକୁ ଗର୍କୀ ଟଲଷ୍ଟୟଙ୍କ ସମ୍ପର୍କରେ ଲେଖିଥିଲେ, “You look at him and it is so good to think that you too are aman, and that man can react the statue of a ‘Leo Tolstoy’” । ଏହି ବିଦ୍ରୋହୀ ଓ ମାନବବାଦୀ ଲେଖକଙ୍କ ସମ୍ପର୍କରେ ଟଲଷ୍ଟୟ ଯାହା ଭାବୁଥିଲେ, ତାହା ଅତି ଚମତ୍କାର ।

 

“Gorky called, spoke very well, I liked him. A real man from the midst of the people”.

 

“ଗର୍କୀ ଆସିଲେ, ଚମତ୍କାର କଥା କହିଲେ, ସେ ମୋତେ ଖୁବ୍ ଭଲଲାଗିଲେ, ଜନସାଧାରଣଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରକୃତ ପ୍ରତିନିଧି ।”

 

“Song of the Stormy petrel” ତାଙ୍କର ଏକ ବିଦ୍ରୋହାତ୍ମକ ରଚନା । ସେହି ରଚନାର ପ୍ରକାଶକାଳ ହେଉଛି ଏପ୍ରିଲ୍ ୧୯୨୧ ମସିହା । ଲେଖା ପ୍ରକାଶନ ସହିତ ଗର୍କୀଙ୍କର ଘର ପୋଲିସ ଖାନ୍‍ତଲାସ କରିଥିଲେ । ପୋଲିସର ସଂଖ୍ୟାଧିକ ପ୍ରଶ୍ନର ଗର୍କୀ ଏକମାତ୍ର ଉତ୍ତର ଦେଇଥିଲେ-ତାହା ହେଉଛି, ‘You may open all the doors’ । ଗର୍କୀ ପୋଲିସଦ୍ୱାରା ଗିରଫ ହେଲେ । ଏହାଫଳରେ ଦେଶର ପ୍ରଗତିଶୀଳ ଯୁବଶକ୍ତି ମନରେ ନିଆଁ ଜଳିଉଠିଲା । ଗର୍କୀଙ୍କୁ ପୋଲିସର କଡ଼ା ପହରାରେ ଚଳିବାକୁ ପଡ଼ିଥିଲା । ଏପରି ରାଜନୈତିକ କଟକଣା ମଧ୍ୟରେ ଗର୍କୀ ତାଙ୍କର ନାଟକ ଫିଲିଷ୍ଟିନ୍ (Philistines) ଲେଖିଥିଲେ । ଏହା ମାର୍ଚ୍ଚ ୨୬ ତାରିଖ ୧୯୦୨ରେ ମଞ୍ଚରେ ଅଭିନୀତ ହୋଇଥିଲା । ନାଟକଟି ସଂଗ୍ରାମ ଓ ସ୍ଵାଧୀନତାର ଅଭିବ୍ୟକ୍ତିରେ ପରିପୂର୍ଣ୍ଣ ହୋଇଥିଲା । ଏହାର ପରବର୍ତ୍ତୀ ରଚନା ହେଉଛି ଆଉ ଖଣ୍ଡିଏ ନାଟକ ‘ଲୋଅର୍ ଡେଫ୍‍ଥ’ (Lower Depth) । ଡିସେମ୍ବର ମାସ ୧୯୦୨ ମସିହା ୧୮ ତାରିଖରେ ଏହାର ଅଭିନୟ ହୋଇଥିଲା । ଏହି ନାଟକ ବିଶ୍ୱବିଖ୍ୟାତ । ଚରିତ୍ରଚିତ୍ରଣ, ଶ୍ରମିକସମାଜର ଅଧ୍ୟୟନ ତଥା ବୈପ୍ଳବିକ ଦୃଷ୍ଟିକୋଣ ଏହି ନାଟକର ସଫଳତାର କାରଣ । ‘ଆନା’ ଏହି ନାଟକରେ ଏକ ଶୀର୍ଷ ଚରିତ୍ର, ଯାହାର ମୃତ୍ୟୁ ବିଶ୍ୱ ଜନତାର ଆଖିରୁ ଲୁହ ନିଗାଡ଼ି ପାରିଛି । ସେହିପରି ତାଙ୍କର ଏନିମିସ୍ (Enemies) ନାଟକରେ ପେଲ୍‍ବା ନାମକ ଏକ ମହିଳା ଚରିତ୍ର ଶ୍ରମିକ ସମାଜ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ସରକାର ଏହି ନାଟକକୁ ବାଜ୍ୟାପ୍ତ କରିଦେଇଥିଲେ । ତାଙ୍କର ‘ସମର ଫୋକ୍’ ନାଟକରେ ଗର୍କୀ ପ୍ରମାଣ କରିଦେଇଥିଲେ ଯେ ଶିକ୍ଷିତଶ୍ରେଣୀ ସମାଜର ଗୋଟିଏ ବ୍ୟର୍ଥ ଅଙ୍ଗ । ସେମାନେ ଯଥାର୍ଥରେ ସ୍ୱାର୍ଥପର ଗୋଷ୍ଠୀ ।

 

ତାଙ୍କର ଏକ ନାଟକରେ ସେହିପରି ଶିକ୍ଷିତଗୋଷ୍ଠୀ ଉପହସିତ ହୋଇଛନ୍ତି । ତାଙ୍କର ପ୍ରଥମ ନାଟକ ହେଉଛି ‘ଦି ସଗ ସିଟିଜେନ୍’ । ଏହି ନାଟକରେ ନାଟକର ପରିକଳ୍ପନା ପରଂପରାର ସଂପୂର୍ଣ୍ଣ ବିରୋଧ କରିଥିଲା । ଯଥାର୍ଥରେ ସମାଜ ପକ୍ଷରେ ଶିକ୍ଷିତଶ୍ରେଣୀ ଅପେକ୍ଷା କୃଷକ ଓ ଶ୍ରମିକଶ୍ରେଣୀର ସ୍ଥାନ ଅତି ଉଚ୍ଚରେ, ଏହା ପ୍ରଦର୍ଶିତ ହୋଇଥିଲା । ଶିକ୍ଷିତଶ୍ରେଣୀଙ୍କର ବଞ୍ଚି ରହିବାର ମୂଳରେ ରହିଛି ଶ୍ରମିକଶ୍ରେଣୀର ଐତିହାସିକ ତ୍ୟାଗ । ଜଣେ ଚାଷୀ ମୂର୍ଖ ହୋଇପାରେ; କିନ୍ତୁ ତା’ର ଲୁହ ଓ ଲହୁରେ ଧରିତ୍ରୀ ଶସ୍ୟଶ୍ୟାମଳା ହୁଏ । ଧରିତ୍ରୀମାତାର ଏହି ଦାନ ପ୍ରାଣୀର ଜୀବନୀଶକ୍ତିକୁ ଜାଗ୍ରତ କରାଏ । ବିଶ୍ୱର ଏହି ସାର୍ବଜନୀନ ଅଭିନୟରେ କୃଷକ ଓ ଶ୍ରମିକର ସ୍ଥାନ ପ୍ରଥମ, ଏହା ସ୍ଵୀକାର୍ଯ୍ୟ । ଠିକ୍ ସେହିପରି ତାଙ୍କ ନାଟକ ‘Children of the Song’ ନାଟକରେ ଶିକ୍ଷିତ ଓ ଶ୍ରମିକଶ୍ରେଣୀ ମଧ୍ୟରେ ଥିବା ବ୍ୟବଧାନ ଲୋପ ପାଇଁ ନାଟ୍ୟକାର ପରିକଳ୍ପନା କରିଛନ୍ତି । ଗର୍କୀଙ୍କ ଲେଖାର ପ୍ରଭାବ ଜନସାଧାରଣଙ୍କ ଉପରେ ବହୁ ଭାବରେ ପଡ଼ିଥିଲା । କେବଳ ସୋଭିଏତ୍ ସମାଜ ନୁହେଁ, ସମଗ୍ର ବିଶ୍ୱବାସୀ ତାଙ୍କର ସାହିତ୍ୟିକ ରଚନାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସଂକ୍ଷେପରେ କହିବାକୁ ଗଲେ ନିଷ୍ଠୁର ଓ ସ୍ଵେଚ୍ଛାଚାରୀ ଜାର ଶାସନ ବିରୁଦ୍ଧରେ ତାଙ୍କର ଲେଖନୀ ସଂଗ୍ରାମ ଚଳାଇଥିଲା । ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘ମା’ (Mother) ଶ୍ରମିକ ସଂଗ୍ରାମର ଏକ ଅମ୍ଳାନ ଦଲିଲ । ‘ମା’ ଉପନ୍ୟାସର ପାଣ୍ଡୁଲିପି ପଢ଼ି ଲେନିନ୍ ମୁକ୍ତକଣ୍ଠରେ ପ୍ରଶଂସା କରିଥିଲେ । ବିପ୍ଳବୀ ଯୁବଶକ୍ତିକୁ ଜାଗ୍ରତ କରାଇବାରେ ଗର୍କୀଙ୍କର ପ୍ରତ୍ୟେକ କୃତି ଦାୟୀ । ଲେନିନ୍ ସେଥିପାଇଁ ଗର୍କୀଙ୍କୁ ଖୁବ୍ ଭଲପାଉଥିଲେ । ଲେନିନ୍‍ଙ୍କର ଭଉଣୀ ମ୍ୟାରିଆ ସେଥିପାଇଁ କହିଥିଲେ, ଲେନିନ୍ ଭଲପାଇବା ଲୋକଙ୍କ ସଂଖ୍ୟା ଖୁବ୍ କମ ଏବଂ ସେଥି ମଧ୍ୟରେ ଗର୍କୀଙ୍କ ନାମ ସର୍ବପ୍ରଥମେ ଶୁଣାଯାଏ । ଅକ୍ଟୋବର ମାସ ୧୯୧୭ ମସିହାରେ ସମବେତ ଜନତାକୁ ଉଦବୋଧନ ଦେଇ ଗର୍କୀ କହିଥିଲେ, “We have laid the foundations of new history” । ଆମ୍ଭେମାନେ ନୂତନ ଇତିହାସର ଭିତ୍ତି ସ୍ଥାପନ କରିଅଛେ । ଗର୍କୀ ମାନବବାଦୀ ଥିଲେ । ଶ୍ରମିକସମାଜ ତାଙ୍କ ଦୃଷ୍ଟିରେ ଗୌରବର ସ୍ଥାନ ଅଧିକାର କରିଥିଲା । କେତେବେଳେ ଜେଲ୍, କେତେବେଳେ ନିର୍ବାସନ, କେତେବେଳେ underground–ଏହିପରି ଭୀଷଣ ରାଜନୈତିକ ପରୀକ୍ଷା ଭିତରେ ଯାହାଙ୍କର ଜୀବନ ଅତିବାହିତ ହୋଇଥିଲା, ସେହି ବିଶ୍ୱବିଶ୍ରୁତ ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାରଙ୍କର ସାହିତ୍ୟ ସାଧନାର ମୂଳମନ୍ତ୍ର ଥିଲା ମାନବିକତା । ସେ ଏକ ନୂତନ ଜୀବନର ସ୍ୱପ୍ନ ଦେଖିଥିଲେ । କେବଳ ସୋଭିଏତ୍ ସମାଜ ପାଇଁ ନୁହେଁ, ସମଗ୍ର ପୃଥିବୀ ପାଇଁ ସେ ସଂଗ୍ରାମ କରିଥିଲେ । ଏହିସବୁ ସଂଗ୍ରାମ ସ୍ୱପ୍ନର ଏକମାତ୍ର ପ୍ରେରଣା ଥିଲା ମଣିଷ । ସେଥିପାଇଁ ତାଙ୍କର ଆଜି ଶତବାର୍ଷିକୀ ପାଳିତ ହେଉଥିଲାବେଳେ ତାଙ୍କରି ଉକ୍ତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଇଚ୍ଛାହୁଏ । ଏହା ହେଉଛି, “How proud the world-sings-Man” । ଗର୍କୀ କହିଥିଲେ, ରକ୍ତର ସମୁଦ୍ରରେ କେହି କେବେ ସତ୍ୟକୁ ଲୁକ୍କାୟିତ କରିନପାରେ । “They will not drown truth with seas of blood” । ଜୁନ୍ ୧୮ ତାରିଖ ୧୯୩୬ ମସିହା ଦିନ ଏହି ପ୍ରସିଦ୍ଧ ବିପ୍ଳବୀଙ୍କର ଜୀବନାବସାନ ଘଟିଥିଲା । ଭାରତୀୟ ସ୍ଵାଧିନତା ଆନ୍ଦୋଳନକୁ ଲକ୍ଷ୍ୟକରି ସେହି ମହାନ୍ ଲେଖକ ଦିନେ ଲେଖିଥିଲେ, “Voice can be heard in India ever more after, convincingly propagandizing that the time has come when the Indians must take social and political work into their own.”

 

ଉପର୍ଯ୍ୟୁକ୍ତ ଆଲୋଚନାର ପୃଷ୍ଠଭୂମିରେ ଏହି ଦୁଇ ଚିନ୍ତାଶୀଳ ସାହିତ୍ୟିକଙ୍କର ପତ୍ରାବଳୀର ମାନବିକ ମୂଲ୍ୟ ତଥା ବୌଦ୍ଧିକ ଯଥାର୍ଥତା ବର୍ତ୍ତମାନ ଯୁଗରେ ସମଧିକ ଭାବରେ ଅନୁଭୂତ ହୁଏ । ବିଶେଷତଃ ଯୁଦ୍ଧଖୋର, ହିଂସାମତ୍ତ, ସାମ୍ରାଜ୍ୟବାଦୀ ଶକ୍ତିର ଲେଲିହାନ ଶିଖା ଜଳିଉଠିଥିବା ବେଳେ ଏବଂ ଯୁଦ୍ଧଖୋରମାନଙ୍କ ଧମକରେ ପୃଥିବୀର ଶାନ୍ତି ଓ ନିରାପତ୍ତା ବିପନ୍ନ ହେବା ସମୟରେ ଏହି ମାନବିକ ଆବେଦନପୂର୍ଣ୍ଣ ପତ୍ରଲିପିଗୁଡ଼ିକର ଆବଶ୍ୟକତା ସବୁଠାରୁ ଅଧିକ-। ସମଗ୍ର ଶାନ୍ତିକାମୀ ବିଶ୍ଵଜନତା ପକ୍ଷରେ ଏହି ପତ୍ରାବଳୀର ମୂଲ୍ୟ ସର୍ବଦା ସ୍ଵୀକୃତ । ଶାନ୍ତି ଏବଂ ବିଶ୍ଵମୈତ୍ରୀର ସମ୍ଭାବନାକୁ ଆହୁରି ଦୃଢ଼ ଏବଂ ଉଜ୍ଜ୍ୱଳ କରିବା ଉଦ୍ଦେଶ୍ୟରେ ଏହି ଐତିହାସିକ ପତ୍ରାବଳୀର ସଙ୍କଳନ କରାଯାଇଛି ।

 

ଲେଖକ

୧୫ । ୮ । ୭୨

✽✽✽

 

ଭାରତୀୟ ଆତ୍ମାର ଆବିଷ୍କାର

 

୧୯୭୧ ମସିହାରେ ଜଣେ ସାମ୍ବାଦିକ ଗାନ୍ଧିଙ୍କୁ ଯେତେବେଳେ ପ୍ରଶ୍ନ କରିଥିଲେ, “ଟଲଷ୍ଟୟଙ୍କ ସହିତ ଆପଣଙ୍କର ସମ୍ପର୍କ କ’ଣ ?” ଗାନ୍ଧି ସେତେବେଳେ ତାଙ୍କ ପତ୍ରିକା ମାଧ୍ୟମରେ ଉତ୍ତର ଦେଇଥିଲେ-‘They are of a devoted admirer who owes him much in his life.” (ତାହା ହେଉଛି ଜଣେ ଏକାନ୍ତ ଅନୁଗତର ସମ୍ପର୍କ, ଯେ କି ଜୀବନରେ ତାଙ୍କ ନିକଟରେ ଗଭୀର ଭାବରେ କୃତଜ୍ଞ ।)

 

ସେହି ଉଭୟ ମହାପୁରୁଷଙ୍କ ମଧ୍ୟରେ ଥିବା ସମ୍ପର୍କର ପୃଷ୍ଠଭୂମିରେ ଦୁଇଟି ହୃଦୟର ତଥା ଦୁଇଟି ଦେଶର ଯେଉଁ ଆଧ୍ୟାତ୍ମିକ ମିଳନ ଘଟିଥିଲା, ତାହାର ଅତିକ୍ରମ କରି ଚେତନାର ଚକ୍ରବାକରେ ଟଲଷ୍ଟୟ ଆଉ ଗାନ୍ଧିଙ୍କର ଯେଉଁ ଦିବ୍ୟରୂପ ପ୍ରକଟିତ ହୋଇପାରିଛି, ଯୁଗ ଯୁଗ ଧରି ତାହା ଜନସମାଜକୁ ଆକୃଷ୍ଟ ଓ ପ୍ରଭାବିତ କରୁଥିବ । ସେମାନଙ୍କ ମଧ୍ୟରେ ବିନିମୟ ହୋଇଥିବା ପତ୍ରଗୁଡ଼ିକ କେବଳ ସାହିତ୍ୟିକ ଦୃଷ୍ଟିରେ ନୁହେଁ, ମାନବସମାଜର ଏକ ମୂଲ୍ୟବାନ୍ ଦଲିଲ ଭାବରେ ଗୃହୀତ ହୋଇପାରେ । ସତ୍ୟ, ଶାନ୍ତି ତଥା ମୁକ୍ତିର ତାହା ଯେପରି ଉଚ୍ଚାରିତ ମନ୍ତ୍ରମାଳା । ଟଲଷ୍ଟୟ ଓ ଗାନ୍ଧିଙ୍କ ମଧ୍ୟରେ ଯେଉଁ ପତ୍ର ବିନିମୟ ହୋଇଥିଲା, ତାହାର ପୃଷ୍ଠଭୂମିରେ ଥିଲା ଭାରତକୁ ଉତ୍ତମରୂପେ ଚିହ୍ନିବା ପାଇଁ ଟଲଷ୍ଟୟଙ୍କର ଆନ୍ତରିକତା ।

 

ୟାସନାୟା ପଲିଆନାଠାରୁ ଟଲଷ୍ଟୟ “ଜଣେ ଭାରତୀୟଙ୍କୁ କିମ୍ବା ଜଣେ ହିନ୍ଦୁଙ୍କୁ (Letter to a Hindu) ପତ୍ର” ଶୀର୍ଷକ ଯେଉଁ ଚିଠି ଲେଖିଥିଲେ ତାହା ୧୯୦୮ ମସିହାର କଥା । ସେହି ଚିଠିର ମର୍ମ ବିଶ୍ଳେଷଣ ନିମ୍ନପ୍ରକାରେ କରାଯାଇପାରେ ।

 

ସେଥିରେ ସେ ଈଶ୍ୱର, ଧର୍ମ, ବିଶ୍ୱାସ ଆଜି ବିଭିନ୍ନ ମତବାଦର ଅବତାରଣା କରିଥିଲେ-। ପରାଧୀନ ଭାରତର ଦୁରବସ୍ଥା ଭାରତ ପ୍ରତି ତାଙ୍କ ମନରେ ସୃଷ୍ଟି କରିଥିଲା ପ୍ରକୃତ ସହାନୁଭୂତି-। ସେ ଭାରତର ପ୍ରାଚୀନ ଐତିହ୍ୟ, ପରମ୍ପରା ତଥା ବୈଦିକ ହିନ୍ଦୁ ସଭ୍ୟତାର ବିଚାର ଓ ତାତ୍ତ୍ୱିକ ଆଲୋଚନା କରିଥିଲେ । ସେ ଲେଖିଥିଲେ-

 

“If the Hindus have been enslaved by violence, it is because they themselves have lived and continue to live by violence and fail to recognise the eternal law of love inherent in humanity. Pitiful and ignorant is the man who seeks what he has already got, but is unaware that he has it. Yes pitiful and ignorant is the man who does not know the bliss of that love which surrounds him which I gave him. (Krishna)

 

If man only lives in accord with the law of love, which includes non-resistance, which has already been revealed to him and is natural to his heart, and hence does not participate in any form of violence, not only will hundreds enslave millions, but even millions will be unable to enslave one individual. Do not resist evil, but also do not participate in evil yourselves, in the violent deeds of the administration of the law courts of the collection of taxes, and, what is most important, of the soldiers. Then no one in the whole world can enslave you”

 

“ହିନ୍ଦୁମାନେ ଯେବେ ହିଂସାଦ୍ଵାରା ପଦାନତ ହୋଇଥାଆନ୍ତି ଏହାର କାରଣ ସେମାନେ ନିଜେ ବଞ୍ଚିଛନ୍ତି ଏବଂ ହିଂସାଦ୍ଵାରା ବଞ୍ଚି ଚାଲିଛନ୍ତି ଓ ମାନବସମାଜ ମଧ୍ୟରେ ନିହିତ ସାର୍ବଜନୀନ ନିୟମ ସେମାନେ ଉପଲବ୍‍ଧି କରିବାରେ ଅକ୍ଷମ ।

 

ଯେଉଁ ବ୍ୟକ୍ତି ଈପ୍‍ସିତବସ୍ତୁ ପ୍ରାପ୍ତ ହୋଇଅଛି ସେ ଯଦି ପୁଣି ପାଇବା ପାଇଁ ଅନ୍ୱେଷଣ କରେ, ତାହାହେଲେ ସେ ହେଉଛି ଦୟନୀୟ ଓ ଅଜ୍ଞ । ସେ ନିଜେ ନିଜ ସମ୍ପର୍କରେ ଅବହିତ ନୁହେଁ-। ଠିକ୍ ସେହିପରି ଈଶ୍ୱରଦତ୍ତ ପ୍ରେମ ଓ ତା’ର ମହିମା ଯେଉଁ ବ୍ୟକ୍ତି ଉପଲବ୍‍ଧି କରେ ନାହିଁ, ସେ ମଧ୍ୟ ଦୟନୀୟ ଓ ଅଜ୍ଞ ।

 

ମଣିଷ ଯେବେ ପ୍ରେମର ନିର୍ଦ୍ଦେଶ ଅନୁଯାୟୀ ଚଳେ, ଯାହାକି ଅସହଯୋଗର ନାମାନ୍ତର, ଏହା ତାହା ପକ୍ଷେ ଅତ୍ୟନ୍ତ ସ୍ଵାଭାବିକ ଏବଂ ଏହା ତାହା ଜୀବନରେ ପ୍ରତିଫଳିତ । ସେ ଯେତେବେଳେ କୌଣସି ପ୍ରକାର ହିଂସା ଆଚରଣରେ ପ୍ରବୃତ୍ତ ହୁଏ ନାହିଁ ସେତେବେଳେ ମାତ୍ର କେତେ ଶହ ଲୋକ ମିଲିୟନ ଲୋକଙ୍କୁ ପଦାନତ କରିପାରିବେ ନାହିଁ । ଏପରିକି ମିଲିୟନ ମଧ୍ୟ ଜଣେ ବ୍ୟକ୍ତିକୁ ପଦାନତ କରିପାରିବ ନାହିଁ । ଅନ୍ୟାୟର ବିରୋଧ କର ନାହିଁ କି କୌଣସି ଅନ୍ୟାୟ କାର୍ଯ୍ୟରେ ନିଜେ ଲିପ୍ତ ହୁଅ ନାହିଁ, ଯଥା- ଶାସନ, ଅଦାଲତ, ଖଜଣା ଆଦାୟ ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସୈନ୍ୟମାନଙ୍କର ହିଂସାପୂର୍ଣ୍ଣ ଆଚରଣ । ତାହେଲେ ସମଗ୍ର ପୃଥିବୀରେ ତୁମକୁ କେହି ପଦାନତ କରିପାରିବେ ନାହିଁ ।” ପୁନଶ୍ଚ ଭାରତର ଦୁର୍ଗତି ଓ ଦାୟିତ୍ଵ ସମ୍ପର୍କରେ ଟଲଷ୍ଟୟଙ୍କର ଧାରଣା କିପରି ସ୍ପଷ୍ଟ ଓ ନିର୍ଭୀକ ଥିଲା, ତାହା ମଧ୍ୟ ଅନୁଧ୍ୟାନଯୋଗ୍ୟ । ଭବିଷ୍ୟତର ସ୍ଵାଧୀନ ଭାରତ ପ୍ରତି ତାହା ଥିଲା ତାଙ୍କର ଏକ ଦୃଢ଼ ଭବିଷ୍ୟତ ବାଣୀ ।

 

“For the Hindus to complain that the English have enslaved them is like people who are addicted to drink complaining that vendors of wine who have settled in their midst have enslaved.”

 

“ଇଂରେଜମାନେ ସେମାନଙ୍କୁ ପଦାନତ କରିଛନ୍ତି ବୋଲି ହିନ୍ଦୁମାନେ ଅଭିଯୋଗ କରିବାର ଅର୍ଥ ହେଉଛି ମଦ୍ୟପମାନେ ଯେପରି ଅଭିଯୋଗ କରନ୍ତି ଯେ ସେମାନଙ୍କ ମଧ୍ୟରେ ମଦବିକ୍ରେତାମାନେ ରହି ମଦ ବ୍ୟବସାୟ କରୁଛନ୍ତି ଏବଂ ସେମାନଙ୍କୁ ଭୁଲେଇ ରଖିଛନ୍ତି ।”

 

ମଣିଷସମାଜ ପକ୍ଷରେ ଏହି ପରିବର୍ତ୍ତନର ଧାରା ମଧ୍ୟ ଏକ ଅକାଟ୍ୟ ଐତିହାସିକ ପ୍ରଣାଳୀ ବୋଲି ଜାଣିବାକୁ ହେବ । ମଣିଷ ଯେତେବେଳେ ଶୈଶବରୁ ତାରୁଣ୍ୟ, ତାରୁଣ୍ୟରୁ ବାର୍ଦ୍ଧକ୍ୟକୁ ଅଗ୍ରସର ହୁଏ, ସେତେବେଳେ ସେ ଏହି ପରିବର୍ତ୍ତନ ନିୟମର ବଶବର୍ତ୍ତୀ ହୁଏ ନାହିଁ କି-? ଗୋଟାଏ ଯୁଗରେ ଯେଉଁ ଆଦର୍ଶ ଓ ଆକାଂକ୍ଷା ଜୀବନରେ ପ୍ରତିଫଳିତ ହୋଇପାରିଥିଲା, ଅନ୍ୟ ଯୁଗରେ ତାହାର ସଂସ୍କାର ଯେ ସମ୍ଭବ ନୁହେଁ, ତାହା ମଧ୍ୟ କୁହାଯାଇନପାରେ । ମଣିଷ ସମାଜ ଓ ସଭ୍ୟତାରେ ସଂକଟ ଦେଖାଦିଏ ଏବଂ ତାହା ହିଁ ଯଥାର୍ଥରେ ଧୈର୍ଯ୍ୟ ପରୀକ୍ଷାର ସମୟ । ଟଲଷ୍ଟୟ ଏହି ଐତିହାସିକ ଧାରା ବିଶ୍ଳେଷଣ କରି ପତ୍ରରେ ଲେଖିଥିଲେ–

 

“Similar crises must of necessity occur in the ever changing life of humanity and I am of opinion that the time has arrived for such a transition of humanity from one age to another and not in the sense that it has arrived now, (viz 1908) but in the sense that the inherent contradiction of human life, the contradiction between the consciousness of the beneficence of the law of love and the system of life built up on the law of violence, opposed to love, which has produced in humanity the senseless in irritating, anxious life of Martyrdom which has lasted of centuries has in or own time reached an unbearable intensity. The only solution of this contradiction is a recognition of the truth that the law of human life is the law of love cherished by all humanity from the most remote antiquity coupled with the final rejection of the out lived law of violence”.

 

ମଣିଷ ସମାଜର ନିତ୍ୟପରିବର୍ତ୍ତନଶୀଳ ଜୀବନରେ ତାଦୃଶ ସଙ୍କଟ ନିଶ୍ଚିତ ଦେଖାଯିବାର କଥା । ମୋର ବ୍ୟକ୍ତିଗତ ମତ ହେଉଛି, ଯୁଗ କ୍ରମରେ ସମାଜର ସେହି ପରିବର୍ତ୍ତନର ସମୟ ବର୍ତ୍ତମାନ ଉପସ୍ଥିତ । ବର୍ତ୍ତମାନର ଅର୍ଥ ନୁହେଁ ଏବକାଳରେ ଅର୍ଥାତ୍ ୧୯୦୮ ମସିହାରେ । ଏହାର ପ୍ରକୃତ ଆଭ୍ୟନ୍ତରୀଣ ଅର୍ଥ ହେଉଛି ମଣିଷ ଜୀବନର ଅନ୍ତର୍ନିହିତ ବିରୋଧିତାରେ । ଏକ ଦିଗରେ ପ୍ରେମର ଶୃଙ୍ଖଳାଜ୍ଞାନ, ଅନ୍ୟ ଦିଗରେ ହିଂସାର ଆଇନକାନୁନ ଉପରେ ପ୍ରତିଷ୍ଠିତ ଜୀବନପ୍ରଣାଳୀ, ତାହାରି ଚେତନା ଓ ବିରୋଧିତା, ଯାହା କି ଜନସମାଜରେ ଶତାବ୍ଦୀ ଧରି ଚେତନାହୀନ, ବିରକ୍ତିକର ଶହୀଦର ଜୀବନ ସୃଷ୍ଟି କରିପାରିଛି ଏବଂ ସାମ୍ପ୍ରତିକ କାଳରେ ଏକ ଅସହନୀୟ ଜଟିଳତାରେ ପହଞ୍ଚି ପାରିଛି । ଏହି ଆତ୍ମବିରୋଧିତାର ଏକମାତ୍ର ସମାଧାନ ହେଉଛି ସତ୍ୟର ସ୍ଵୀକୃତି, ଅର୍ଥାତ୍ ମଣିଷଜୀବନର ବିଧି ହେଉଛି ପ୍ରେମ ଓ ସୌହାର୍ଦ୍ଦ୍ୟର ବିଧି । ସୁଦୂର ଆଦିମ କାଳରୁ ସମଗ୍ର ମଣିଷ ସମାଜଦ୍ୱାରା ତାହା ବାଞ୍ଛିତ । ହିଂସାର ଅଚଳ ଆଚରଣର ଚରମ ପ୍ରତ୍ୟାଖ୍ୟାନ ସହିତ ଏକା ଜଡ଼ିତ ।

 

“If people would only free their consciousness from those mountains of nonsence which hide from them the indubitable eternal truth inherent in mankind, one and the same in all the great religions of the world. The truth would then reveal itself at once in spite of the man of pseudo religious nonsense which now conceals it. And as soon as this truth is revealed to the consciousness of people all that stupidity which now conceals it, will disappear of its own accord and with it, also that evil from which humanity now suffers. “Children, look upwards with your beclouded eyes and a world full of joy and love will disclose itself to you, a rational world made by my wisdom, the only real world Then you will know what love has done with you, what love has bestowed upon you, what love demands from you.” (Krishna)

 

December 14, 1908

Yasnaya Poliana

 

କେବଳ ମଣିଷସମାଜ ଯେବେ ସେମାନଙ୍କର ବିବେକକୁ ନିର୍ବୋଧତାରୂପକ ପାହାଡ଼ର କବଳକୁ ରକ୍ଷାକରିପାରନ୍ତି, ଯାହାକି ସେମାନଙ୍କ ମଧ୍ୟରେ ନିହିତ ଥିବା ଅକାଟ୍ୟ (indubitable) ସତ୍ୟକୁ ଲୁକ୍କାୟିତ କରି ରଖିଥାଏ, ତାହା ହିଁ ପୃଥିବୀର ପ୍ରତ୍ୟେକ ଧର୍ମର ଏକମାତ୍ର ସତ୍ୟ । ସେତେବେଳେ ତାକୁ ଲୁକ୍କାୟିତ କରି ରଖୁଥିବା ଧର୍ମନ୍ଧତା ଏବଂ ଛଳନା, ନିର୍ବୋଧତା ସତ୍ତ୍ଵେ ସତ୍ୟ ନିଜର ଆତ୍ମପ୍ରକାଶ କରିପାରିବେ । ମଣିଷର ବିବେକ ନିକଟରେ ସତ୍ୟ ଯେପରି ଉଦ୍‍ଘାଟିତ ହେବ, ସମସ୍ତ ପ୍ରକାର ନିର୍ବୋଧତା ଯାହା କି ତାକୁ ଘୋଡ଼ାଇ ରଖିଥାଏ, ତାହା ସ୍ଵଇଛାରେ ଦୂର ହୋଇଯିବ ଏବଂ ତାହା ସଙ୍ଗେ ସଙ୍ଗେ ମଣିଷସମାଜ ବର୍ତ୍ତମାନ ଯେଉଁସବୁ ଅନ୍ୟାୟ ଯୋଗୁଁ ନିର୍ଯ୍ୟାତିତ ତାହା ଦୂର ହୋଇଯିବ ।

 

ଶିଶୁଗଣ, ସ୍ନେହାର୍ଦ୍ର ଚକ୍ଷୁରେ ତୁମେ ସବୁ ଊର୍ଦ୍ଧ୍ୱକୁ ଚାହଁ, ତାହାହେଲେ ଆନନ୍ଦ ଓ ପ୍ରେମର ଏକ ବିରାଟ ବିଶ୍ଵ ତୁମ ନିକଟରେ ଉନ୍ମୋଚିତ ହେବ । ଜ୍ଞାନ ଉପରେ ପ୍ରତିଷ୍ଠିତ ଏକ ପ୍ରଜ୍ଞାଶୀଳ ପୃଥିବୀ, ଏକମାତ୍ର ବାସ୍ତବ ବିଶ୍ଵ । ସେତେବେଳେ ତୁମେ ଜାଣିପାରିବ ପ୍ରେମ ତୁମ ପାଇଁ କ’ଣ ସାଧନା କରିପାରିଛି । ପ୍ରେମ ତୁମ ଉପରେ କି ଆଶୀର୍ବାଦ ଅଜାଡ଼ି ଦେଇଛି ଏବଂ ବିନିମୟରେ ତୁମଠାରୁ ପ୍ରେମ କ’ଣ ଦାବି କରୁଅଛି । (କୃଷ୍ଣ)

 

ଡିସେମ୍ବର ୧୪, ୧୯୦୮

ୟାସନାୟା ପଲିଆନା

 

ଏହିସବୁ ପତ୍ରର ଜଣେ ପାଠକ ଏବଂ ଉତ୍ତରଦାତା ଭାବରେ ଗାନ୍ଧି ସେତେବେଳେ ଗୋଟାଏ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ବୋଲି ଜଣାଯାଏ । ଦକ୍ଷିଣ ଆଫ୍ରିକାରେ ମୁକ୍ତି ସଂଗ୍ରାମରେ ସେ ବ୍ୟାପୃତ ଥିଲେ । ସେ ସେତେବେଳେ ଜଣେ ତରୁଣ ଆଇନଜୀବୀ । ଗାନ୍ଧି ପୂର୍ବରୁ ଟଲଷ୍ଟୟଙ୍କର କେତେକ ରଚନା ମଧ୍ୟ ପାଠ କରିଥିଲେ । ସେଥିମଧ୍ୟରୁ ଟଲଷ୍ଟୟଙ୍କର ଲେଖା “The Kingdom of God is within you” ଗାନ୍ଧିଙ୍କୁ ଅନୁପ୍ରାଣିତ କରିଥିବାର ଜଣାଯାଏ । ଏହା ତାଙ୍କର ମନ ଉପରେ ବିଶେଷ ଛାପ ପକାଇ ପାରିଥିଲା । ସ୍ୱାଧୀନ ଚିନ୍ତା, ଗଭୀର ନୈତିକତା ଓ ସତ୍ୟାନୁରାଗ ଗାନ୍ଧିଙ୍କୁ ଆକୃଷ୍ଟ କରିଥିଲା । ଅକ୍ଟୋବର ପହିଲା ୧୯୦୯ ମସିହାରେ ଗାନ୍ଧି ତାଙ୍କର ସର୍ବପ୍ରଥମ ଚିଠି ଲଣ୍ଡନଠାରୁ ଟଲଷ୍ଟୟଙ୍କୁ ଲେଖିଥିଲେ । ସେତେବେଳେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଓ ସ୍ଥାନୟୀ ଶାସକମାନଙ୍କ ମଧ୍ୟରେ ରୀତିମତ ସଂଗ୍ରାମ ଚାଲିଥିଲା । ଗାନ୍ଧି ସେ କଥା ଟଲଷ୍ଟୟଙ୍କ ଚିଠିରେ ଉଲ୍ଲେଖ କରିଥିଲେ । ଟ୍ରାନ୍ସଭାଲର ଭାରତୀୟମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । “ସେହି ଉପନିବେଶରେ ପ୍ରାୟ ତେର ହଜାର ବ୍ରିଟିଶ ଇଣ୍ଡିଆନ ଥିଲେ । ସେମାନେ ବହୁବର୍ଷ ଧରି ନାନାଦି ଆଇନଗତ ଅସୁବିଧା ଭୋଗ କରୁଥିଲେ । ବର୍ଣ୍ଣବିଦ୍ୱେଷ ସେହି ଉପନିବେଶର ଏକ ଉତ୍କଟ ରୋଗ । ସମଗ୍ର ଏସିଆ ବିରୋଧରେ ଏହା ଏକ ଆକ୍ରମଣ । ତିନିବର୍ଷ ତଳେ ଏକ ସ୍ୱତନ୍ତ୍ର ଆଇନ୍ ପାଶ୍ କରାଯିବା ଫଳରେ ଭାରତୀୟମାନେ ଆହୁରି ଅପମାନିତ ଓ ଘୃଣିତ ହେଉଛନ୍ତି ।

 

ଗାନ୍ଧି ଏପରି ନିନ୍ଦନୀୟ ଆଇନର ବିରୋଧ କରି ପୁଣି ଲେଖିଥିଲେ “ବ୍ରିଟିଶ୍ ଇଣ୍ଡିଆନମାନେ ଏପରି ଆଇନକୁ ବରଦାସ୍ତ କରିବେ ନାହିଁ । ଏଥିପାଇଁ ଜେଲ୍ କିମ୍ବା ଅନ୍ୟାନ୍ୟ ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ହେବା ଉଚିତ । ଏହାଫଳରେ ଭାରତୀୟ ଲୋକସଂଖ୍ୟାର ଅର୍ଦ୍ଧାଂଶ ଯେଉଁମାନେ କି ସଂଗ୍ରାମର ସମ୍ମୁଖୀନ ହୋଇପାରିଲେ ନାହିଁ, ସେମାନେ ଟ୍ରନ୍ସଭାଲରୁ ପଳାୟନ କରିଥିଲେ । ବାକି ଯେଉଁମାନେ ରହିଲେ ସେମାନେ ଏକାଧିକବାର ଜେଲ୍ ବରଣ କରିଥିଲେ । ଏପରିକି ଜଣେ ଜଣେ ପାଞ୍ଚଥର କରି କାରାବରଣ କରିଥିଲେ । କାରାଦଣ୍ଡର ପରିମାଣ ଚାରିଦିନରୁ ଆରମ୍ଭ କରି ୫ ଓ ୬ ମାସ ପର୍ଯ୍ୟନ୍ତ ବ୍ୟାପୃତ ରହୁଥିଲା । ଅଧିକାଂଶ କ୍ଷେତ୍ରରେ ସଶ୍ରମ କାରାଦଣ୍ଡ ମଧ୍ୟ ବିଧାନ କରାଯାଉଥିଲା ।

 

ଅନେକ ବ୍ୟକ୍ତି ଭୀଷଣ ଭାବରେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିଲେ । ବର୍ତ୍ତମାନ ଟ୍ରାନ୍ସଭାଲରେ ଶତାଧିକ ଅହିଂସା ସତ୍ୟାଗ୍ରହୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଦୈନିକ ମୂଲିଆ ଶ୍ରେଣୀର ଅଛନ୍ତି । ସେମାନଙ୍କର ସ୍ତ୍ରୀ ଏବଂ ସନ୍ତାନମାନଙ୍କୁ ଜନସାଧାରଣଙ୍କ ଚାନ୍ଦାରୁ ସାହାଯ୍ୟ କରିବାକୁ ପଡ଼ୁଛି । ଏହି ଚାନ୍ଦା ସତ୍ୟାଗ୍ରହୀମାନଙ୍କଠାରୁ ସଂଗୃହୀତ । ଏହି ପରିସ୍ଥିତିରେ ବ୍ରିଟିଶ ଇଣ୍ଡିଆନମାନେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ସେମାନେ ଅବସ୍ଥା ପ୍ରତି ସଚେତ ଅଛନ୍ତି ବୋଲି ମୋର ଧାରଣା । ଆନ୍ଦୋଳନ ଚାଲିଛି ଏବଂ କେବେ ତାହାର ସମାପ୍ତି ହେବ ତାହା କହିହେବ ନାହିଁ-। ଏତିକି ମାତ୍ର ସାନ୍ତ୍ୱନାର କଥା ଯେ ପଶୁବଳ ନିକଟରେ ଅହିଂସା ପ୍ରତିରୋଧର ଜୟ ସୁନିଶ୍ଚିତ-। ଆମ୍ଭେମାନେ ଲକ୍ଷ୍ୟ କରିପାରିଛୁ ଆନ୍ଦୋଳନ ଯେତିକି ବଢ଼ିଚାଲିଛି ତାହା କେବଳ ଆମର ଦୁର୍ବଳତା ଯୋଗୁଁ; ଅର୍ଥାତ୍ ଆମ୍ଭେମାନେ ବେଶିଦିନ ଦୁଃଖ ନିର୍ଯ୍ୟାତନା ସହ୍ୟ କରିପାରିବୁ ନାହିଁ । ଏହି ଧାରଣା ବ୍ରିଟିଶ ସରକାରଙ୍କ ମନରେ ଜାତ ହୋଇଛି ।

 

ଗାନ୍ଧି ସାରା ପୃଥିବୀରେ ତାଙ୍କର ଅହିଂସା ସତ୍ୟାଗ୍ରହ ଆଦର୍ଶ ବାର୍ତ୍ତା ପ୍ରଚାର କରିଥିଲେ-। ଦଳେ ଭାରତୀୟ ଲୋକ ସେତେବେଳେ ବ୍ରିଟିଶ ସରକାରଙ୍କ ସହିତ ଆଲୋଚନା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି ଅନୁଭବ କରିଥିଲେ ।

 

ଗାନ୍ଧି ଏକ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ଅହିଂସା ପ୍ରତିରୋଧ ସମ୍ପର୍କରେ ଆନ୍ତର୍ଜାତିକ ପ୍ରଚାର କରିବା ପାଇଁ ଚେଷ୍ଟା କରିଥିଲେ । ସେ ବରାବର ଏହି ପ୍ରସଙ୍ଗର ନୈତିକ ଦିଗ ପ୍ରତି ଦୃଷ୍ଟି ଦେଇଥିଲେ ଓ ଏହି ସମ୍ପର୍କରେ ଟଲଷ୍ଟୟଙ୍କର ପରାମର୍ଶ ଲୋଡ଼ିଥିଲେ । ସେ ତାଙ୍କର “ଭାରତୀୟଙ୍କୁ ଚିଠି”ର ଅନୁବାଦ କରି ଦକ୍ଷିଣ ଆଫ୍ରିକାରେ ପ୍ରଚାର କରିବା ପାଇଁ ଅନୁମତି ମାଗିଥିଲେ । ଏହି ବିଶ୍ୱାସ ଭାରତୀୟମାନଙ୍କୁ ଔପନିବେଶିକ କ୍ଷମତା ବିରୋଧରେ ଆନ୍ଦୋଳନ ଚଳାଇବା ପାଇଁ ଅନୁପ୍ରାଣିତ କରିଥିଲା ।

 

ଟଲଷ୍ଟୟ ଏହି ଚିଠି ପାଇବା ପୂର୍ବରୁ ଗାନ୍ଧିଙ୍କ ନାମ ଶୁଣିନଥିଲେ କିମ୍ବା ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ମୌଳିକ ଅଧିକାର ସମ୍ପର୍କୀୟ ଆନ୍ଦୋଳନ କଥା ଜାଣିନଥିଲେ । ଟ୍ରାନ୍ସଭାଲସ୍ଥିତ ଭାରତୀୟମାନଙ୍କର ଲଣ୍ଡନ ସହିତ ଯେଉଁ କଥାବାର୍ତ୍ତା ଚାଲିଥିଲା ସେ ବିଷୟ ମଧ୍ୟ ତାଙ୍କୁ ଜଣାନଥିଲା । ବର୍ତ୍ତମାନ ସୁଦୂର ଟ୍ରାନ୍ସଭାଲରୁ ଜଣେ ଭାରତୀୟର ଏହି ନିବେଦନ ତାଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । ସେ ସଙ୍ଗେ ସଙ୍ଗେ ସେହି ପତ୍ରରୁ ଜଣେ ସମଧର୍ମୀ ବ୍ୟକ୍ତିଙ୍କର ଆଧ୍ୟାତ୍ମିକ ସାନ୍ନିଧ୍ୟ ଲାଭ କରିଥିଲେ ।

 

ସେ ସଙ୍ଗେ ସଙ୍ଗେ ତାଙ୍କ ଡାଇରୀରେ (୨୪-୯-୧୯୦୯) ମଧ୍ୟ ଉଲ୍ଲେଖ କରିଥିଲେ । କେତେଦିନ ପରେ ସେ ଏହି କଥା ତାଙ୍କର ଶିଷ୍ୟ ଚେରତ୍‍କଭଙ୍କୁ ମଧ୍ୟ ଲେଖିଥିଲେ । “ଟ୍ରାନ୍ସଭାଲର ଜଣେ ହିନ୍ଦୁଙ୍କ ଚିଠି ମୋତେ ଖୁବ୍ ଅଭିଭୂତ କରିଦେଇଛି ।” ସେପ୍ଟେମ୍ବର ୨୭ ତାରିଖ ଦିନ ସେ ଗାନ୍ଧିଙ୍କୁ ତାଙ୍କର ସମବେଦନା ପ୍ରକାଶ କରି ପତ୍ର ଦେଇଥିଲେ । ସେ ସେଥିରେ ଭାରତୀୟମାନଙ୍କର ମୌଳିକ ଅଧିକାର ସମ୍ପର୍କୀୟ ଆନ୍ଦୋଳନର ସଫଳତା କାମନା କରିଥିଲେ । “ମୁଁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଚିଠି ଖଣ୍ଡିକ ପାଇଅଛି, ସେଥିପାଇଁ ମୁଁ ବିଶେଷ ଆନନ୍ଦିତ । ଭଗବାନ ଟ୍ରାନ୍ସଭାଲର ଭାଇ ଓ ଭଉଣୀମାନଙ୍କୁ ଶକ୍ତି ଦିଅନ୍ତୁ । ଆମ୍ଭମାନଙ୍କ ଜୀବନରେ ମଧ୍ୟ ଶିଷ୍ଟତା, ପ୍ରେମ ଓ ହିଂସା, ପୁନଶ୍ଚ ସଦାଚାର ଓ ପଶୁତ୍ଵ ମଧ୍ୟରେ ବରାବର ସଂଘର୍ଷ ଚାଲିଅଛି । ଧର୍ମ ଆଚରଣ ଓ ରାଜ୍ୟର ଆଇନକାନୁନ ମଧ୍ୟରେ ବରାବର ଦ୍ଵନ୍ଦ୍ଵ ଲାଗିରହିଛି । ସାମରିକ ଶକ୍ତି ବିରୋଧରେ ଆମ୍ଭମାନଙ୍କ ମନରେ ବରାବର ବିଦ୍ରୋହ ଦେଖାଦିଏ ।”

 

ଟଲଷ୍ଟୟ ଗାନ୍ଧିଙ୍କୁ ତାଙ୍କ ପତ୍ରର ଅନୁବାଦ ଓ ପ୍ରଚାର ପାଇଁ ଅନୁମତି ଦେଇଥିଲେ । ସେ ଲେଖିଥିଲେ, “ଭାରତୀୟ ଭାଷାରେ ମୋ ଚିଠି ଅନୂଦିତ ଓ ପ୍ରଚାରିତ ହେବା ମୋ ପକ୍ଷରେ ବଡ଼ ଆନନ୍ଦିତ ବିଷୟ ।” ଠିକ୍ ଗାନ୍ଧି ଯେତେବେଳେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କର ଆଲୋଚନା ସଫଳ ହେବ ନାହିଁ ବୋଲି ଜାଣିପାରିଥିଲେ: ଠିକ୍ ସେତିକିବେଳେ ଟଲଷ୍ଟୟଙ୍କର ଚିଠି ତାଙ୍କର ହସ୍ତଗତ ହୋଇଥିଲା ।

 

ଗାନ୍ଧି ଲଣ୍ଡନରୁ ଟଲଷ୍ଟୟଙ୍କ ପାଖକୁ ପ୍ରତ୍ୟୁତ୍ତର ଦେଇଥିଲେ, “ମୁ ଆପଣଙ୍କର ରେଜିଷ୍ଟର୍ଡ଼ ଚିଠି ପାଇ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କର ସ୍ୱାସ୍ଥ୍ୟଭଙ୍ଗ କଥା ଜାଣି ମୁଁ ଆପଣଙ୍କୁ ବ୍ୟସ୍ତ କରିବାକୁ ଚାହିଁନଥିଲି । ଆପଣ ସୁସ୍ଥ ଅଛନ୍ତି ବୋଲି ଜାଣି ମୁଁ ଆଶ୍ୱସ୍ତ ହେଲି । ମୁଁ ଏଥିସହିତ ମୋ ସମ୍ପର୍କରେ ଜଣେ ଇଂରେଜଙ୍କ ଦ୍ୱାରା ଲିଖିତ ଖଣ୍ଡିଏ ପୁସ୍ତକ ପଠାଉଛି । ମୁଁ ଆପଣଙ୍କର ସ୍ନେହ ଓ ସମବେଦନା ପାଇଁ ବରାବର ଇଚ୍ଛୁକ । ମୋ ମତରେ ଆଧୁନିକ କାଳରେ ଟ୍ରାନ୍ସଭାଲର ଭାରତୀୟମାନଙ୍କ ଆନ୍ଦୋଳନ ସର୍ବାପେକ୍ଷା ବୃହତ୍ତମ ଅନ୍ଦୋଳନ । ଏହାର ଲକ୍ଷ୍ୟହାସଲ ପାଇଁ ଯେଉଁ ଉପାୟ ଅବଲମ୍ବନ କରାଯାଇଛି, ତାହା ହିଁ ଗୁରୁତ୍ଵପୂର୍ଣ୍ଣ । ମୁଁ କୌଣସି ଆନ୍ଦୋଳନ କଥା ଜାଣେ ନାହିଁ, ଯେଉଁଥିରେ ସକ୍ରିୟ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ କୌଣସି ବ୍ୟକ୍ତିଗତ ଲାଭର ଆଶା ନ ରଖି ଅସହ୍ୟ ନିର୍ଯାତନା ବରଣ କରିଛନ୍ତି । ମୁଁ ଏହି ଆନ୍ଦୋଳନ ସମ୍ପର୍କରେ ବିଶେଷ ପ୍ରଚାର କରିପାରି ନାହିଁ । ଆପଣ ବର୍ତ୍ତମାନ ଜଣେ ଶକ୍ତିଶାଳୀ ଚିନ୍ତାଶୀଳ ବ୍ୟକ୍ତି । ଆପଣ ଯଦି ମୋର ପ୍ରଚାରିତ ଆଦର୍ଶବାଦ ଓ ପନ୍ଥାରେ ସନ୍ତୁଷ୍ଟ ହୁଅନ୍ତି ତାହାହେଲେ ଆପଣ ଆପଣଙ୍କର ସହାନୁଭୂତିଦ୍ଵାରା ଏହି ଆନ୍ଦୋଳନକୁ ଲୋକପ୍ରିୟ କରିବା ପାଇଁ ମୋର ଅନୁରୋଧ ।

 

ଏହି ଆନ୍ଦୋଳନ ଯେବେ ସଫଳ ହୁଏ, ତାହାହେଲେ ସମଗ୍ର ପୃଥିବୀରେ ଏହା ହେବ ସତ୍ୟ, ପ୍ରେମ, ନ୍ୟାୟ ଓ ଅଦର୍ଶର ବିଜୟ । ଦଳିତ, ନିର୍ଯ୍ୟାତିତ ଜନସାଧାରଣଙ୍କ ପ୍ରତି ଏହା ହେବ ଏକ ପ୍ରେରଣା । ଆପଣଙ୍କ ଉତ୍ସାହ ଓ ଶୁଭେଚ୍ଛା ଆମ୍ଭମାନଙ୍କୁ କେବଳ ଆହୁରି ଶକ୍ତିଶାଳୀ କରିବ । ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ମିଳାମିଶା ପାଇଁ ଯେଉଁ କଥାବାର୍ତ୍ତା ଚାଲିଥିଲା ତାହା ବ୍ୟର୍ଥ ହୋଇଛି-। ମୁଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ଫେରିଯିବାର କଥା । ମୋର ପୁଅ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେଇଛି ଏବଂ ବର୍ତ୍ତମାନ ଛଅମାସ ପାଇଁ ସଶ୍ରମ ଜେଲଦଣ୍ଡ ଭୋଗ କରୁଛି । ଆନ୍ଦୋଳନରେ ଏହା ତାହାର ଚତୁର୍ଥଥର ଜେଲଦଣ୍ଡ । ଆପଣ ଯଦି ଏହି ଚିଠିର ଉତ୍ତର ଦିଅନ୍ତି ତାହାହେଲେ ଦୟାକରି ଜୁହାନ୍‍ସବର୍ଗ, ଦକ୍ଷିଣ ଆଫ୍ରିକା, ପୋଷ୍ଟବକ୍ସ-୬୫୨୨ ଠିକଣାରେ ଲେଖିବେ । ଆଶା, ଆପଣଙ୍କର ଶାରୀରିକ ସବୁ କୁଶଳ ।

 

ଆପଣଙ୍କର ଅନୁଗତ

ସେବକ

ଏମ୍. କେ. ଗାନ୍ଧି

 

ଟଲଷ୍ଟୟ ଗାନ୍ଧିଙ୍କର ଏହି ଚିଠିର ଉତ୍ତର ଦେଇନଥିଲେ । ସେ କିନ୍ତୁ ଗାନ୍ଧିଙ୍କ ପ୍ରେରିତ ଇଂରେଜ ବହି ଖଣ୍ଡିକ ଆଗ୍ରହରେ ପଢ଼ିଥିଲେ । ଗାନ୍ଧି ପୁଣି ପାଞ୍ଚମାସ ପରେ ଟଲଷ୍ଟୟଙ୍କୁ ତାଙ୍କର ତୃତୀୟ ପତ୍ର ଲେଖିଥିଲେ । ଏଥର ସେ ତାଙ୍କର ଲିଖିତ “ଇଣ୍ଡିଆନ ହୋମ୍ ରୁଲ” ବହିରୁ ଖଣ୍ଡିଏ ମଧ୍ୟ ପଠାଇଥିଲେ । ସେହି ଚିଠିଟି ହେଉଛି, “ମୁଁ କିଛିଦିନ ତଳେ ଲଣ୍ଡନରେ ଥିଲାବେଳେ ଆପଣଙ୍କ ସହିତ ପତ୍ରାଳାପ କରିଥିଲି, ଆପଣଙ୍କର ମନେଥିବ । ଆପଣଙ୍କର ଜଣେ ବିଶ୍ଵସ୍ତ ଅନୁଚର ଭାବରେ ମୁଁ ମୋର ଲିଖିତ ଗୋଟିଏ ପୁସ୍ତକ ଏଥିସହିତ ପଠାଉଛି । ଏହା ମୋର ମୂଳ ଗୁଜରାଟୀ ଲେଖାର ଇଂରାଜୀ ଅନୁବାଦ । ଆଶ୍ଚର୍ଯ୍ୟର ବିଷୟ, ଭାରତୀୟ ସରକାର ମୂଳଲେଖାଟିକୁ ବାଜ୍ୟାପ୍ତି କରିଛନ୍ତି-। ସେଥିପାଇଁ ଏହି ଅନୁବାଦ । ମୁଁ ଆପଣଙ୍କୁ ବ୍ୟସ୍ତ କରିବାକୁ ଚାହୁଁନାହିଁ । ଆପଣଙ୍କର ସ୍ଵାସ୍ଥ୍ୟ ଯଦି ଭଲ ଥାଏ ତାହାହେଲେ ଏହି ବହିଟି ପଢ଼ି ଆପଣଙ୍କର ମତାମତ ଜଣାଇବେ । ପ୍ରକାଶଥାଉ କି ଆପଣଙ୍କର ମତାମତ ମୋ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ ।

 

ଏଥିସହିତ ଆପଣଙ୍କ ଲିଖିତ “ଲେଟର ଟୁ ଏ ହିନ୍ଦୁ”ର ଅନୁବାଦ ମଧ୍ୟ ପଠାଇଲି ।” ଗାନ୍ଧି ଟଲଷ୍ଟୟଙ୍କର ଚିଠିଟି ଭାରତୀୟ ଭାଷାରେ ଅନୁବାଦ କରିଥିଲେ ଏବଂ ଇଂରେଜ ଅନୁବାଦର ଭୂମିକା ମଧ୍ୟ ଲେଖିଥିଲେ । ଗାନ୍ଧିଙ୍କ “ସେହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ଲେଖିଥିଲେ, ସେହି ମହାନ ଶିକ୍ଷକଙ୍କର ଜଣେ ବିଶ୍ଵସ୍ତ ଶିଷ୍ୟ ଭାବରେ ତାଙ୍କର ଏହି ଐତିହାସିକ ପତ୍ର ସହିତ ଜଡ଼ିତ ହେବା ମୋ ପକ୍ଷରେ ସୌଭାଗ୍ୟର ବିଷୟ ।”

 

“ଲକ୍ଷ୍ୟର ସଂଜ୍ଞା ଭିନ୍ନ ହୋଇପାରେ, ଠିକ୍ ଯେପରି ଭାରତୀୟ ଜାତୀୟବାଦୀମାନଙ୍କ ମଧ୍ୟରେ ଜାତୀୟ ଲକ୍ଷ୍ୟ ବିଭିନ୍ନ ଭାବରେ ପ୍ରକଟିତ ହେଉଅଛି । କିନ୍ତୁ ଲକ୍ଷ୍ୟ ହାସଲର ଉପାୟ ଉପରେ ସବୁ ନିର୍ଭର କରେ ।”

 

ଭାରତୀୟ ଜାତୀୟ ମୁକ୍ତି ହାସଲର ପ୍ରଣାଳୀ କ’ଣ ହେବା ଉଚିତ୍, ଟଲଷ୍ଟୟଙ୍କ ଆଦର୍ଶ ଓ ବ୍ୟାଖ୍ୟା ଦୃଷ୍ଟିରେ ସେ ତାହା ବିଶ୍ଳେଷଣ ମଧ୍ୟ କରିଥିଲେ । ତାଙ୍କ ମତରେ ଗୋଟିଏ ହେଉଛି ହିଂସାତ୍ମକ ପନ୍ଥା । ଅନ୍ୟଟି ହେଉଛି ଅହିଂସା ପନ୍ଥା । ଟଲଷ୍ଟୟଙ୍କ ପ୍ରେରଣାରେ ସେ ପ୍ରଥମ ପନ୍ଥାଟି ପରିତ୍ୟାଗ କରିଥିଲେ । ଟଲଷ୍ଟୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତରେ ଆଇନଅମାନ୍ୟ ଓ ସତ୍ୟାଗ୍ରହ କରିବାକୁ ଭାରତୀୟମାନଙ୍କୁ ଜଣାଇଥିଲେ । ତାହା ନହେଲେ ଭାରତବର୍ଷ ସମଗ୍ର ପୃଥିବୀର ଆଶା ଓ ଭରସାର ପୀଠ ହୋଇପାରିବ ନାହିଁ ।

 

ଶେଷରେ ଇଉରୋପୀୟ ଦେଶମାନଙ୍କ ସଦୃଶ ଭାରତ ଦୁର୍ଭାଗ୍ୟର ସମ୍ମୁଖୀନ ହେବ, ଯାହାର ବିଷମୟ ପରିଣତି ହେଉଛି ପାଶ୍ଚାତ୍ୟ ସଭ୍ୟତା । ଉପସଂହାରରେ ଗାନ୍ଧି ଲେଖିଥିଲେ, “ଟଲଷ୍ଟୟଙ୍କର ପ୍ରତ୍ୟେକ ଚିନ୍ତା ଓ ଆଦର୍ଶ ଜଣେ ଗ୍ରହଣ କରିନପାରେ । କିନ୍ତୁ ଟଲଷ୍ଟୟଙ୍କର ପ୍ରଚାରିତ ସତ୍ୟ, ଯଥା: ଆତ୍ମଶକ୍ତି ନିକଟରେ ପଶୁବଳିର ସର୍ବଦା ପରାଜୟ, ଏଥିପ୍ରତି ଗାନ୍ଧି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ପୁଣି ଲେଖିଥିଲେ, “ଟଲଷ୍ଟୟଙ୍କ ପ୍ରଚାରିତ ଆଦର୍ଶରେ କୌଣସି ନୂତନତା ନାହିଁ । କିନ୍ତୁ ପୁରାତନ ସତ୍ୟର ସେ ଯେପରି ବିଶ୍ଳେଷଣ କରିଥିଲେ, ତାହା ଅସାଧାରଣ ଭାବରେ ଶକ୍ତିଶାଳୀ । ତାଙ୍କର ଯୁକ୍ତି ଅକାଟ୍ୟ । ମୋଟ ଉପରେ ସେ ଯାହା ପ୍ରଚାର କରନ୍ତି ତାହା କାର୍ଯ୍ୟରେ ପରିଣତ କରନ୍ତି ।

 

ସେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରନ୍ତି । ସେ ଅତ୍ୟନ୍ତ କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ । ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ । ଗାନ୍ଧିଙ୍କର ଚିଠି, ଭୂମିକା ଏବଂ ତାଙ୍କର ପ୍ରେରିତ ପୁସ୍ତକ ଟଲଷ୍ଟୟଙ୍କୁ ଅଭିଭୂତ କରିଦେଇଥିଲା । ସେ ଏତଦ୍ଦ୍ୱାରା ଭାରତୀୟମାନଙ୍କର ମୁକ୍ତି ସଂଗ୍ରାମ ପ୍ରତି ବିଶେଷ ଆଗ୍ରହୀ ହୋଇଥିଲେ । ସେ ୧୯୧୦ ମସିହା ଏପ୍ରିଲ ୧୯ ତାରିଖରେ ଏକଥା ତାଙ୍କ ଡାଇରୀରେ ମଧ୍ୟ ଉଲ୍ଲେଖ କରିଥିଲେ ଯେ, “ମୁଁ ଭାରତର ଜଣେ ହିନ୍ଦୁଙ୍କଠାରୁ ଚିଠି ଓ ବହି ପାଇଛି । ଗ୍ରନ୍ଥରେ ପାଶ୍ଚାତ୍ୟ ସଭ୍ୟତାର ଦୋଷ, ଦୁର୍ବଳତା ଓ ଅସାରତା ଆଲୋଚନା କରାଯାଇଛି ।” ବହୁଦିନ ପର୍ଯ୍ୟନ୍ତ ଟଲଷ୍ଟୟ ଗାନ୍ଧିଙ୍କର ଇଣ୍ଡିଆନ୍ ହୋମ୍ ରୁଲ୍ ଓ Dokeଙ୍କ ଲିଖିତ ତାଙ୍କ ଜୀବନୀ ଅଧ୍ୟୟନ କରିଥିଲେ । ଏପ୍ରିଲ ମାସ ୨୦ ତାରିଖ ଦିନ ତାଙ୍କ ଡାଇରୀରେ ପୁନର୍ବାର ଲେଖିଥିଲେ, “ଆଜି ସନ୍ଧ୍ୟାରେ ମୁଁ ସଭ୍ୟତା ସମ୍ପର୍କରେ ଗାନ୍ଧିଙ୍କର ଯେଉଁ ଧାରଣା ତାହା ପଢ଼ିଥିଲି । ସେସବୁ ଅତି ଚମତ୍କାର ।” ସେ ତାଙ୍କର ବନ୍ଧୁମାନଙ୍କୁ ମଧ୍ୟ ଗାନ୍ଧିଙ୍କ ବିଷୟରେ ଲିଖିତ ପୁସ୍ତକ ବିଷୟ କହିଥିଲେ । ଯଥା-”ଗାନ୍ଧି ହେଉଛନ୍ତି ଇଣ୍ଡିଆନ୍ ହୋମ୍ ରୁଲ ପୁସ୍ତକର ଲେଖକ । ଇଂଲଣ୍ଡ ବିରୁଦ୍ଧରେ ସଂଘର୍ଷ କରୁଥିବା ଦଳର ସେ ହେଉଛନ୍ତି ନେତା । ସେ ଜେଲ ଯାଇଥିଲେ । କିଛିଦିନ ତଳେ ମୁଁ ତାଙ୍କଠାରୁ ଖଣ୍ଡେ ବହି ପାଇଥିଲି । ଏହି ବହିଟି ଅତ୍ୟନ୍ତ ଉପାଦେୟ । ଆମୂଳଚୂଳ ଏହି ଗ୍ରନ୍ଥରେ ଜଣେ ନିଷ୍ଠାପର ହିନ୍ଦୁର ଦୃଷ୍ଟିକୋଣରୁ ପାଶ୍ଚାତ୍ୟ ସଭ୍ୟତାର ନିନ୍ଦା କରାଯାଇଛି ।

 

ଏପ୍ରିଲ ୨୨ ତାରିଖ ଦିନ ଟଲଷ୍ଟୟ ତାଙ୍କର ପ୍ରିୟ ଶିଷ୍ୟ ଚେରତ୍‍କଫ୍‍ଙ୍କୁ ଲେଖିଥିଲେ, “ଗତକାଲିଠାରୁ ମୁଁ ଖଣ୍ଡିଏ ବହି ପଢ଼ୁଅଛି । ଜଣେ ହିନ୍ଦୁ, ଯେ କି ଇଂରେଜ ସାମ୍ରାଜ୍ୟ ବିରୋଧରେ ସଂଗ୍ରାମ କରୁଛନ୍ତି, ସେ ଏହି ପୁସ୍ତକ ମୋ ପାଖକୁ ପଠାଇଛନ୍ତି । ସେ ହେଉଛନ୍ତି ଗାନ୍ଧି । ଶାନ୍ତିପୂର୍ଣ୍ଣ ପ୍ରତିରୋଧରେ ସେ ବିଶ୍ଵାସ କରନ୍ତି । ସେ ମୋର ଆଦର୍ଶର ଅତ୍ୟନ୍ତ ନିକଟବର୍ତ୍ତୀ ବ୍ୟକ୍ତି । ସେ ମୋ ଲେଖା ପଢ଼ିଛନ୍ତି ଓ ମୋର Letter to a Hinduକୁ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ କରିଛନ୍ତି । ତାଙ୍କର ଭାରତୀୟ ଭାଷାରେ ଲିଖିତ ଇଣ୍ଡିଆନ୍ ହୋମ୍ ରୁଲ ବହି ବ୍ରିଟିଶ୍ ସରକାର ବାଜ୍ୟାପ୍ତ କରିଛନ୍ତି । ଏହି ବହି ସମ୍ପର୍କରେ ମଧ୍ୟ ସେ ମୋର ମତାମତ ଚାହିଁଛନ୍ତି । ସମୟ କ୍ରମେ ମୁଁ ତାଙ୍କୁ ଲେଖିବି ।” ଟଲଷ୍ଟୟ କିନ୍ତୁ ଗାନ୍ଧିଙ୍କ ସଂପୃକ୍ତ ଚିଠିର ବିଶେଷ ଉତ୍ତର ଦେଇପାରିନଥିଲେ । କିନ୍ତୁ ଏପ୍ରିଲ ମାସ ୨୫ ତାରିଖରେ ସେ ସଂକ୍ଷେପରେ ମହାତ୍ମା ଗାନ୍ଧିଙ୍କ ନିକଟକୁ ଲେଖିଥିଲେ, “ମୁଁ ଆଗ୍ରହର ସହିତ ଆପଣଙ୍କର ବହିଟି ପଢ଼ିଅଛି । ସେଥିରେ ଆଲୋଚିତ ଶାନ୍ତିପୂର୍ଣ୍ଣ ପ୍ରତିରୋଧ ପ୍ରସଙ୍ଗ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ମାନବସମାଜ ପକ୍ଷେ ଅତ୍ୟନ୍ତ ଉପାଦେୟ ।”

 

ଟଲଷ୍ଟୟ ଚିଠି ଶେଷରେ ଲେଖିଥିଲେ, “ବର୍ତ୍ତମାନ ମୋର ସ୍ଵାସ୍ଥ୍ୟ ଭଲ ନାହିଁ । ସେଥିପାଇଁ ମୋ ମନରେ ଆପଣଙ୍କ ବିହିତ କାର୍ଯ୍ୟକଳାପ ସମ୍ପର୍କରେ ଯେଉଁ ଧାରଣା ଜାତ ହୋଇଛି ତାହା ଲେଖିପାରିଲି ନାହିଁ । ମୁଁ ଆପଣଙ୍କର ଚିନ୍ତାଧାରାକୁ ଅତ୍ୟନ୍ତ ମୂଲ୍ୟବାନ ମନେକରେ-। ମୁଁ ପୂର୍ଣ୍ଣ ସ୍ଵାସ୍ଥ୍ୟ ଲାଭକଲେ ଆପଣଙ୍କ ନିକଟକୁ ଚିଠି ଲେଖିବି ।”

 

ଦକ୍ଷିଣ ଆଫ୍ରିକାରେ ଟଲଷ୍ଟୟ ଫାର୍ମ ପ୍ରତିଷ୍ଠା ଆହୁରି ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ବୋଲି କହିବାକୁ ହେବ । ପ୍ରାୟ ଏଗାରଶହ ଏକର ଜମିରେ ଏହି ଫାର୍ମ ପ୍ରତିଷ୍ଠା କରାଯାଇଥିଲା । ମିଷ୍ଟର ହାରମେନ କ୍ୟାଲେନବ୍ୟାଚ୍ ଏହି ଫାର୍ମ ପ୍ରତିଷ୍ଠା କରି ମହାତ୍ମା ଗାନ୍ଧିଙ୍କ ଦାୟିତ୍ୱରେ ଛାଡ଼ିଦେଇଥିଲେ-। ସେତେବେଳେ ଟ୍ରାନସଭାଲରେ ମୁକ୍ତି ଆନ୍ଦୋଳନ ପ୍ରବଳ ହୋଇଥିଲା । ଶହ ଶହ ଭାରତୀୟ ପରିବାର ଯେଉଁମାନେ ଔପନିବେଶିକ କ୍ଷମତା ବିରୁଦ୍ଧରେ ବିଦ୍ରୋହ କରିଥିଲେ ସେମାନେ ସେମାନଙ୍କର ବାସଗୃହଚ୍ୟୁତ ହୋଇଥିଲେ । ସେହି ଅସହାୟ ଦରିଦ୍ର ଭାରତୀୟମାନଙ୍କୁ ଟଲଷ୍ଟୟ ଫାର୍ମରେ ଗାନ୍ଧି ଆଶ୍ରୟ ଦେଇଥିଲେ । ବିତାଡ଼ିତ ଭାରତୀୟମାନେ ସେହି ଫାର୍ମରେ କୃଷିକାର୍ଯ୍ୟ କରି ନିଜର ଜୀବିକା ଅର୍ଜନ କରିବା ଉଦ୍ଦେଶ୍ୟ ଥିଲା ।

 

ଏହି ଫାର୍ମ ସତ୍ୟାଗ୍ରହୀମାନଙ୍କର ଆଶ୍ରୟସ୍ଥଳ ଥିଲା । ଦକ୍ଷିଣ ଆଫ୍ରିକାରେ ଗାନ୍ଧିଙ୍କୁ ତାଙ୍କର ଆନ୍ଦୋଳନ କାର୍ଯ୍ୟରେ କ୍ୟାଲେନବ୍ୟାଚ୍ ଖୁବ୍ ସାହାଯ୍ୟ କରିଥିଲେ । କ୍ୟାଲେନବ୍ୟାଚ୍ ଟଲଷ୍ଟୟଙ୍କର ପୁସ୍ତକ ଅଧ୍ୟୟନ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ବିଶେଷତଃ ଟଲଷ୍ଟୟଙ୍କର “My Confessions” ପୁସ୍ତକ ତାଙ୍କୁ ପ୍ରଭାବିତ କରିଥିଲା । ଟଲଷ୍ଟୟ ଯେଉଁସବୁ ଆଦର୍ଶ ମାନବସମାଜ ସମ୍ମୁଖରେ ଉପସ୍ଥାପନ କରିଥିଲେ, ତାହାରି ସ୍ମୃତିରେ କ୍ୟାଲେନବ୍ୟାଚ ତାଙ୍କ ସ୍ଥାପିତ ଫାର୍ମର ନାମ ଟଲଷ୍ଟୟ ଫାର୍ମ ବୋଲି ଦେଇଥିଲେ ।

 

ମହାତ୍ମା ଗାନ୍ଧି ୧୯୧୦ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଟଲଷ୍ଟୟଙ୍କୁ ଯେଉଁ ଚିଠି ଲେଖିଥିଲେ ସେଥିରେ ଏହିସବୁ ବିଷୟ ସ୍ଥାନ ପାଇଥିଲା । ତାଙ୍କ ଚିଠିର ମର୍ମ ହେଉଛି–

 

“ମୁଁ ଆପଣଙ୍କ ମେ ଆଠ ତାରିଖ ଚିଠି ପାଇ ଅନ୍ତରର କୃତଜ୍ଞତା ଜଣାଉଛି । ମୋର ପୁସ୍ତକ ଇଣ୍ଡିଆନ୍ ହୋମ୍ ବୁଲ୍ ସମ୍ପର୍କରେ ଆପଣଙ୍କର ସ୍ଵୀକୃତି ମୋ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ । ଆପଣଙ୍କୁ ଯଦି ସମୟ ମିଳେ ତାହାହେଲେ ମୁଁ ଆପଣଙ୍କଠାରୁ ତାହାର ପୂର୍ଣ୍ଣ ସମାଲୋଚନା ପାଇବି ବୋଲି ଆଶାକରେ । ଆପଣଙ୍କ ପତ୍ରରେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ମିଷ୍ଟର କ୍ୟାଲେନ୍‍ବ୍ୟାଚ ଆପଣଙ୍କୁ ଟଲଷ୍ଟୟ ଫାର୍ମ ସମ୍ପର୍କରେ ଲେଖି ସାରିଛନ୍ତି । ଆମ୍ଭେ ଦୁହେଁ ଏଠାରେ ବହୁଦିନର ବନ୍ଧୁ । ଆପଣ “My Confessions” ପୁସ୍ତକରେ ଯେଉଁସବୁ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି, କ୍ୟାଲେନ୍‍ବ୍ୟାଚ ସେ ସବୁ ଏକମତ ।

 

ଆପଣଙ୍କ ଲେଖା ସଦୃଶ ଅନ୍ୟ କୌଣସି ଲେଖା କ୍ୟାଲେନ୍‍ବ୍ୟାଚଙ୍କୁ ଏତେଦୂର ପ୍ରଭାବିତ କରିପାରି ନାହିଁ । ସେଥିପାଇଁ ଆପଣଙ୍କ ନାମକୁ ସେ ତାଙ୍କ ଫାର୍ମ ସହିତ ଯୋଡ଼ି ଦେଇଛନ୍ତି । ମୁଁ ଏଥିସହିତ ଇଣ୍ଡିଆନ୍ ଓପିନିୟନ ପତ୍ରିକା ପଠାଇଲି । ସେଥିରୁ ଆପଣ ସବିଶେଷ ବିବରଣୀ ଜାଣିପାରିବେ । ମୁଁ ଆପଣଙ୍କୁ ଏହି ତଥ୍ୟ ସବୁ ଜଣାଇ ଅଯଥା ଭାରାକ୍ରାନ୍ତ କରିନଥାନ୍ତି; କିନ୍ତୁ ଟ୍ରାନ୍ସଭାଲରେ କେଉଁ ଅପ୍ରତିରୋଧ ସଂଗ୍ରାମ ଚାଲିଛି ସେଥିପାଇଁ ଆପଣଙ୍କର ଅତ୍ୟଧିକ ଆଗ୍ରହ ଥିବା ଯୋଗୁଁ ଏହିସବୁ ବିବରଣୀ ଲେଖି ପଠାଇଲି ।”

 

କ୍ୟାଲେନବ୍ୟାଚ ଏହି ମର୍ମରେ ଟଲଷ୍ଟୟଙ୍କୁ ମଧ୍ୟ ଚିଠି ଲେଖିଥିଲେ । “ମୁଁ ଆପଣଙ୍କର ବିନାନୁମତିରେ ମୋ ଫାର୍ମର ନାମ ଟଲଷ୍ଟୟ ଫାର୍ମ ବୋଲି ରଖିଅଛି । ଆପଣଙ୍କର ଅଧିକାଂଶ ପୁସ୍ତକ ପଢ଼ିଅଛି । ଆପଣଙ୍କର ଆଦର୍ଶ ଓ ନୀତି ମୋତେ ସର୍ବାପେକ୍ଷା ଅଧିକ ପ୍ରଭାବିତ କରିଛି ।”

 

ଟଲଷ୍ଟୟ ଯେତେବେଳେ ଚିଠି ଓ ଇଣ୍ଡିଆନ୍ ଓପିନିୟନ ପତ୍ରିକା ପାଇଥିଲେ, ସେ ଆନନ୍ଦରେ ଅଧୀର ହୋଇଥିଲେ । ସେ ସେପ୍ଟେମ୍ବର ୬ ତାରିଖ ତାଙ୍କ ଡାଇରୀରେ ଉଲ୍ଲେଖ କରିଥିଲେ, “ଟ୍ରାନ୍ସଭାଲରୁ ସତ୍ୟାଗ୍ରହୀମାନଙ୍କ ସମ୍ପର୍କରେ ସୁସମ୍ବାଦ ।” ସେ ବାରମ୍ବାର ତାଙ୍କର ଶିଷ୍ୟମାନଙ୍କୁ ଗାନ୍ଧିଙ୍କର ଚିଠି ଓ ପତ୍ରିକା ସମ୍ପର୍କରେ କହିଥିଲେ । ଗାନ୍ଧିଙ୍କୁ ଏଥରକ ଯେଉଁ ଚିଠି ଲେଖିଥିଲେ ସେଥିରେ ଆଧୁନିକ ସଭ୍ୟତାର ପରସ୍ପରବିରୋଧୀ ଦିଗ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାହା ଛଡ଼ା ପ୍ରେମ ଓ ମୈତ୍ରୀର ପ୍ରଭାବ ସମ୍ପର୍କରେ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ । ଆଧୁନିକ ସମାଜରେ ଯେତେ ଅନ୍ୟାୟ ଓ ଦୁଃଖଦୁର୍ଦ୍ଦଶା ଦେଖାଦେଇଛି ତାହାର କାରଣ ହେଉଛି ବ୍ୟକ୍ତି ମୈତ୍ରୀ ଓ ପ୍ରେମର ଆଦର୍ଶ ପରିବର୍ତ୍ତେ ହିଂସାର ପନ୍ଥା ଗ୍ରହଣ କରୁଅଛି ।

 

ସମଗ୍ର ସଭ୍ୟତା ଆଜି ବାହାରେ ଚମତ୍କାର ଜଣାଗଲେ ମଧ୍ୟ ଏହା ବିଭେଦ ଓ ବିଶ୍ୱାସହୀନତା ଉପରେ ଅଜାଣତ ଭାବରେ ଗଢ଼ିଉଠିଛି । ଏହା ଆଂଶିକ, ଇଚ୍ଛାକୃତ ଓ ମୁଖ୍ୟତଃ ଅଜ୍ଞତାପ୍ରସୂତ । ଭୟାଭୟ ପରିଣତି ପୃଥିବୀର ସମସ୍ତ ଦେଶରେ ପରିଦୃଷ୍ଟ ହୁଏ । ବିଶେଷତଃ ଖ୍ରୀଷ୍ଟିୟାନ୍ ଦେଶ ଇଉରୋପ ଓ ଆମେରିକାରେ ଏହା ଭୟାନକ ଦେଖାଦେଇଛି ।

 

ଏହି ଦେଶମାନଙ୍କରେ ଏକ ସରଳ, ଧର୍ମବିଶ୍ଵାସୀ, ହିଂସାବିରୋଧୀ ଜନସାଧାରଣ, ଅନ୍ୟ ଦିଗରେ ହିଂସାପାଗଳ ଶାସକଗୋଷ୍ଠୀ, ଆଉ ସେମାନଙ୍କ ମଧ୍ୟରେ ଆଦର୍ଶଗତ ବିରୋଧ ଅତି ଭୟାନକ । ଏହି ବିରୋଧ ଆଜି ଚରମ ସୀମାରେ ଉପନୀତ ହୋଇଅଛି । ବର୍ତ୍ତମାନ ଏହି ସମସ୍ୟାର ଦୁଇଗୋଟି ଦିଗ ଦେଖାଦେଇଛି । ତାହା ହେଉଛି:- ଆମକୁ ସ୍ଵୀକାର କରିବାକୁ ପଡ଼ିବ ଯେ ଆମେ କୌଣସି ଶୃଙ୍ଖଳ ଚାହୁଁ ନାହୁଁ । ଏହି ଶୃଙ୍ଖଳାନୈତିକ କିମ୍ବା ଧର୍ମଗତ ହୋଇପାରେ । ଜୀବନର ସଙ୍ଗଠନ ଓ ସମନ୍ଵୟରେ ଆମେ କେବଳ ପଶୁଶକ୍ତିଦ୍ଵାରା ଚାଳିତ ହେବା ଏବଂ ଯେଉଁସବୁ ଟିକସ ଜବରଦସ୍ତି ଆଦାୟ କରୁଛୁ ତାହା ନ କରି ପୋଲିସ, ଶାସନ ବିଭାଗ ଏବଂ ସୈନ୍ୟ ବିଭାଗ ଉଠାଇ ଦେବାକୁ ପଡ଼ିବ ।

 

ବର୍ତ୍ତମାନ କାଳର ବାଧ୍ୟତାମୂଳକ ପରିପ୍ରେକ୍ଷୀରେ ଏହି ବିରୋଧର ଯେ ସମାଧାନ ନାହିଁ, ତାହା କ୍ରମବଦ୍ଧିଷ୍ଣୁ ଅପରାଧ, ବେକାର ସମସ୍ୟା, ଧନିକଗୋଷ୍ଠୀର ଅସମ୍ଭବ ବାଧାଶୂନ୍ୟ ବିଳାସବ୍ୟସନ, ଦରିଦ୍ରମାନଙ୍କର ଭୟାନକ ଦୁର୍ଗତି, ଅସମ୍ଭବ ଭାବରେ ବୃଦ୍ଧିପ୍ରାୟ ଆତ୍ମହତ୍ୟା ଘଟଣାମାନଙ୍କଦ୍ଵାରା ପ୍ରମାଣିତ ହୋଇଥାଏ । ଜନସାଧାରଣଙ୍କ ମଧ୍ୟରେ ଯେଉଁ ସମ୍ପର୍କ ତାହା ହିଂସା, ଅତ୍ୟାଚାର, ବ୍ୟକ୍ତି ଶୋଷଣର ହିଁ ଏହା ହେଉଛି କୁପରିଣାମ । ମଣିଷ ମଧ୍ୟରେ ଯେଉଁ ଭ୍ରାତୃତ୍ଵ, ବନ୍ଧୁତ୍ୱ ଓ ପ୍ରେମର ଭାବ ନିହିତ ଅଛି, ତାହାର ବିକୃତିର ଏହାହିଁ ହେଉଛି ପରିଣାମ ।

 

ଟଲଷ୍ଟୟ ବାରମ୍ବାର ଘୋଷଣା କରିଥିଲେ ଯେ ଆଧୁନିକ ଜୀବନର ଚଳଣି ପଦ୍ଧତି ବିରୋଧରେ ଏକ ପ୍ରତିକ୍ରିୟା ସର୍ବତ୍ର ଦେଖାଦେଇଛି । ପୁନଶ୍ଚ ଶୋଷକ ବିରୋଧରେ ଶୋଷିତର ବିଭିନ୍ନ ସଙ୍ଘର୍ଷ ମଧ୍ୟରେ ଏହା ପ୍ରତିଫଳିତ ହେଉଅଛି । ଟ୍ରାନ୍ସଭାଲସ୍ଥିତ ଭାରତୀୟମାନଙ୍କର ଆନ୍ଦୋଳନ ହେଉଛି ଏହିପରି ଏକ ପ୍ରଣାଳୀ ।

 

ଟଲଷ୍ଟୟ ଏହି ଆନ୍ଦୋଳନକୁ ନୀତି ଓ ଆଦର୍ଶ ଦୃଷ୍ଟିରୁ ଶକ୍ତିଶାଳୀ ଫଳପ୍ରସୂ ବୋଲି ବିଚାର କରିଥିଲେ । କାରଣ ଇତିହାସରେ ପ୍ରଥମଥର ପାଇଁ ଏହା ବିନାହିଂସାରେ ଜନସାଧାରଣଙ୍କର ବିଦ୍ରୋହ, ବିରୋଧ ଓ ପ୍ରତିରୋଧର ପ୍ରମାଣ ଦେଇଥିଲା ।

 

ଟଲଷ୍ଟୟଙ୍କୁ ତାଙ୍କ ଶେଷ ଜୀବନରେ ଯେଉଁ ଆକ୍ରମଣକାରୀ, ସାମ୍ରାଜ୍ୟବାଦୀମାନଙ୍କର ଯୁଦ୍ଧ ଓ ଔପନିବେଶିକ ଶୋଷଣ ପ୍ରଶ୍ନ ବିବ୍ରତ କରୁଥିଲା ସେ ତାହା ପତ୍ରର ଉପସଂହାରରେ ଉଲ୍ଲେଖ କରିଥିଲେ । ଆଧୁନିକ ସାମନ୍ତବାଦୀ ସଭ୍ୟତା ପୃଷ୍ଠଭୂମିରେ ଶାସକଗୋଷ୍ଠୀଙ୍କର ଆଚରିତ ଖ୍ରୀଷ୍ଠିୟାନ ଧର୍ମର ପ୍ରେମ ଓ ଆଦର୍ଶ ଏବଂ ଅନ୍ୟ ଦିଗରେ ଜନସଂହାରାର୍ଥେ ସୈନ୍ୟ ତଥା ଅସ୍ତ୍ରଶସ୍ତ୍ରର ଆୟୋଜନ ଏହା ମଧ୍ୟରେ ଯେଉଁ ବିରୋଧ ତାହା କ୍ରମଶଃ ବୃଦ୍ଧି ପାଉଛି । ଟଲଷ୍ଟୟ ଏହାକୁ ବାରମ୍ବାର ନିନ୍ଦା କରିଥିଲେ । ସେ କହିଥିଲେ, “ତୁମର ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଏବଂ ଆମର ରୁଷିୟାନ ଗଭର୍ଣ୍ଣମେଣ୍ଟ ସମସ୍ତେ ବିରୋଧ ପ୍ରକ୍ରିୟାର ଅବହିତ ଅଛନ୍ତି । ସେଥିପାଇଁ ଏହାର ସ୍ୱୀକୃତି ରାଜ୍ୟର ଯେ କୌଣସି ଶତ୍ରୁର କ୍ରିୟାକଳାପ ଅପେକ୍ଷା ସରକାରଙ୍କ ଦ୍ଵାରା ଭୀଷଣ ଭାବରେ ବାଧାପ୍ରାପ୍ତ ହେବ । ଏହାହିଁ ରୁଷିଆରେ ଆମ୍ଭମାନଙ୍କର ଅନୁଭୂତି ।”

 

ଆପଣଙ୍କ ପତ୍ରିକାରେ ପ୍ରକାଶିତ ଲେଖାରୁ ମଧ୍ୟ ଏହା ପ୍ରମାଣିତ ହୁଏ । ସରକାର ଭଲଭାବରେ ଜାଣନ୍ତି, ଯେଉଁଦିଗରୁ ବିପଦ ଓ ବାଧା ସେମାନଙ୍କ ପ୍ରତି ସୃଷ୍ଟି ହୋଇଥାଏ । ତେଣୁ କେବଳ ସେମାନଙ୍କର ସ୍ଵାର୍ଥ ରଖିବାପାଇଁ ନୁହେଁ, ମାତ୍ର ସେମାନଙ୍କର ଖୋଦ୍ ଅସ୍ତିତ୍ୱ ବଜାୟ ରଖିବା ପାଇଁ ସେମାନେ ତୀକ୍ଷ୍‍ଣ ଦୃଷ୍ଟିରେ ଏହିସବୁ ଆନ୍ଦୋଳନ ପ୍ରତି ସତର୍କ ରହିଥାନ୍ତି ।” କେତେକ କାରଣ ଯୋଗୁଁ ଟଲଷ୍ଟୟଙ୍କର ଏହି ଚିଠି ଖୁବ୍ ବିଳମ୍ବରେ ମହାତ୍ମା ଗାନ୍ଧୀଙ୍କର ହସ୍ତଗତ ହୋଇଥିଲା । ସେତେବେଳକୁ ରୁଷିଆର ଏହି ବିଖ୍ୟାତ ଲେଖକ ମୃତ୍ୟୁଶଯ୍ୟାରେ । ଏହିପରି ସେହି ଦୁଇ ମହାପୁରୁଷଙ୍କ ମଧ୍ୟରେ ଯେଉଁ ପତ୍ରାଳାପ ଚାଲିଥିଲା, ତାହାର ଯବନିକା ପଡ଼ିଥିଲା ।

 

ମହାତ୍ମାଗାନ୍ଧୀ ଏକାଧିକବାର ତାଙ୍କ ପତ୍ରିକାରେ ଟଲଷ୍ଟୟଙ୍କର ପତ୍ରଗୁଡ଼ିକ ପ୍ରକାଶ କରିଥିଲେ । ରୁଷିଆର ଏହି ପ୍ରସିଦ୍ଧ ଲେଖକ ତଥା ସମାଜବାଦୀ ଦାର୍ଶନିକ ଭାରତର ଜାତୀୟ ଆନ୍ଦୋଳନ ପ୍ରତି ଯେଉଁ ନୈତିକ ସମର୍ଥନ, ସହାନୁଭୂତି ପ୍ରଦର୍ଶନ କରିଥିଲେ, ମହାତ୍ମା ଗାନ୍ଧୀ ବରାବର ତାହା କୃତଜ୍ଞତାର ସହିତ ଉଲ୍ଲେଖ କରୁଥିଲେ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗାନ୍ଧି ନିଜକୁ ରୁଷିଆର ଏହି ଋଷିପ୍ରତିମ ସାଧକଙ୍କର ଶିଷ୍ୟ ବୋଲି ବିଚାର କରିଥିଲେ । ସେ ନିଜର ଜୀବନୀଲେଖକ ମିଷ୍ଟର ଜୋସେଫ ଡୋକଙ୍କ ନିକଟରେ ପ୍ରକାଶ କରିଥିଲେ ଯେ ସେ ନିଜ ଜୀବନରେ ଟଲଷ୍ଟୟଙ୍କ ଚିନ୍ତାଧାରାଦ୍ଵାରା ପ୍ରଭାବିତ ହୋଇଥିଲେ । ଗାନ୍ଧି ସ୍ଵଲିଖିତ ପୁସ୍ତକ “ହିନ୍ଦ୍ ସ୍ଵରାଜ” ପାଠ କରିବା ପାଇଁ ଯୁବକମାନଙ୍କୁ ଉପଦେଶ ଦେଇଥିଲେ ଏବଂ ତାହା ସହିତ ଟଲଷ୍ଟୟଙ୍କ ଲିଖିତ ରଚନା “What is art !” “What then must we do ?” “The Kingdom of God is within you” ଅଧ୍ୟୟନ କରିବାପାଇଁ ମଧ୍ୟ ସୁପାରିଶ କରିଥିଲେ ।

 

ଟଲଷ୍ଟୟଙ୍କ ମୃତ୍ୟୁ ପରେ ମଧ୍ୟ ଗାନ୍ଧି ତାଙ୍କ ଆଦର୍ଶ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଥିଲେ-। ସେ ଟଲଷ୍ଟୟଙ୍କର କେତେକ ବନ୍ଧୁଙ୍କ ସହିତ ବରାବର ଚିଠିପତ୍ର ଯୋଗେ ସମ୍ପର୍କ ରଖିଥିଲେ-। ବିଶେଷତଃ ସେ ଟଲଷ୍ଟୟଙ୍କର କେତେକ ଇଂରେଜ ବନ୍ଧୁଙ୍କ ସହିତ ପତ୍ରାଳାପ କରିଥିଲେ-। ସ୍କଟିସ୍ ଲେଖିବା ଇସ୍ଵଲ୍ ମେୟୋଙ୍କର ପତ୍ର ଆଦାନପ୍ରଦାନ ଏଠାରେ ଉଲ୍ଲେଖଯୋଗ୍ୟ-

 

ମିସେସ୍ ମେୟୋ ଟଲଷ୍ଟୟଙ୍କ ପ୍ରେରଣାରେ ମହାତ୍ମା ଗାନ୍ଧିଙ୍କ ଆନ୍ଦୋଳନ ସପକ୍ଷରେ ଇଂଲଣ୍ଡରେ କାର୍ଯ୍ୟ କରିଥିଲେ । ଗାନ୍ଧି ଆଉ ମିସେସ୍ ମେୟୋଙ୍କ ମଧ୍ୟରେ ଯେତେ ପତ୍ର ଆଦାନପ୍ରଦାନ ହୋଇଥିଲା ସେଥିମଧ୍ୟରୁ ଗୋଟିଏ ପତ୍ରରେ ଟଲଷ୍ଟୟଙ୍କ ପାଣ୍ଡୁଲିପି ସଂରକ୍ଷଣ ପ୍ରଶ୍ନ ଆଲୋଚିତ ହୋଇଥିଲା ।

 

୧୯୧୩ ମସିହାରେ ଟଲଷ୍ଟୟଙ୍କ ପତ୍ନୀ ଓ ତାଙ୍କ କନିଷ୍ଠା କନ୍ୟାଙ୍କ ମଧ୍ୟରେ ତାଙ୍କର ପାଣ୍ଡୁଲିପି ସମ୍ପର୍କରେ ବିବାଦ ଉପୁଜିଥିଲା । ଯେଉଁମାନେ ଟଲଷ୍ଟୟଙ୍କ ଆଦର୍ଶର ପକ୍ଷପାତୀ ଥିଲେ ସେମାନେ ଏହି ବିବାଦରେ କନ୍ୟାଙ୍କୁ ସମର୍ଥନ କରିଥିଲେ । ସେମାନେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ଵାକ୍ଷରରେ ଟଲଷ୍ଟୟ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ପ୍ରସ୍ତୁତ କରିଥିଲେ । ସେଥିରେ ସେମାନେ ପାଣ୍ଡୁଲିପିସମୂହ କନ୍ୟାକୁ ଫେରାଇଦେବା ପାଇଁ ସୋଫିଆଙ୍କୁ ଅନୁରୋଧ କରିଥିଲେ ।

ନିବେଦନପତ୍ରରେ ସ୍ୱାକ୍ଷର ଦେବାପାଇଁ ମିସେସ୍ ମେୟୋ ଗାନ୍ଧିଙ୍କୁ ସେତେବେଳେ ଅନୁରୋଧ କରିଥିଲେ । ଗାନ୍ଧି ବିଚାର କରିଥିଲେ ଯେ ଏହା ଟଲଷ୍ଟୟଙ୍କ ସ୍ତ୍ରୀଙ୍କ ଉପରେ ଏକ ନୈତିକ ଚାପ ହେବ । ତେଣୁ ସେ କୌଶଳର ସହିତ ସେହି ନିବେଦନରେ ସ୍ଵାକ୍ଷର ଦେଇନଥିଲେ । ତା’ ପରିବର୍ତ୍ତେ ସେ ନିଜେ ଟଲଷ୍ଟୟଙ୍କ ସ୍ତ୍ରୀ ସୋଫିଆ ଟଲଷ୍ଟୟଙ୍କୁ ଏକ ପତ୍ର ଲେଖି ଏହି ଜଟିଳ ସମସ୍ୟା ସମ୍ପର୍କରେ ନିଜର ମତାମତ ଜଣାଇଥିଲେ । ସୋଫିଆ ମଧ୍ୟ ତାହାର ଉତ୍ତରରେ ନିଜର ଅବସ୍ଥା ବୁଝାଇ ଦେଇଥିଲେ । ମିସେସ୍ ମୟୋଙ୍କ ସମ୍ବାଦରୁ ଜଣାପଡ଼େ ଯେ ସୋଫିଆଙ୍କ ସେହି ପତ୍ର ମହାତ୍ମ୍ୟ ଗାନ୍ଧିଙ୍କୁ ସନ୍ତୁଷ୍ଟ କରିନଥିଲା ।

ଗାନ୍ଧି ଟଲଷ୍ଟୟଙ୍କର ଶିଷ୍ୟ ଚେରତ୍‍କଭ୍‍ଙ୍କ ସହିତ ଅନେକଦିନ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ । ୧୯୧୦ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ଚେରତ୍‍କଭ୍‍ ଗାନ୍ଧିଙ୍କ ନିକଟକୁ ଯେଉଁ ଚିଠି ଲେଖିଥିଲେ, ସେଥିରେ ଭାରତୀୟ ଜାତୀୟ ଆନ୍ଦୋଳନ ସମ୍ପର୍କରେ ଯଥେଷ୍ଟ ସୂଚନା ଥିଲା ।

“ମୋର ଧାରଣା ଯେ ଭାରତର ଜନ-ଆନ୍ଦୋଳନର ସମ୍ବାଦ ଇଂଲଣ୍ଡରେ ପ୍ରଚାର ହେବା ଉଚିତ । ସେ ଉଦ୍ଦେଶ୍ୟରେ ମୁଁ ମୋର ଜଣେ ବନ୍ଧୁ (ଟଲଷ୍ଟୟଙ୍କର ମଧ୍ୟ) ମିସେସ୍ ମୟୋଙ୍କୁ ଆପଣଙ୍କ ସହିତ ପତ୍ରାଳାପ କରିବା ପାଇଁ ଅନୁରୋଧ କରୁଛି । ତାଙ୍କର ସାହିତ୍ୟିକ ପ୍ରତିଭା ଅଛି ଏବଂ ସେ ଇଂଲଣ୍ଡରେ ଜଣେ ଲେଖିକା ଭାବରେ ସୁପରିଚିତା ।”

“ଆପଣ ଆପଣଙ୍କର ସମସ୍ତ ଲେଖା ପଠାଇବା ଉଚିତ, ଯାହାକୁ ଭିତ୍ତି କରି ସେ ଆପଣଙ୍କ ଆନ୍ଦୋଳନ ସମ୍ପର୍କରେ ଏଠାରେ ଲେଖାଲେଖି କରିବେ, ଯେଉଁ ଲେଖାସବୁ ପ୍ରକାଶିତ ହେଲେ ଆପଣଙ୍କ ଆନ୍ଦୋଳନ ସମ୍ପର୍କରେ ଏଠାରେ ଅନୁକୂଳ ବାୟୁମଣ୍ଡଳ ସୃଷ୍ଟି ହୋଇପାରିବ । ମିସେସ୍ ମୟୋ ସମ୍ଭବତଃ ଆପଣଙ୍କୁ ଲେଖିବେ ।” ଏହି ଘଟଣାର ୧୬ ବର୍ଷ ପରେ ପୁଣି ଗାନ୍ଧି ଚେରତ୍‍କଭ୍‍ଙ୍କ ସହିତ ପତ୍ରାଳାପ କରିଥିଲେ । ଏଥରକ ପତ୍ରାଳାପ କରିବାର ଏକମାତ୍ର ବିଷୟବସ୍ତୁ ଥିଲା ଯୁଦ୍ଧ । ୧୯୨୯ ମସିହାରେ “Youth India” ପତ୍ରିକାରେ ଗାନ୍ଧିଙ୍କର ପ୍ରସିଦ୍ଧ ଲେଖା “My attitude to war” ପ୍ରକାଶିତ ହେବା ପରେ ଟଲଷ୍ଟୟଙ୍କ ଆଦର୍ଶ ଅନୁପ୍ରାଣିତ ଚେରତ୍‍କଭ୍‍ ଦୁଇଗୋଟି ଦୀର୍ଘ ପତ୍ର ଲେଖି ଅଭିଯୋଗ କରିଥିଲେ ଯେ ଗାନ୍ଧି-ଚିନ୍ତା-ଅସାମଞ୍ଜସ୍ୟବଶତଃ ଶାନ୍ତି ଏବଂ ଅହିଂସା ଆଦର୍ଶକୁ ପଛଘୁଞ୍ଚା ଦେଇଥିଲେ ।

ଗାନ୍ଧି ତାଙ୍କର ପ୍ରତ୍ୟୁତ୍ତର ଏବଂ ଲେଖାମାନଙ୍କ ସାହାଯ୍ୟରେ ନିଜର ଦୃଷ୍ଟିକୋଣ ସାବ୍ୟସ୍ତ କରିଥିଲେ ଏବଂ ସେ ଚେରତ୍‍କଭ୍‍ଙ୍କୁ ନିର୍ଭର ଆଶ୍ୱାସନା ଦେଇଥିଲେ । “ମୁଁ ଅତୀତରେ ଥିଲି ଏବଂ ବର୍ତ୍ତମାନ ମଧ୍ୟ ଅଛି, ଯୁଦ୍ଧର ପ୍ରଧାନ ବିରୋଧୀ ।” ସେ ଜୁଲାଇ ୧୪ ତାରିଖ ୧୯୨୯ ମସିହା ଦିନ ଚେରତ୍‍କଭ୍‍ଙ୍କୁ ଲେଖିଥିଲେ, “ମୁଁ କୌଣସି ପ୍ରକାର ସଶସ୍ତ୍ର ସଂଘର୍ଷରେ କୌଣସି ପ୍ରକାର ଅଂଶଗ୍ରହଣ କରିବାକୁ ଚାହେଁ ନାହିଁ । ତାହା ଯେ କୌଣସି ଦେଶରେ ହେଉ କିମ୍ବା ମୋ ଦେଶରେ ହେଉ ।” ପୁନଶ୍ଚ ସେହି ମାସ ୨୧ ତାରିଖରେ ଗାନ୍ଧି ତାଙ୍କ ନିକଟକୁ ଲେଖିଥିଲେ, “ଯେ କୌଣସି ଯୁଦ୍ଧ ହେଉ, ଯେ କୌଣସି ପରିସ୍ଥିତିରେ ହେଉ ପଛକେ ଯୁଦ୍ଧ ମାତ୍ରକେ ଜଘନ୍ୟ ।” ଏହିସବୁ ପତ୍ରମାନଙ୍କରେ ଗାନ୍ଧି ଟଲଷ୍ଟୟ ସ୍ମୃତି ପ୍ରତି ଗଭୀର ଭକ୍ତି ବରାବର ପ୍ରଦର୍ଶନ କରୁଥିଲେ ।

ସଭ୍ୟତାର ଇତିହାସ ମାନବ ଜୀବନର ଅଧ୍ୟାତ୍ମିକତା ଗଭୀର ଭାବରେ ଟଲଷ୍ଟୟଙ୍କୁ ସ୍ପର୍ଶ କରିଥିଲା । ସେଥିପାଇଁ ଜନୈକ ହିନ୍ଦୁଙ୍କ ଉଦ୍ଦେଶ୍ୟରେ ତାଙ୍କର ଲିଖିତ ଏକ ପତ୍ରର ମର୍ମ ହେଉଛି ।

“ମୋର ଚିନ୍ତା ଏବଂ ଭାବନା ସ୍ପଷ୍ଟ କରିଦେବାକୁ ମୁଁ ଚାହେଁ, ତାହାହେଲେ ଅପେକ୍ଷାକୃତ ଅତୀତ ଇତିହାସ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆମ୍ଭେମାନେ ଜାଣିନାହୁଁ ଏବଂ ମଧ୍ୟ ଜାଣିପାରିବା ନାହିଁ, (ଦମ୍ଭର ସହିତ ମୁଁ କହିପାରେ, ଆମ୍ଭର ଜାଣିବା ଆବଶ୍ୟକ) ମଣିଷ ଜାତି କିପରି ହଜାର ହଜାର ବର୍ଷତଳେ ବାସ କରୁଥିଲା । କିନ୍ତୁ ସେହି ଅନ୍ଧକାରଚ୍ଛନ୍ନ ସମୟରେ ମଣିଷ ସ୍ୱତନ୍ତ୍ର ଦଳ, ଗୋଷ୍ଠୀ ଏବଂ ସଂପ୍ରଦାୟଭୁକ୍ତ ହୋଇ ବାସ କରୁଥିଲା । ସେହି ପରିପ୍ରେକ୍ଷୀରେ ସଂଖ୍ୟା ଗରିଷ୍ଠମାନେ, ଅନିବାର୍ଯ୍ୟ ସ୍ଥିତି ନିକଟରେ ଆତ୍ମସମର୍ପଣ କରି ଜଣେ କିମ୍ବା ସ୍ୱଳ୍ପ ବ୍ୟକ୍ତି ଶାସନ ଓ କ୍ଷମତାକୁ ସ୍ୱୀକାର କରିଯାଇନଥିଲେ । ଏହା ଆମ୍ଭେ ନିଃସନ୍ଦେହରେ କହିପାରିବା । ଘଟଣା ପ୍ରବାହର ବ୍ୟତିକ୍ରମ ଓ ସ୍ୱାତନ୍ତ୍ର୍ୟ ସତ୍ତ୍ୱେ ମାନବଜାତିର ଏହିପରି ଏକ ଅନୁଷ୍ଠାନ ଗଢ଼ିଉଠିଛି ଏବଂ ତତ୍ତୁଲ୍ୟ ଅବସ୍ଥାରେ ଏହା ନିଜକୁ ସମଗ୍ର ଦେଶରେ ଅଭିବ୍ୟକ୍ତ କରିପାରିଛି । ଜୀବନର ଏହି ପରିସ୍ଥିତି ତଥା ପ୍ରବାହ, ବହୁ ପ୍ରାଚୀନ ଯୁଗରେ ଶାସକ ଏବଂ ଶାସିତଦ୍ୱାରା ସମନ୍ୱୟକାରୀ ସଂସ୍ଥାରୂପରେ ପରିଗଣିତ ହୋଇଥିଲା ।

ଏହିପରି ସର୍ବତ୍ର ଏହାର ପରିପ୍ରକାଶ ଘଟିଥିଲା । ଶତାବ୍ଦୀ ଶତାବ୍ଦୀ ଧରି ଜୀବନର ଏହିପରି ଏକ ବାହ୍ୟ ଅଭିବ୍ୟକ୍ତି ଓ ସଂଗଠନ ପ୍ରକଟିତ ହେବା ସତ୍ତ୍ୱେ ଅତ୍ୟାଚାର, ଅନ୍ୟାୟ ଜୀବନର ପରିପ୍ରେକ୍ଷୀରେ ଲାଗି ରହିଛି । ତଥାପି ଜୀବନର ଆଧ୍ୟାତ୍ମିକ ଉତ୍ସ ବରାବର ମଣିଷକୁ ଅଭୟ ପ୍ରଦାନ କରିପାରିଛି । ବିଭିନ୍ନ ଯୁଗରେ ବିଭିନ୍ନ ମନୀଷୀମାନଙ୍କ ଅଧୀନରେ ଏହାର ଉତ୍କର୍ଷ ଦେଖିବାକୁ ମିଳେ । ବ୍ରାହ୍ମଣଧର୍ମ, ଜୋରାଷ୍ଟରଙ୍କ ଆଦର୍ଶ ବୌଦ୍ଧଧର୍ମ, ଗ୍ରୀକ୍ ଏବଂ ରୋମୀୟ ସୂରୀଗଣଙ୍କ ନୀତିବାଣୀ, ଖ୍ରୀଷ୍ଟଧର୍ମର ସାରସତ୍ୟ, ମୁସଲମାନଧର୍ମର ପ୍ରଚାର ମାଧ୍ୟମରେ ଏହି ଚିନ୍ତନର ନିଦର୍ଶନ ଦେଖିବାକୁ ମିଳେ । ମନୁଷ୍ୟ ପ୍ରକୃତି ମଧ୍ୟରେ ନିହିତ ଚିରନ୍ତନ ସତ୍ୟର ପ୍ରକଟନ ମଧ୍ୟ ବରାବର ଘଟିଛି ।

 

୨ । ୩ ଫେବୃୟାରୀ ୧୯୦୦

ଏନ୍, ନଭଗୋରଡ଼

ଆଣ୍ଟନ୍ ଚେକଭଙ୍କୁ

 

ଆନନ୍ଦର ବିଷୟ ଲିଓ ନିକୋଲାଇଭିଚଙ୍କୁ ସାକ୍ଷାତ କରିବା ପାଇଁ ମୁଁ ଯାଇଥିଲି । ଏ ଭିତରେ ଆଠଦିନ ଅତିବାହିତ ହୋଇଗଲାଣି । ତଥାପି ମୋର ଧାରଣା ସ୍ପଷ୍ଟ ଏବଂ ପ୍ରତ୍ୟକ୍ଷ ହେଉନାହିଁ । ତାଙ୍କ ସମ୍ପର୍କରେ ମୋର ସର୍ବପ୍ରଥମେ ପ୍ରତିକ୍ରିୟା ହେଉଛି, ତାଙ୍କର ଚେହେରା । ମୁଁ ତାଙ୍କୁ ଭିନ୍ନରୂପେ କଳ୍ପନା କରିଥିଲି । ଦୀର୍ଘକାୟ, ଖୁବ୍ ବଳିଷ୍ଠ କିନ୍ତୁ ମୁଁ ଯାହା ଦେଖିଲି ସେ ଅପେକ୍ଷାକୃତ ବୃଦ୍ଧ ଏବଂ କେତେକ କାରଣରୁ ସେ ମୋତେ Suvorovର ଗଲା ଘଟଣା ସ୍ମରଣ କରାଇଦେଲେ । କିନ୍ତୁ ସେ ଯେତେବେଳେ ଗପ କରି ଚାଲିଲେ, ମୁଁ ତନ୍ମୟ ହୋଇ କେବଳ ଶୁଣୁଥିଲି । ସେ ଯାହାସବୁ କହିଲେ, ଅସାଧାରଣ ଭାବରେ ପ୍ରାଞ୍ଜଳ ଓ ଗଭୀର । ମୋ ବିଚାରରେ ବେଳେବେଳେ ତାହା ଭ୍ରାନ୍ତ ବୋଲି ପ୍ରତୀତ ହେଉଥିଲା । ତାହା ଖୁବ୍ ମନଲାଖି ଜଣାଯାଉଥିଲା । ସବୁଠାରୁ ବଡ଼କଥା ହେଉଛି ତାଙ୍କର ସରଳତା । ସେ ଯେତେବେଳେ ସବୁକଥା କହିସାରୁଥିଲେ, ତେତେବେଳେ ସେ ଯେମିତି ଗୋଟାଏ ସ୍ଵୟଂ ସଂପୂର୍ଣ୍ଣ ଅକ୍ରେଷ୍ଟା କିନ୍ତୁ ତାଙ୍କ ଭିତରର ସବୁ ତାରଗୁଡ଼ାକ ଯେପରି ସମନ୍ୱୟ ରଖି ବାଜୁନଥିଲା । ତାହା ମଧ୍ୟ ଖୁବ୍ ହୃଦୟସ୍ପର୍ଶୀ, କାରଣ ଏହି ମାନବିକ ଅର୍ଥାତ୍ ମାନବିକ ଆବେଦନରେ ପରିପୂର୍ଣ୍ଣ । ପ୍ରକୃତରେ ଜଣେ ଲୋକକୁ ପ୍ରତିଭାଶାଳୀ ବୋଲି କହିବା କିପରି ନିର୍ବୋଧତା । ପ୍ରତିଭାର ସଂଜ୍ଞା ନିରୂପଣ କରିବାପାଇଁ ସେମିତି ଆଦୌ କୌଣସି ଉପାୟ ନାହିଁ । ବରଂ ଖାଲି ଲିଓ ଟଲଷ୍ଟୟ କହିଲେ ଖୁବ୍ ସରଳ ଏବଂ ପ୍ରାଞ୍ଜଳ ହେବ । ଏହା ଯେପରି ସଂକ୍ଷିପ୍ତ, ସେପରି ମଧ୍ୟ ମୌଳିକ । ତାହା ବିସ୍ତୃତି ଭାବରେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର, ପୁନଶ୍ଚ ଖୁବ୍ ଶକ୍ତିଶାଳୀ । ଲିଓ ନିକେଲି ଭିଚଙ୍କୁ ଦେଖାକରିବା ଗୁରୁତ୍ଵପୂର୍ଣ୍ଣ ବାଞ୍ଛନୀୟ । ଯଦ୍ୟପି ମୁଁ ପ୍ରକୃତିର ବିସ୍ମୟ ବୋଲି ତାକୁ ବିଚାର କରିପାରୁ ନାହିଁ । ତୁମେ ତାଙ୍କୁ ଲକ୍ଷ୍ୟକର ଏବଂ ତୁମ୍ଭେ ମଧ୍ୟ ଜଣେ ମଣିଷ, ଏହା ଅନୁଭବ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ଆଉ ଜଣେ ମନୁଷ୍ୟ ମଧ୍ୟରୁ ଜଣେ ମଧ୍ୟ ଲିଓ ଟଲଷ୍ଟୟ ହୋଇପାରେ । ତୁମେ ଲକ୍ଷ୍ୟ କରିପାରୁଛ ସାଧାରଣ ଭାବରେ ମାନବ ସମାଜ ପ୍ରତି ଏହା ଏକ ସୁନ୍ଦର ଚିନ୍ତା ।

 

ମୋ ପ୍ରତି ତାଙ୍କର ବ୍ୟବହାର ଖୁବ୍ ସଦୟ ହେଲେ ମଧ୍ୟ ସେଥିରେ କିଛି ଯାଏଆସେନା-। ମୋର ଗଳ୍ପମାନଙ୍କ ସମ୍ପର୍କରେ ସେ ଯାହା କହିଲେନା, ସେ ଯାହା କିଛି କହିଲେ ସେସବୁ ତାଙ୍କର କହିବା, କରିବା ଏବଂ ତୁମ୍ଭଙ୍କୁ ଲକ୍ଷ୍ୟ କରିବା ଭଙ୍ଗୀ, ଏହାହିଁ ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ଏକ ସମଗ୍ର ସତ୍ତାର ଅଂଶମାତ୍ର ଏବଂ କି ଅସାଧାରଣ ଭାବରେ ଚିତ୍ତାକର୍ଷକ ମଧ୍ୟ । ମୁଁ ବିଶ୍ୱାସ କରିପାରୁନି ସେ ଜଣେ ଥିଲେ ଆସ୍ତିକ । ମୁଁ ଏପରି ଅନୁଭବ କରୁଥିଲେ ମଧ୍ୟ ବର୍ତ୍ତମାନ ଯେତେବେଳେ ସେ ସମ୍ପର୍କରେ ତାଙ୍କର ବକ୍ତବ୍ୟ ଶୁଣିଲି, ସେତେବେଳେ ମୁଁ ବେଶ୍ ଜାଣିପାରିଥିଲି ଯେ ସେ ଜଣେ ଆସ୍ତିକ । ସେ ନାସ୍ତିକ ଏବଂ ଅତି ସଚ୍ଚୋଟ ମଧ୍ୟ । ସତେ କ’ଣ ଏହା ନୁହେଁ ?

 

ମୁଁ ତାଙ୍କ ସହିତ ଦୀର୍ଘ ତିନିଘଣ୍ଟା ଧରି ବସିଥିଲି ଏବଂ ତାପରେ ନାଟକ ‘ଅଙ୍କଲ କନ୍ୟାର’ ୩ୟ ଅଙ୍କ ଦେଖିବା ପାଇଁ ଚାଲିଯାଇଥିଲି । ମୁଁ ଆଉ ଥରେ ଏହି ନାଟକ ଯିବାପାଇଁ ଅଗ୍ରୀମ ଟିକଟ କିଣି ରଖିଥିଲି । ମୁଁ ଅବଶ୍ୟ ଏହାକୁ ଶ୍ରେଷ୍ଠ ବୋଲି ମନେକରୁନାହିଁ କିନ୍ତୁ ଅନ୍ୟମାନଙ୍କ ଅପେକ୍ଷା ମୁଁ ଏଥିରେ ବହୁତ କିଛି ଦେଖିପାରିଛି । ଏହାର ବିଷୟବସ୍ତୁ ବ୍ୟାପକ ପ୍ରତିକ୍ରିୟାତ୍ମକ ଓ ଆଙ୍ଗିକ ଦୃଷ୍ଟିରୁ ଏହା ମୁଖ୍ୟତଃ ମୌଳିକ ଓ ଅତୁଳନୀୟ ଅଟେ ।

 

ଯାହା ହେଉ ମୁଁ ତୁମ୍ଭଙ୍କୁ ବହୁତ ବିରକ୍ତ କଲିଣି । ବର୍ତ୍ତମାନ ପାଇଁ ବିଦାୟ ନେଉଛି । ମୁଁ ବର୍ତ୍ତମାନ ରୋଗରେ ଆକ୍ରାନ୍ତ । ଖୁବ୍ କାଶ ହେଉଛି । ରାତିରେ ଯନ୍ତ୍ରଣା ଯୋଗୁ ଶୋଇପାରୁନାହିଁ । ବସନ୍ତ ସମୟରେ ମୁଁ ନିଶ୍ଚୟ ଚିକିତ୍ସା ପାଇଁ ୟାଲଟାକୁ ଯିବି । ମୁଁ ତୁମର କରମର୍ଦ୍ଦନ କରୁଅଛି ।

 

ତୁମର ଏ ପେସ୍କୋଭ–

 

† ରୁଷର ବିଖ୍ୟାତ କଥାଶିଳ୍ପୀ ଚେକଭଙ୍କ ନିକଟକୁ ଗର୍କୀ ଲେଖିଥିବା ପତ୍ର । ଏହି ପତ୍ରରେ ସାହିତ୍ୟିକ ଟଲଷ୍ଟୟ ସମ୍ପର୍କରେ ସୂଚନା ସହିତ ଗର୍କୀଙ୍କର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ।

 

୨୬ ଫ୍ରେବୃୟାରୀ ୧୯୦୫

୨୭ ଏନ୍, ନଭ ଗୋରଡ଼

 

ଲିଓଟଲଷ୍ଟୟଙ୍କ ପ୍ରତି

 

ଲିଓ ନିକୋଲେଭିଚ ତୁମର ଫଟୋ ଏବଂ ମୋ ସମ୍ପର୍କରେ ତୁମର ସଦିଚ୍ଛା ଯୋଗୁଁ ତୁମକୁ ଧନ୍ୟବାଦ । ମୁଁ ମୋର ଗ୍ରନ୍ଥମାନଙ୍କ ଅପେକ୍ଷା ଉତ୍କୃଷ୍ଟ କି ନୁହେଁ, ମୁଁ ଏ କଥା ଜାଣେନା । କିନ୍ତୁ ମୁଁ ଗୋଟିଏ କଥା ଜାଣେ ଯେ, ପ୍ରତ୍ୟେକ ଲେଖକ ତା’ର ଊର୍ଦ୍ଧ୍ୱରେ ରହିବା ଉଚିତ । ସେ ଯାହା, ଲେଖା ତାହା ଅପେକ୍ଷା ମହନୀୟ ହେବା ଉଚିତ । କାରଣ ଗ୍ରନ୍ଥଟା କ’ଣ । ଏପରି କି ଖଣ୍ଡିଏ ଉତ୍କୃଷ୍ଟ ଗ୍ରନ୍ଥ ଶବ୍ଦର ମୃତ ଏବଂ କୃଷ୍ଣ ଛାୟା ସଦୃଶ ସତ୍ୟପ୍ରତି ଏକ ସଙ୍କେତ ଅଥଚ ମଣିଷ ହେଉଛି ଜୀବନ୍ତ ଭଗବାନଙ୍କର ମନ୍ଦିର ସଦୃଶ । ମୁଁ ଯେପରି ବୁଝେ ଭଗବାନ ହେଉଛନ୍ତି ପୂର୍ଣ୍ଣତା, ସତ୍ୟ ଏବଂ ନ୍ୟାୟ ଦିଗରେ ଏକ ଅଶାନ୍ତ ଜିଜ୍ଞାସା ମାତ୍ର । ଏହି କାରଣ ଯୋଗୁ ଗୋଟାଏ ମନ୍ଦ ଲୋକ ମଧ୍ୟ ଖଣ୍ଡିଏ ଉତ୍କୃଷ୍ଟ ଗ୍ରନ୍ଥ ଅପେକ୍ଷା ମହନୀୟ । ସେ ନୁହେଁ କି ?

 

ମୋର ଗଭୀର ବିଶ୍ୱାସ, ସମଗ୍ର ପୃଥିବୀରେ ମନୁଷ୍ୟ ଅପେକ୍ଷା କେହି ମହନୀୟ ନୁହେଁ । ଏବଂ ମୋର ଏହି ଯୁକ୍ତିର ସପକ୍ଷରେ ଡେମୋକ୍ରିଟସ୍‍ଙ୍କ ମତାନୁଯାୟୀ ମୁଁ କହିରଖେ, ମଣିଷ ହେଉଛି ଏକମାତ୍ର ଶକ୍ତି, ଯାହାକି ବଞ୍ଚି ରହେ । ଏହା ବ୍ୟତୀତ ଆଉସବୁ ମାମୁଲି କଥାମାତ୍ର (opinion) । ମୁଁ ସର୍ବଦା ଥିଲି ଏବଂ ଭବିଷ୍ୟତରେ ମଧ୍ୟ ରହିବି, ମନୁଷ୍ୟର ଉପାସକ ହିସାବରେ କେବଳ ଯାହା ମୁଁ ଏହାକୁ ବଳିଷ୍ଠ ଭାବରେ ବିଶେଷ ପ୍ରକାଶ କରିବା ପାଇଁ ଜାଣୁନାହିଁ ।

 

ମୁଁ ଆସି ତୁମକୁ ଦେଖିବା ପାଇଁ ତୁମର ଭୟଙ୍କର ଇଚ୍ଛା; କିନ୍ତୁ ବର୍ତ୍ତମାନ ପାଇଁ ଅସମର୍ଥ, ତେଣୁ ଦୁଃଖିତ । ମୋର କ’ଣ ହୋଇଛି, ମୁଣ୍ଡ ଭୟଙ୍କର ବଥଉଛି ଏବଂ ଏ ପରିସ୍ଥିତିରେ ଖୁବ୍ କାମ କରିଚାଲିଛି । ମୁଁ ଘୃଣା କରୁଥିବା କୁସଂସ୍କାର-ଗ୍ରସ୍ଥ ବ୍ୟକ୍ତିମାନଙ୍କ ସମ୍ପର୍କରେ ଗଳ୍ପ ଲେଖି ମୁ ବର୍ତ୍ତମାନ ଖୁବ୍ ଜୋରରେ କାମ କରିଚାଲିଛି । ମୋ ମତରେ ସେମାନେ ହେଉଛନ୍ତି ସର୍ବପେକ୍ଷା ହୀନ ବ୍ୟକ୍ତି ତୁମର ଯେପରି ଧୈର୍ଯ୍ୟଚ୍ୟୁତ ନ ହୁଏ, ମୁଁ ବର୍ତ୍ତମାନ ଚିଠି ଲେଖା ବନ୍ଦ କରିବି । ଗଭୀର ଶ୍ରଦ୍ଧା ଓ ସମ୍ମାନ ସହିତ ମୁଁ ତୁମର କରମର୍ଦ୍ଦନ କରୁଅଛି । ତୁମର ପରିବାର ବର୍ଗଙ୍କୁ ମଧ୍ୟ ଶ୍ରଦ୍ଧା ଜଣାଇଦେବ । ମୁଁ ତୁମର ଶାରୀରିକ କୁଶଳ କାମନା କରେ-

 

ଏ. ପ୍ରେସକୋଭ

 

ରୁଷିଆର ପ୍ରସିଦ୍ଧ ସଂସ୍କାରବାଦୀ ଔପନ୍ୟାସିକ ତଥା ସାମାଜିକ ଦ୍ରଷ୍ଟା ଟଲଷ୍ଟୟଙ୍କୁ ଗର୍କୀଙ୍କର ପତ୍ର । ଏହି ପତ୍ରରେ ଟଲଷ୍ଟୟ ଓ ଗର୍କୀଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଆନ୍ତରିକତା, ଗର୍କୀଙ୍କର ଜୀବନର ଧ୍ୟାନ ଧାରଣା ତଥା ମାନବିକ ମୂଲ୍ୟବୋଧ ସମ୍ପର୍କରେ ତାଙ୍କର ଚିନ୍ତା ପ୍ରତିଫଳିତ-

 

ଭିଲେନ୍‍ଭ (ଇଦ୍)

ଭିଲା ଭଲ୍‍ଗା ୩୦ ଡିସେମ୍ବର ୧୯୩୩

 

ପ୍ରିୟ ବନ୍ଧୁ,

 

ଆମର ପତ୍ରାଳାପଠାରୁ ଇତି ମଧ୍ୟରେ କେତେ ମାସ ଅତିବାହିତ ହୋଇଯାଇଛି । ତଥାପି ମୁଁ ଆପଣଙ୍କ ନିକଟକୁ ମନେମନେ ଏକାଧିକବାର ପତ୍ର ଲେଖିଛି । ବର୍ତ୍ତମାନ ଚାଲିଥିବା ବିଶ୍ଵବ୍ୟାପୀ ସଂଘର୍ଷରେ ଆପଣ ମୋ ନିକଟରେ ଜଣେ ଦୁର୍ଲ୍ଲଭ ଆଧ୍ୟାତ୍ମିକ ବନ୍ଧୁ ହିସାବରେ ପ୍ରତିଭାତ । ଯାହା ସହିତ ମୁଁ ଆଳାପ ଓ କରମର୍ଦ୍ଦନ ମାଧ୍ୟମରେ ନହେଲେ ମଧ୍ୟ ଭାବର ହାର୍ଦ୍ଦିକ ଆଦାନପ୍ରଦାନ ଦ୍ଵାରା ସମ୍ପର୍କ ସ୍ଥାପନ କରିପାରୁଛି, କାରଣ ହାତ ସବୁ ଯୁଦ୍ଧରେ ଲିପ୍ତ । ଦକ୍ଷିଣ ଏବଂ ବାମରୁ ଆକ୍ରମଣ ବିରୁଦ୍ଧରେ ବରାବର ସତର୍କ ରହନ୍ତୁ । ଏହିପରି ପୋଇଟିୟର ଯୁଦ୍ଧରେ ରାଜା ଜିନ୍‍ଙ୍କର ପୁତ୍ର ତାକୁ ଏହିପରି ସତର୍କ କରିଥିଲେ ।

 

ଏହି ବର୍ଷ ଆମପାଇଁ କାମର ଅଭାବ ନାହିଁ । କିନ୍ତୁ ଫ୍ରାନସ୍ ଏବଂ ସୁଇଜରଲାଣ୍ଡରେ Edict of Nantesର ପ୍ରତ୍ୟାହାର ପରେ ଶରଣାର୍ଥୀମାନଙ୍କର ସଂଖ୍ୟାବୃଦ୍ଧି ବିଶେଷ ଭାବରେ ଉପଲବ୍‍ଧି କରିବାକୁ ହେବ । (ଏହା ମଧ୍ୟ ସମୟ ଲାଗିବ । ଜର୍ମାନୀ ବରାବର ଦୁଇ ଶତାବ୍ଦୀର ପଛରେ ଅଛି ।) ଗତ କେତେ ମାସ ଧରି ତୁମର ମନ ମୋ ପରି ଲିପ୍‍ଜିଗ୍ (Leipzig) ବିଚାର ମାମଲାରେ ଲିପ୍ତ ଥିଲା । ମୋର ଶକ୍ତି ଅନୁଯାୟୀ କେତେକ ଆବେଦନ ଦ୍ଵାରା ମୁଁ ଏହି ସଂଘର୍ଷରେ ଅଂଶଗ୍ରହଣ କରିଥିଲି । ଯେଉଁ ସଂଘର୍ଷରେ ପାଶବିକ ହିଂସା ବଳବତ୍ତର ନଥିଲା, କିନ୍ତୁ ଯାହା ତା’ର କରାମତି ଆଉ ବେଶୀଦିନ କାଟୁ କରିବ ନାହିଁ । କିନ୍ତୁ ଏହିସବୁ ଜର୍ମାନୀ ସ୍ଵସ୍ତିକ ପ୍ରଗ୍‍ଳଭ ଜର୍ମାନୀଙ୍କର କ୍ରୋଧ ଅପେକ୍ଷା ମୁଁ ମୋର ସ୍ୱ ଦେଶରେ ଏବଂ ଇଂଲଣ୍ଡର ନିସ୍କ୍ରିୟତା, ଉଦାସୀନତା ତଥା ଶକ୍ତିର ଅଭାବ ଦ୍ଵାରା ବିଶେଷ ବିଚଳିତ । ସଂଖ୍ୟାଗରିଷ୍ଠଙ୍କର ଏକମାତ୍ର ଇଚ୍ଛା, ତାହା ହେଉଛି ଯେ କୌଣସିମତେ ସ୍ଵାଧୀନ ହେବା । ୧୫ବର୍ଷ ପୂର୍ବର ରକ୍ତପାତ ପରେ ଏତାଦୃଶ ଅଭିଳାଷ ସହଜରେ ଅନୁମେୟ । ଯାହାହେଉ, ଯେତେବେଳେ ଗଧିଆମାନେ ମେଣ୍ଢାମାନଙ୍କୁ ଘେରି ବୁଲୁଛନ୍ତି ସେତେବେଳେ ଏହିପରି ଅଭିଳାଷ ତ୍ୟାଗ ବହୁଳ ହୋଇପାରେ । ହେଲେ ମଧ୍ୟ ତାହା ବିଶେଷ କିଛି ନୁହେଁ । କାରଣ ପ୍ରକୃତି ରାଜ୍ୟରେ ମଧ୍ୟ ଦେଖାଯାଏ ଯେଉଁ ମେଣ୍ଢା ବଳୁଆ, ତାକୁ ପ୍ରଥମେ ଦୁର୍ବଳମାନଙ୍କ ପାଇଁ ତ୍ୟାଗ ସ୍ଵୀକାର କରିବାକୁ ପଡ଼େ । କିନ୍ତୁ ପ୍ରକୃତରେ ମେଣ୍ଢାମାନଙ୍କ ମଧ୍ୟରେ ବଳୁଆ ମେଣ୍ଢା ଗଧିଆର କିପରି ସମ୍ମୁଖୀନ ହେବାକୁ ହେବ ତାହା ଜାଣିଥାଏ ।

 

ମୁଁ ମୋର ଦୀର୍ଘ ଉପନ୍ୟାସ ମାଳା ‘The Soul Enchanted’ ଶେଷ କରିଅଛି । ପ୍ୟାରିସରେ ଶେଷ ଦୁଇଖଣ୍ଡ ବର୍ତ୍ତମାନ ପ୍ରକାଶିତ ହୋଇସାରିଛି । ସେସବୁ ଆପଣଙ୍କ ନିକଟକୁ ପଠାଇବାକୁ ମୋର ଇଚ୍ଛା । ମାତ୍ର କେତେକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିପାରୁଛି ଯେ ଇଟାଲିରେ ସେସବୁର ପ୍ରବେଶ ନିଷିଦ୍ଧ କରାଯାଇଛି, ଆପଣ ମଧ୍ୟ ଫ୍ରେଞ୍ଚ ଭାଷା ଅନଭିଜ୍ଞ । ମୋର ଆଶା (Vremya) ଭ୍ରେମ୍ୟା ତା’ର ରୁଷୀୟ ଅନୁବାଦ ପ୍ରକାଶନରେ ବିଳମ୍ବ କରିବ ନାହିଁ । ମୁଁ ଯାହା ଲେଖିବି । ତାହା କେବଳ ନିହାତି ଯଥାର୍ଥ କଥା, ମାତ୍ର ନିହାତି ନିଷ୍ଠୁର, ଏବଂ ଗୋଟିଏ ଜାତିର ସୀମାରୁ ଏହା ବହୁ ଦୂରକୁ ସମଗ୍ର ବିଶ୍ୱରେ ସଂପ୍ରସାରିତ । ମୋର ଦୁଇଗୋଟି ମୁଖ୍ୟ ଚରିତ୍ର ମଧ୍ୟରୁ ପ୍ରଥମ ଜଣଙ୍କ ପୁତ୍ର, ପଥ ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ଭାଙ୍ଗିପଡ଼ିଛି । ମାତ୍ର ମୁକ୍ତ ହୋଇଛି । ଅନ୍ୟଜଣଙ୍କ ହେଉଛି ମା’ ସଂଗ୍ରାମ କରିଚାଲିଛି । ସତେଅବା ନିଜ ବାହୁରେ ପୁତ୍ରର ଶରୀରଟାକୁ ତୋଳି ଧରି ସେ ଚାଲିଛି । ମନରେ ତା’ର ଗଭୀର ନୈତିକ ଆଦର୍ଶ ଓ ଆଧ୍ୟାତ୍ମିକ ପ୍ରେରଣା ।

 

ଲୁନା ଚାରସ୍‍କିଙ୍କ ତିରୋଧାନରେ ମୁଁ ଅତ୍ୟନ୍ତ ମର୍ମାହତ । ସେ ଯୁଦ୍ଧ ସମୟରେ ସୁଇଜରଲ୍ୟାଣ୍ଡରେ ଥିଲେ ଏବଂ ମୋ ଦୃଷ୍ଟିରେ ସେ ଥିଲେ ରୁଷୀୟ ବିପ୍ଳବର ପ୍ରଥମ କର୍ଣ୍ଣଧାର । ବିପ୍ଳବର ଜଟିଳ ମୁହୂର୍ତ୍ତରେ ସେ ଏକ ଅତ୍ୟନ୍ତ ଗୌରବୋଜ୍ଜ୍ୱଳ ତଥା ମଙ୍ଗଳଜନକ ଭୁମିକା ଗ୍ରହଣ କରିଥିଲେ । ତାଙ୍କର ସେହି ଭୂମିକା ହେଉଛି କଳା, ଆଦର୍ଶ ତଥା ନ୍ୟାୟର ଭୂମିକା ।

 

ଅତ୍ୟନ୍ତ ଆନନ୍ଦର ସହିତ ମୁଁ ଆପଣଙ୍କ କରମର୍ଦ୍ଦନ କରୁଛି । ନୂତନ ବର୍ଷ ଉପଲକ୍ଷେ ମୋର ଏବଂ ପ୍ରସ୍ତାବିତ ଭାବୀ ପତ୍ନୀ ମ୍ୟାରିଆ କୁଡ଼ା ସେଭାଙ୍କର (Maria Kudasheva) ଶୁଭେଚ୍ଛା ଜ୍ଞାପନ କରୁଛି ।

 

ଆପଣଙ୍କର ବଂଧୂ

ରୋମା ରୋଲାଁ

 

“ମ୍ୟାକସିମଗର୍କି ସାହିତ୍ୟ ସାମ୍ରାଜ୍ୟର ବିସ୍ତାର ସାଧନ କରିଛନ୍ତି ? କାରଣ ସେ ସାହିତ୍ୟ ଏବଂ ନୂତନ ପାଠକମାନଙ୍କ ପାଇଁ ନବ ନବ କଥାବସ୍ତୁ ଉଦ୍ଭାବନ କରିପାରିଛନ୍ତି । ସେ ତାଙ୍କ ପୂର୍ବରୁ ସାହିତ୍ୟରେ ସଂପୂର୍ଣ୍ଣ ଅଜ୍ଞାତ ସମାଜ ଓ ବ୍ୟକ୍ତିମାନଙ୍କୁ ନିଜ ରଚନାରେ ବର୍ଣ୍ଣନା କରିପାରିଛନ୍ତି । ସେ ଜନସାଧାରଣଙ୍କୁ ସାହିତ୍ୟରେ ସୁଦୃଢ଼ କରିପାରିଛନ୍ତି । ତେବେ ସାହିତ୍ୟିକମାନେ ସାମନ୍ତବାଦୀ ଗୋଷ୍ଠୀର ରୁଚି, ସ୍ଵାର୍ଥ ଏବଂ ଅଭିଳାଷ ଉପରେ ଆଉ ନିର୍ଭର କରନ୍ତି ନାହିଁ । ତାହାହେଲେ ସେଥିପାଇଁ ପ୍ରଚଣ୍ଡ ପ୍ରତିଭାଶାଳୀ ମ୍ୟାକସିମ ଗର୍କୀଙ୍କୁ ଧନ୍ୟବାଦ ଦେବାର କଥା ।”

 

ତାରିଖ ୨୭ ମାର୍ଚ୍ଚ ୧୯୨୮

ହେନେରିଚ୍ ମାନ୍

 

(Heinrich Mann)

 

ଡିସେମ୍ବର ତା. ୨ ରିଖରୁ ତା. ୧୨ ରିଖ ମଧ୍ୟରେ ୧୮୯୬

ଏନ୍, ନଭଗୋରଡ଼୍

 

ପ୍ରିୟ ଆଣ୍ଟନ ପ୍ୟାଭଲୋଭିଚ୍

 

ମୋ ପତ୍ରର ପ୍ରତ୍ୟୁତ୍ତର ପାଇଁ ଅଶେଷ ଧନ୍ୟବାଦ । ମୋତେ ପୁଣି ପତ୍ର ଲେଖିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଆହୁରି ଥରେ ଧନ୍ୟବାଦ । ମୁଁ ଆପଣଙ୍କ ପତ୍ର ଅପେକ୍ଷାରେ ଚାହିଁ ବସିଛି ଏବଂ ମୋର କ୍ଷୁଦ୍ରଗଳ୍ପଗୁଡ଼ିକ ସମ୍ପର୍କରେ ଆପଣଙ୍କର ମତାମତ ଜାଣିବା ପାଇଁ ମୁଁ ଅତ୍ୟନ୍ତ ଆଗ୍ରହୀ-। ମୁଁ ସେଦିନ “ଅଙ୍କଲ ବାନିୟା” (Uncle Vanya) ଦେଖିବାକୁ ଯାଇଥିଲି । ଦେଖିଥିଲି ମଧ୍ୟ-। କିନ୍ତୁ ମାଇଚିଆଙ୍କ ଭଳି କାନ୍ଦି ପକାଇଥିଲି । ମୁଁ ଆଦୌ ଭାବପ୍ରବଣ ନୁହେଁ; କିନ୍ତୁ ତୁମର ନାଟକ ଦେଖିବାପରେ ମୁଁ ବଡ଼ ଅସ୍ଥିର । ମର୍ମାହତ ହୋଇଥିଲି ଏବଂ ଘରକୁ ଫେରିଆସିଥିଲି-। ତୁମଙ୍କୁ ସଙ୍ଗେ ସଙ୍ଗେ ଖଣ୍ଡିଏ ପତ୍ର ଲେଖିପକାଇଲି । ମାତ୍ର ପତ୍ରଟି ଚିରିଦେଇଥିଲି-। ଏହି ନାଟକରେ ନିର୍ଦ୍ଦିଷ୍ଟ ଏବଂ ସ୍ପଷ୍ଟ ଭାବରେ କୌଣସି କଥା ଅଭିବ୍ୟକ୍ତ କରାଯାଇନି । ମୁଁ କିନ୍ତୁ ଅନୁଭବ କରିଥିଲି ଯେ, ଅଭିନୟ ଦେଖିବା ସଙ୍ଗେ ସଙ୍ଗେ ମୋତେ ଯେପରି ଦୁଇପଟୁ ଆକ୍ରମଣ କରାଯାଇଛି । ଦାନ୍ତ ଯେପରି ଠିକ୍ ବକ୍ଷ ଭିତରେ ଚାଲିଯାଉଛି ଏବଂ ବକ୍ଷ ବିଦୀର୍ଣ୍ଣ ହୋଇଯାଉଛି । ଏହାପରେ, ଏହାପରେ କେବଳ ଚିତ୍କାର ।

 

ମୋ ପକ୍ଷରେ ଆପଣଙ୍କ ‘ଅଙ୍କଲ ବନିୟା’ ନାଟକ ଏକ ସାଙ୍ଘାତିକ ଅନୁଭୂତି । ନାଟ୍ୟକଳା କ୍ଷେତ୍ରରେ ଏହା ଏକ ନୂତନ ଦିଗ୍‍ଦର୍ଶନ, ଏକ କଠିନ ହାତୁଡ଼ି, ଯାହାକି ଆପଣ ଜନସାଧାରଣଙ୍କ ମୁଣ୍ଡରେ ଠୁକିବା ପାଇଁ ଚାହିଁଛନ୍ତି । ଯାହାହେଉ ଜନସାଧାରଣ ସେପରି ଅଜ୍ଞତାରେ ମଗ୍ନ । ଅଟଳ ଏବଂ ଅଚଳ । ସେମାନେ ଆପଣଙ୍କ ନାଟ୍ୟ ଚରିତ୍ରମାନଙ୍କର ଗଭୀର ସତ୍ୟ କ୍ଵଚିତ୍ ହୃଦୟଙ୍ଗମ କରିଛନ୍ତି । ଆପଣ କଅଣ ଆଉ ନାଟକ ଲେଖିବା ପାଇଁ ଇଚ୍ଛା କରିଛନ୍ତି ? ଆପଣ ନାଟକ ଲେଖିବାରେ ଅତ୍ୟନ୍ତ ସିଦ୍ଧହସ୍ତ ।

 

‘ବନୟା’ର ଶେଷ ଦୃଶ୍ୟରେ ଯେତେବେଳେ ଦୀର୍ଘ ନୀରବତା ପରେ ଡାକ୍ତର ଆଫ୍ରିକାର ଉତ୍ତାପ କହିବାକୁ ଆରମ୍ଭ କରିଛନ୍ତି, ସେତେବେଳେ ମୁଁ ଆପଣଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁଁ ଉତ୍ସାହିତ ହୋଇଥିଲି ଏବଂ ଆମ୍ଭମାନଙ୍କର ଶୋଚନୀୟ ବର୍ଣ୍ଣହୀନ ଜୀବନ ପାଇଁ ରୀତି ଅନୁଭବ କରିଥିଲି । ଆପଣଙ୍କର ଦୁର୍ଦ୍ଦାନ୍ତ ପ୍ରତିଭା ଅଛି । କିନ୍ତୁ ଶୁଣନ୍ତୁ । ଆପଣ ଏପରି ଆକ୍ରମଣ ଏବଂ ଆଘାତ ଦ୍ୱାରା କ’ଣ ସାଧନ କରିପାରିବେ ବୋଲି ଭାବୁଛନ୍ତି ? ମଣିଷର ପୁନର୍ଜନ୍ମ ଏବଂ ମୁକ୍ତି ଆଣିବା ପାଇଁ ତାହା କ’ଣ ସହାୟକ ହେବ ? ଆମ୍ଭେମାନେ ଦୟନୀୟ ମଣିଷ । ଏହା ନିରାଟ ସତ୍ୟ, ଆମ୍ଭେମାନେ ନିହାତି ବାଜେ । ନିଷ୍ପନ୍ଦ, ନିଶୂନ ଏବଂ ରୁକ୍ଷ । ସେଥିପାଇଁ ମଣିଷ ପରି ବଞ୍ଚି, ଆମ୍ଭମାନଙ୍କ ପରି ଅଥର୍ବ, ରୁକ୍ଷ, ଜୀର୍ଣ୍ଣଶୀର୍ଣ୍ଣ, ମଣିଷକୁ ଭଲପାଇବାକୁ ହେଲେ, ଦୟାକରିବାକୁ ହେଲେ, ଜଣକର ପ୍ରଚଣ୍ଡ ପ୍ରତିଭା ଥିବା ଦରକାର ।

 

ତଥାପି, ଲୋକମାନଙ୍କ ପାଇଁ କେବଳ ବ୍ୟଥିତ ହେବାକୁ ପଡ଼ୁଛି । ଉଦାହରଣସ୍ୱରୂପ ମୋର ଆଦୌ ପ୍ରତିଭା କିମ୍ବା ଶକ୍ତି ନାହିଁ; ମାତ୍ର ‘ବନିୟା’ର ଏବଂ ତା’ ସଦୃଶ ବ୍ୟକ୍ତିମାନଙ୍କୁ ଦେଖିବା ମାତ୍ରେ ମୁଁ ଶୋକାଭିଭୁତ ହୋଇଯାଇଥିଲି । ଯଦ୍ୟପି କାନ୍ଦିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ, ପୁନଶ୍ଚ ତା’ ସମ୍ପର୍କରେ ଚିନ୍ତା କରିବା ଆହୁରି ନିର୍ବୋଧତା । ମୋତେ ଯେପରି ଜଣାପଡ଼ୁଛି ଆପଣ ମଧ୍ୟ ଜାଣନ୍ତି ଯେ, ଏହି ନାଟକରେ ସୟତାନ ଅପେକ୍ଷା ଆପଣ ଲୋକମାନଙ୍କ ପ୍ରତି ଖୁବ୍ ଅଧିକ ଉଦାସୀନ, ବୀତସ୍ପୃହ ଏବଂ ରୁକ୍ଷ । ଝଡ଼ ଏବଂ ତୁଷାର ସଦୃଶ ଆପଣ ଅତ୍ୟନ୍ତ ଉଦାସୀନ । ଆପଣ ମୋତେ କ୍ଷମା କରିବେ । ମୋର ଭ୍ରାନ୍ତି ହୋଇପାରେ କିନ୍ତୁ ମୁଁ ମୋର ବ୍ୟକ୍ତିଗତ ଧାରଣା ହିଁ ବ୍ୟକ୍ତ କରୁଅଛି । ଆପଣ ଜାଣନ୍ତୁ ଯେ, ଆପଣଙ୍କ ନାଟକ ଅଭିନୟ ପରେ ମୁଁ ଭୟଭୀତ ଏବଂ ଅବ୍ୟବସ୍ଥିତ ଅନୁଭବ କରିଥିଲି ।

 

ମୁଁ ଆପଣଙ୍କ ହସ୍ତ ମର୍ଦ୍ଦନ କରୁଅଛି । ଆପଣଙ୍କ ସାଧନା ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମୋର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଅଛି । ଆପଣଙ୍କର ଯେତେ ପ୍ରଶଂସା ହେଲେ ମଧ୍ୟ, ଆପଣଙ୍କର ପ୍ରଶଂସା ଯଥେଷ୍ଟ ହୋଇନପାରେ, ବରଂ ଆପଣଙ୍କୁ ଭୁଲ୍ ବୁଝିବାର ଆଶଙ୍କା ଅଛି । ମୋର ଆଶା, ମୁଁ ଏହାର ଆଉ ଏକ ପ୍ରମାଣ ନୁହେଁ ।

 

ଏ. ପେସକୋଭ୍

 

ଜୁଲାଇ ଶେଷ, ଅଗଷ୍ଟ ଆରମ୍ଭ ୧୯୨୧

 

ସମସ୍ତ ସଭ୍ୟ ଜଗତ ସାହାଯ୍ୟ ପାଇଁ ଆପଣଙ୍କର ଆବେଦନ ସମ୍ପର୍କରେ ଅବଗତ । ଆପଣ ଯଥାର୍ଥ କଥା କହିଛନ୍ତି ଯେ, ମାନବିକତାରେ ଆମ୍ଭମାନଙ୍କର ଯେଉଁ ବିଶ୍ଵାସ, ତାହା ସର୍ବଗ୍ରାସୀ ଯୁଦ୍ଧ ଏବଂ ଯୁଦ୍ଧ କଳଙ୍କ ବହନ କରିଥିବା ଆଗାମୀ ଶାନ୍ତି-ପ୍ରଶ୍ନଦ୍ୱାରା ଗଭୀର ଭାବରେ ଚହଲିଯାଇଛି । ବାଦ ପ୍ରତିବାଦ, ବିରୋଧ, ଯାହାକି ଉତ୍ତେଜନାବଶତଃ ତୀବ୍ରତର ହୋଇଛି ଏବଂ ଅସ୍ୱଭାବିକ ମଧ୍ୟ ହୋଇଛି । ଆଜି ସାରା ବିଶ୍ଵ ଦ୍ଵିଧା ହିଂସା ପୀଡ଼ିତ ଏବଂ ମୋର ଆଶଙ୍କା ସମଗ୍ର ବିଶ୍ୱ ବର୍ତ୍ତମାନ କରୁଣ ମୃତ୍ୟୁର ସମ୍ମୁଖୀନ ଏବଂ ରକ୍ତାକ୍ତ ।

 

ତଥାପି ଚାଲ ବିଶ୍ଵାସ କରିବା ଯେ, ସ୍ଵତନ୍ତ୍ର ବ୍ୟକ୍ତିଗତ ଜୀବନରେ ଯେପରି ଗଣଜୀବନ ଏବଂ ସମଗ୍ର ମାନବସମାଜ ପକ୍ଷରେ ମଧ୍ୟ ସେହିପରି ଅନ୍ଧାର ଏବଂ ଆଲୋକ ପରସ୍ପରର ଅନୁସରଣ କରନ୍ତି । ବିଶ୍ଵାସ କର ଯେ, ବର୍ତ୍ତମାନର ତମିସ୍ରା ପରେ ନିଶ୍ଚୟ ଆଲୋକ ଉଦ୍‍ଭାସିତ ହେବ । ତେଣୁ, ପ୍ରିୟ ବନ୍ଧୁ ଗର୍କୀ, ମୋର କହିବାପାଇଁ ଭାରି ଇଚ୍ଛାହେଉଛି ଯେ, ଧୈର୍ଯ୍ୟଧର ଏବଂ ଏହି ଆଗାମୀ ଆଲୋକ ପାଇଁ ଆଶା ରଖ, ବିଶ୍ଵାସ ରଖ ।

 

ଏହା ଯେପରି ଜଣାପଡ଼ୁଛି, ତାହା ଅପେକ୍ଷା ଆହୁରି ନିକଟବର୍ତ୍ତୀ ହୋଇପାରେ । ସମ୍ଭବତଃ ଆପଣଙ୍କର ଆବେଦନର ପୂର୍ଣ୍ଣ ପ୍ଲାବିତ ରଶ୍ମିଧାରା, ଦରିଦ୍ର, ଏବଂ ଶୋଷିତ ଧରିତ୍ରୀ ମଧ୍ୟରୁ ସେହି ଶକ୍ତି ଜାଗ୍ରତ କରିବାରେ ସାହାର୍ଯ୍ୟ କରିପାରେ । ଯାହାକୁ ଆପଣ ଜନତାର ମାନବିକତା ଏବଂ ସୃଜନୀ ଶକ୍ତି ବୋଲି ଅଭିହିତ କରିଛନ୍ତି । ଏହା ହୋଇପାରେ ଏହି ତୀକ୍ଷ୍ଣ ରଶ୍ମିଧାରା ମାନବିକ ଅନୁଭୂତି ରୂପ ଜୀର୍ଣ୍ଣବୃକ୍ଷରେ ନୂତନ ଜୀବନ ସଂଚାର କରିବ ଏବଂ ରୁଷିଆ ତଥା ବିଶ୍ଵର କଲ୍ୟାଣ ଉଦ୍ଦେଶ୍ୟରେ ଏହାର କିଶଳୟଶୋଭୀ ମୁକୁଟକୁ ଆହୁରି ସବୁଜ ଏବଂ ଜୀବନ୍ତ କରିପାରିବ ।

 

ବସ୍ତୁତଃ ମୋର ବିଶ୍ୱାସ, ଏହି ଆଶା କଦାପି ଭ୍ରାନ୍ତ ଏବଂ ବ୍ୟର୍ଥ ହେବ ନାହିଁ । ମନୁଷ୍ୟ ମଧ୍ୟରେ ଏକ ପ୍ରକାର ଅନ୍ତର ନିହିତ ଶକ୍ତି ନିହିତ ଅଛି । ଠିକ୍ ଯେପରି ନଗ୍ନ ଏବଂ ତୁଷାର ଆକ୍ରାନ୍ତ ଶାଖା ଶୂନ୍ୟ ବୃକ୍ଷ ମଧ୍ୟରେ ନୂତନ ପଲ୍ଲବ ପାଇଁ ଏକ ଅପୂର୍ବ ଶକ୍ତି ନିହିତ ଥାଏ ।

 

ତେଣୁ ମୋର ଏହା ଏକ ସାଙ୍ଘାତିକ ଭବିଷ୍ୟତ ବାଣୀ, ‘ସମଗ୍ର ସଭ୍ୟଜଗତ ତୁମର ଗଭୀର ମର୍ମସ୍ପର୍ଶୀ ଆବେଦନ କେବଳ କାନରେ ନୁହେଁ ହୃଦୟରେ ମଧ୍ୟ ଗ୍ରହଣ କରିସାରିଛନ୍ତି ।’

 

ଏହା କଦାପି ବ୍ୟର୍ଥ ଏବଂ ନିଷ୍ଫଳ ହେବନାହିଁ । ବରଂ ମାନବ ସମାଜ ଏହା ଯେତିକି ଅଧିକ ପରିମାଣରେ ସାଧନ କରିବାକୁ ସମର୍ଥ ହେବ, ଠିକ୍ ସେହି ପରିମାଣରେ ଦାରିଦ୍ର୍ୟ ଏବଂ ରୋଗର ମୂଳୋତ୍ପାଟନ କରିବା ସମ୍ଭବ ହେବ ଏବଂ ଏହାର ସମାଧାନ ସେତେବେଳେ ବ୍ୟାପକ ଏବଂ କ୍ଷିପ୍ର ହେବ ।

 

ଚର୍‍ହାର୍ଟ ହପ୍‍ଟମାନ୍

 

ବିଶ୍ଵଯୁଦ୍ଧ ଏବଂ ଗୃହଯୁଦ୍ଧରେ ମ୍ରିୟମାଣ ରୁଷିଆରେ ବୁଭୁକ୍ଷୁମାନଙ୍କୁ ସାହାଯ୍ୟ କରିବାକୁ ଗର୍କୀଙ୍କର ବେତାର ମାଧ୍ୟମରେ ଆବେଦନ । ଗର୍କୀ ବ୍ୟକ୍ତିଗତ ଭାବରେ ହପ୍‍ଟମାନଙ୍କୁ ଏହି ଆବେଦନ ମଧ୍ୟ ପଠାଇଥିଲେ । ଆବେଦନର ଉତ୍ତର ସ୍ୱରୂପ ଏହି ପତ୍ରଟି ପଠନୀୟ ।

 

୮ ଜାନୁୟାରୀ ୧୯୨୮

 

ପ୍ରିୟ ମ୍ୟାକ୍‍ସିମଗର୍କୀ,

 

ଆପଣଙ୍କୁ ପତ୍ର ଲେଖିବାର ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ମୋର ଆଶା, ଆପଣଙ୍କର ସେଠାରେ ସମସ୍ତ କୁଶଳ । ଅନେକଦିନର ଅବସ୍ଥାନ ପରେ ମୁଁ ବର୍ତ୍ତମାନ ଠିକ୍ ସୋଭିଏଟ୍ ଇଉନିୟନରୁ ଫେରିଛି ଏବଂ ମୋର ଦୃଢ଼ ବିଶ୍ୱାସ ହୋଇଛି ଯେ, ଆପଣ ସମାଜର ପ୍ରତ୍ୟେକ ସ୍ତରର ଲୋକମାନଙ୍କଦ୍ୱାରା ଆଦୃତ, ସମ୍ମାନିତ ଏବଂ ପ୍ରଶଂସିତ । ମୁଁ ମଧ୍ୟ ସୋଭିଏଟ ସମ୍ବାଦପତ୍ରମାନଙ୍କ ମାଧ୍ୟମରେ ପ୍ରକାଶ୍ୟରେ ଆପଣଙ୍କ ପ୍ରତି ମୋର ଧାରଣା ତଥା ପାଶ୍ଚାତ୍ୟ ଦେଶମାନଙ୍କ ଉପରେ ଆପଣଙ୍କର ବୌଦ୍ଧିକ ତଥା ନୈତିକ ପ୍ରଭାବ ସମ୍ପର୍କରେ କହିବା ପାଇଁ ସମର୍ଥ ହୋଇଥିଲି । ମୁଁ ଆପଣଙ୍କ ସହିତ ନିମ୍ନୋକ୍ତ ପ୍ରସଙ୍ଗ ଆଲୋଚନା କରିବାକୁ ଚାହେଁ ।

 

ଆଗାମୀ ବସନ୍ତ ଋତୁରୁ ସାହିତ୍ୟ, କଳା, ବିଜ୍ଞାନ ଏବଂ ସାମାଜିକ ଜୀବନ ସମ୍ପର୍କରେ ଆନ୍ତର୍ଜାତିକ ସମ୍ବାଦପୂର୍ଣ୍ଣ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିବା ପାଇଁ ମୁଁ ଏକ ଯୋଜନା କରିଅଛି-। ଏହି ପତ୍ରିକାର ନାମ “ଲେ ମନ୍ଦେ” (Le Monde) ଏବଂ ଏହା ଫରାସୀ ଭାଷାରେ ପ୍ରକାଶିତ ହେବ । ଏହା ସଂପୂର୍ଣ୍ଣ ଭାବରେ ଏକ ସ୍ୱାଧୀନ ପତ୍ରିକା, ଏବଂ କୌଣସି ରାଜନୈତିକ ଦଳ ସହିତ ଏହାର ସମ୍ପର୍କ ନାହିଁ । କୌଣସି ସାମରିକ ରାଜନୀତି ସହିତ ଏହାର ସମ୍ପର୍କ ମଧ୍ୟ ରହିବ ନାହିଁ-। ଏହି ପତ୍ରିକା ବରାବର ବାମପନ୍ଥୀମାନଙ୍କର ଆଦର୍ଶ, ତଥା ସମସ୍ୟାର ସମର୍ଥନ କରିବ ଏବଂ ପ୍ରତିକ୍ରିୟା, କୁସଂସ୍କାର, ସାମ୍ରାଜ୍ୟବାଦ, ଏକଛତ୍ରବାଦ ଏବଂ ଔପନିବେଶିକ ଅତ୍ୟାଚାର ସୂଚକ ଯେ କୌଣସି ଚିନ୍ତା ତଥା କାର୍ଯ୍ୟର ଏହା ବିରୋଧ କରିବ । ପୃଥିବୀର ଶ୍ରେଷ୍ଠ ପ୍ରତିନିଧିସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ପତ୍ରିକାରେ ଲେଖିବା ପାଇଁ ସ୍ୱୀକୃତ ହୋଇଛନ୍ତି । (ଅବଶ୍ୟ ହିଂସା, ପ୍ରତିକ୍ରିୟା, ଶୋଷଣର ସମର୍ଥକ ନେତାମାନଙ୍କୁ ଛାଡ଼ି, ଯେଉଁମାନଙ୍କୁ ଲେଖା ପାଇଁ ମୁଁ ଅନୁରୋଧ କରିନାହିଁ ।) ମୁଁ ଆପଣଙ୍କ ନାମ ଲେଖକ ତାଲିକାରେ ଶୀର୍ଷସ୍ଥାନରେ ରଖିଛି । ଆପଣ ପତ୍ରିକାର ସଂପାଦନା ମଣ୍ଡଳୀରେ ଜଣେ ସଭ୍ୟଭାବରେ ରହିବାକୁ ଏକାନ୍ତ ଅନୁରୋଧ ।

 

ମୋର ଦୃଢ଼ ଆଶା, ଏହି ଯୋଜନା ନିଶ୍ଚୟ ସଫଳ ହେବ ।

 

ବଂଧୁତ୍ୱ ଏବଂ ବିଶ୍ଵାସ ସହିତ ଆପଣଙ୍କ କରମର୍ଦ୍ଦନ କରୁଛି ।

 

ହେନେରୀ ବାରବୁସେ

(Henri Barbussa)

 

ମ୍ୟାକ୍‍ସିମ୍ ଗର୍କୀ ଯେବେ କେବଳ ଜଣେ ମନୋରଂଜନ ସାହିତ୍ୟ, ଶିଳ୍ପ, ଆମୋଦଦାୟକ ଗଳ୍ପର ସ୍ରଷ୍ଟା ହୋଇଥାନ୍ତେ, ତାହାହେଲେ ସମଗ୍ର ବିଶ୍ୱ ଆଜି ତାଙ୍କର ଷାଠିଏ ଜୟନ୍ତୀ ଯେପରି ଗାମ୍ଭୀର୍ଯ୍ୟ ସହିତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତାହା ସେପରି କରିନଥାନ୍ତେ । ଆମ୍ଭମାନଙ୍କ ଯୁଗରେ ପ୍ରେରଣାଶୂନ୍ୟ ନଗ୍ନସାହିତ୍ୟ କଳା ତଥା ଶସ୍ତା ପ୍ରଗଳ୍‍ଭ ସାହିତ୍ୟସେବୀ ନିଷ୍କ୍ରିୟ ଲେଖକମାନଙ୍କର ଆଦୌ ଆବଶ୍ୟକତା ନାହିଁ । ଗର୍କୀଙ୍କ ସାହିତ୍ୟଦୃଷ୍ଟିର ବ୍ୟାପକ ମହତ୍ତ୍ଵ ଅଛି । ସେ ଏକ ନୈତିକ ଆଦର୍ଶର ଧାରକ । ସାମାଜିକ ଚେତନାର କର୍ଣ୍ଣଧାର । ସେ ଇଉରୋପର ସେହି ଆଧ୍ୟାତ୍ମିକ ଗୋଷ୍ଠୀର ଅନ୍ତର୍ଭୁକ୍ତ । ବହୁକ୍ଷେତ୍ରରେ ପରସ୍ପର ସହିତ ଯୋଗସୂତ୍ର ନଥିବା ସେହି ଗୋଷ୍ଠୀର ସଭ୍ୟମାନେ ପରସ୍ପରକୁ ଏକ ଉଚ୍ଚସ୍ତରରେ ଆବିଷ୍କାର କରିପାରିଛନ୍ତି । ସେମାନେ ଆଧ୍ୟାତ୍ମିକ ସ୍ତରରେ ମୌଳିକ ଐକ୍ୟ ଉପଲବ୍‍ଧି କରିପାରିଛନ୍ତି । ଯେଉଁ ଐକ୍ୟ ପାଇଁ ପୃଥିବୀର ଏହି ଅଂଶରେ ସଂଗ୍ରାମ ଚାଲିଛି ଏବଂ ବିଭିନ୍ନତା ମଧ୍ୟରେ ଅନ୍ୟାୟ, ଅଜ୍ଞତା ଏବଂ ଭ୍ରାନ୍ତ ସ୍ଥିତି ବିରୋଧରେ ବରାବର ମିଳିତ କଣ୍ଠସ୍ୱର ଶୁଣାଯାଉଛି । ଯେଉଁମାନେ ରୁଷିଆକୁ ଭଲପାଆନ୍ତି ଏବଂ ମ୍ୟାକ୍‍ସିମ୍‍ଗର୍କୀଙ୍କ ଜରିଆରେ ତାକୁ ସମ୍ମାନ କରନ୍ତି, ମାର୍ଚ୍ଚ ୨୭ ତାରିଖ ଦିବସରେ ମୁଁ ସେମାନଙ୍କ ସୁଖଶାନ୍ତି ଉଦ୍ଦେଶ୍ୟରେ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ଥମାସ୍ମାନ୍

(Thomas Mann)

 

Unknown

୨୯ ତାରିଖ ଅଗଷ୍ଟ

ସାଲଜ୍‍ବର୍ଗ (ଅଷ୍ଟ୍ରିୟା)

 

ମିଷ୍ଟର ଗର୍କୀ,

 

ମୁଁ ବିଶେଷ ଅଭିଭୂତ । ଏହା ଖୁବ୍ ବିରଳ ଘଟଣା ଯେ, ମୁଁ ଆଜି ଏପରି ସୁସମ୍ବାଦସୂତକ ପତ୍ର ପାଇଛି, ତାହା ହେଉଛି ଆପଣ ମୋର କ୍ଷୁଦ୍ର ଉପନ୍ୟାସ “A letter from an Unknown Woman” ଆପଣଙ୍କ ସଙ୍କଳନରେ ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି । ଅବଶ୍ୟ ଆନନ୍ଦର ସହିତ ମୁଁ ମୋର ସ୍ଵୀକୃତି ଦେଉଛି । ମାତ୍ର ଆପଣଙ୍କର ଅନୁମୋଦନ ହିଁ ମୋ ପକ୍ଷରେ ଦେଉଛି ସର୍ବାଧିକ ଆନନ୍ଦ । ଆପଣଙ୍କ ସାହିତ୍ୟ ସୃଷ୍ଟି ପାଇଁ ମୋର ଅସୀମ ଆଗ୍ରହ । ଆପଣଙ୍କ ଲେଖା Memoirs*ରେ ଆପଣଙ୍କ ପ୍ରଥମ ବିବାହ ବର୍ଣ୍ଣନା ମୋ ମନରେ ଗତ କେତେବର୍ଷ ଧରି ଗଭୀର ରେଖାପାତ କରିଛି ।

 

ଜର୍ମାନୀ ସାହିତ୍ୟରେ ଏପରି କୌଣସି ଲେଖକ ନାହାନ୍ତି, ଯାହାଙ୍କ ରଚନାରେ ଏପରି ମୌଳିକ ଏବଂ ଜୀବନ୍ତ ସତ୍ୟ ପରିଦୃଷ୍ଟ ହୁଏ । ଶିଳ୍ପ କଳା ସାହାଯ୍ୟରେ ସମ୍ଭବତଃ କୃତ୍ରିମ ଶୈଳୀ ସାହାଯ୍ୟରେ ଏପରି ବର୍ଣ୍ଣନା ସମ୍ଭବ ବୋଲି ମୁଁ ଜାଣେ । କିନ୍ତୁ ଆପଣଙ୍କର ଜୀବନ୍ତ ବର୍ଣ୍ଣନା ମୋ ପକ୍ଷରେ ଅପୂର୍ବ ଏବଂ ଅନ୍ୟାନ୍ୟ ସାଧାରଣ । ଏପରିକି ଟଲଷ୍ଟୟ ମଧ୍ୟ ଏପରି ନିପୁଣ କଥାଶିଳ୍ପୀ ନଥିଲେ । ମୁଁ ଆପଣଙ୍କ ପୁସ୍ତକ ସବୁ କେଡ଼େ ଭଲପାଏ । ଦୁଃଖଦୁର୍ଦ୍ଦଶାଗ୍ରସ୍ତ ନିନ୍ଦନୀୟ ଗତ କେତେବର୍ଷ ଧରି ଆପଣ ଯେଉଁ ମାନବିକ ଚେତନା ପ୍ରଦର୍ଶନ କରିଛନ୍ତି, ତାହାପାଇଁ ମୋ ଅନ୍ତରରେ କି ଅଦ୍ଭୁତ ଶ୍ରଦ୍ଧା !

 

ବର୍ତ୍ତମାନ ମୁଁ ଯେ କି ଆନନ୍ଦ ଅନୁଭବ କରୁଛି, ଏହାର କାରଣ ମୁଁ ପ୍ରକାଶ୍ୟଭାବରେ ଆପଣଙ୍କ ଉଦ୍ଦେଶ୍ୟରେ ମୋର ଶ୍ରଦ୍ଧା ଓ ଭକ୍ତି ନିବେଦନ କରିପାରୁଛି । ବର୍ତ୍ତମାନ ଯେବେ ଆପଣଙ୍କୁ ମୋର ଦୁଇଖଣ୍ଡ ପୁସ୍ତକ ଅର୍ପଣ କରେ, ତାହାହେଲେ ଆପଣ ମୋତେ ଅନ୍ୟଥା ଭାବିବେ ନାହିଁ । ପୁସ୍ତକ ଦୁଇଖଣ୍ଡ ହେଲା, କ୍ଷୁଦ୍ର ଉପନ୍ୟାସ “ଆମକ୍” (Amok) ଏବଂ ‘ଥ୍ରୀ ମାଷ୍ଟରସ’ (Three Masters) । ଶେଷୋକ୍ତ ପୁସ୍ତକ ଉପନ୍ୟାସ ସଂପର୍କୀୟ ଆଲୋଚନା ଏବଂ ଏଥିରେ ‘ଡଷ୍ଟଇଭସ୍କ’ ସମ୍ପର୍କରେ ଏକ ପରିଚ୍ଛେଦ ଅନ୍ତର୍ଭୁକ୍ତ । ଆପଣ ସେ ସବୁ ପଢ଼ିବା ପାଇଁ ବାଧ୍ୟ ନୁହନ୍ତି ଏବଂ ମୋତେ ଧନ୍ୟବାଦ ଦେବା ଦରକାର ନାହିଁ ।

 

ସେ ପୁସ୍ତକ ଆପଣ ନିଜେ ନ ପଢ଼ି ଅନ୍ୟ କାହାକୁ ଦେଇପାରନ୍ତି । ଏହା ସବୁ କେବଳ ଆପଣଙ୍କୁ କିଛି ଉପହାର ଅର୍ପଣ କରିବାର ମୋର ଇଚ୍ଛାର ପ୍ରତୀକ । ଆପଣ ଯେବେ କେବେ ମୋତେ ଆନନ୍ଦ ଦେବାପାଇଁ ଚାହାନ୍ତି, ତାହାହେଲେ ଆପଣ ଆପଣଙ୍କର ଯେ କୌଣସି ପାଣ୍ଡୁଲିପିର କେତେକ ପୃଷ୍ଠା ମୋ ନିକଟକୁ ପଠାଇଦିଅନ୍ତୁ । ସାହିତ୍ୟିକମାନଙ୍କ ପାଇଁ ଶ୍ରଦ୍ଧା ଏବଂ ଭକ୍ତିବଶତଃ ଏବଂ ସେମାନଙ୍କ ରଚନାର ବୈଶିଷ୍ଟ୍ୟ ଉପଲବ୍‍ଧି କରିବା ପାଇଁ ମୁଁ ସେମାନଙ୍କ ପାଣ୍ଡୁଲିପିର ପ୍ରତିଲିପି ସଂଗ୍ରହ କରିଥାଏ । (ଅବଶ୍ୟ ଛୋଟ ଛୋଟ ଝିଅମାନେ ଦସ୍ତଖତ ସଂଗ୍ରହ କରିବାଭଳି ନୁହେଁ । ମୋର ସଂଚୟନରେ ଡଷ୍ଟଇଭସ୍‍କି (Dostoevsky)ଙ୍କର The Injured and the Insultedର ଦୁଇଟି ପରିଚ୍ଛେଦ ଅନ୍ତର୍ଭୁକ୍ତ । ଟଲଷ୍ଟୟଙ୍କ “Kreutzer Sonata” ପାଣ୍ଡୁଲିପିର ଦୁଇଟି ପରିଚ୍ଛେଦ ମଧ୍ୟ ଏଥିରେ ସ୍ଥାନ ପାଇଛି । ଏହି ଦୁଇଟି ପ୍ରତିଲିପି ଯୁଦ୍ଧ ପୂର୍ବରୁ ବହୁ ବ୍ୟୟ ଏବଂ ପରିଶ୍ରମ କରି ମୁଁ ସଂଗ୍ରହ କରିପାରିଥିଲି । ଆପଣ ଯେବେ ସ୍ଵହସ୍ତ ଲିଖିତ କେତେ ପୃଷ୍ଠା ଏହି (Dioscuri) ସଂଚୟନରେ ସଂଯୁକ୍ତ କରିପାରନ୍ତେ, ତାହାହେଲେ ସତେ ମୁଁ କେଡ଼େ ଆନନ୍ଦିତ ହୁଅନ୍ତି ।

 

ଭକ୍ତ ସହିତ ।

 

ଷ୍ଟେଫାନ୍ ଜୁଇଗ୍

(Stefan Zweig)

 

ବି: ଦ୍ର:-ରୋଲାଣ୍ଡଙ୍କୁ ଦେଖିବାର ସୁଯୋଗ କେବେ ଛାଡ଼ିବ ନାହିଁ । ତାଙ୍କର ସାନ୍ନିଧ୍ୟ ଲାଭ କରିବା ଜଣକର ଜୀବନର ଏକ ପ୍ରଧାନ ଘଟଣା । ତାଙ୍କର ଅନୁକମ୍ପା ନ୍ୟାୟଜ୍ଞାନ, ଏହି ଶୋଚନୀୟ ପୃଥିବୀରେ ଅଦ୍ୱିତୀୟ । ତାଙ୍କର ମାନସିକ ଶକ୍ତି ନିକଟରେ ଶାରୀରିକ ଦୁର୍ବଳତା ପରାଜିତ ହୋଇଥାଏ ।

 

ପେଟ୍ରୋଗ୍ରାଡ଼୍

୧୯୧୫ ଡିସେମ୍ବର ପୂର୍ବରୁ

 

ପ୍ରିୟ ବର୍ଣ୍ଣାଡ଼ଶ,

 

ଧ୍ଵଂସାତ୍ମକ ଏବଂ ନିଷ୍ଫଳ ଯୁଦ୍ଧଦ୍ଵାରା ସୃଷ୍ଟି ହୋଇଥିବା ଉତ୍ତେଜନାଠାରୁ ଆପଣ ନିଜକୁ ଅଲଗା କରିପାରିଛନ୍ତି ବୋଲି ସୁସମ୍ବାଦ ଆସି ମୋ ପାଖରେ ପହଞ୍ଚିଛି । ଆମ ଦେଶ ଅତ୍ୟନ୍ତ କର୍ମକ୍ଷମ ଏବଂ ମୌଳିକ ସୃଷ୍ଟି କରିବା ପାଇଁ ସମର୍ଥ । ଅଥଚ ସେହି ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଏହି ସର୍ବନାଶୀ ଯୁଦ୍ଧ ନିଧନ କରିସାରିଛି ।

 

ଆପଣ ଯେବେ ମୋତେ ମନଖୋଲି କହିବାପାଇଁ ଅନୁମତି ଦିଅନ୍ତି, ତାହାହେଲେ ସମଗ୍ର ବିଶ୍ଵବାସୀ ଏକ ମହାସମରର ଦୁର୍ବିପାକ ଦ୍ଵାରା ଆପଣଙ୍କ ପରି ଇଉରୋପର ଜଣେ ନିର୍ଭୀକ ବ୍ୟକ୍ତି ଅନ୍ଧଭାବରେ ଆକ୍ରାନ୍ତ ହେବେ ବୋଲି ମୁଁ ଆଶା କରିନଥିଲି । ଅଙ୍ଗଲୋ ସ୍ୟାକସନମାନଙ୍କର ସମ୍ଭବତଃ ବିଶ୍ଵ ମଧ୍ୟରେ ସର୍ବାଧିକ ସୁସ୍ଥ ପରିକଳ୍ପନା ଏବଂ ଏହାର ସର୍ବଶ୍ରେଷ୍ଠ ପରିପ୍ରକାଶ ଆପଣଙ୍କଠାରେ ଘଟିଛି । ସମଗ୍ର ବିଶ୍ଵରେ ଆପଣଙ୍କର ପ୍ରଚାରିତ ଚିନ୍ତାଧାରା ହିଁ ଏହାର ପ୍ରକାଶ । ମୋର ଆଶା, ଆପଣ ମୋର ଏହି ବକ୍ତବ୍ୟକୁ ଅଯଥାର୍ଥ ବୋଲି ଭାବିବେ ନାହିଁ । ଏହା ସବୁ ଆପଣଙ୍କ ପାଇଁ ମୋର ଥିବା ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ଦ୍ଵାରା ପରିଚାଳିତ । ମୋର ଆପଣଙ୍କୁ ଗୋଟାଏ ଅନୁରୋଧ ଅଛି । ମୁଁ ଏବଂ ମୋର କେତେଜଣ ଆନ୍ତର୍ଜାତିକ ସାଥୀ ସହଯୋଗରେ ଗୋଟିଏ ପତ୍ରିକା ପ୍ରକାଶ କରିବାକୁ ଯାଉଛି । ସେହି ପତ୍ରିକା ପାଇଁ ଆପଣଙ୍କଠାରୁ ଗୋଟିଏ ଲେଖା ମାଗୁଛି । ଇଂଲଣ୍ଡର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ଆପଣଙ୍କର ମତାମତ, ଚିନ୍ତାଧାରା ଏବଂ ଭବିଷ୍ୟତବାଣୀ ଆମ୍ଭେମାନେ ଜାଣିବାକୁ ଚାହୁଁଛୁ ।

 

ଅବଶ୍ୟ ଜଣେ ସାମ୍ୟବାଦୀ ଭାବରେ ଆପଣ ବେଶ୍ ଜାଣିପାରିଛନ୍ତି ଯେ, ମାନବ ସମାଜର ସେହି ଗୋଷ୍ଠୀଙ୍କର ଆବଶ୍ୟକତା କ’ଣ । ସେହି ଗୋଷ୍ଠୀଙ୍କର ଆଧ୍ୟାତ୍ମିକ ଶକ୍ତି ଓ ଚେତନା ସାମ୍ୟବାଦ ଆଦର୍ଶଦ୍ଵାରା ଉଦ୍‍ବୁଦ୍ଧ । ସେମାନେ କେବଳ ବର୍ତ୍ତମାନ ବୈରାଶ୍ୟଜନକ ପରିପ୍ରେକ୍ଷୀରେ ଏକ ନୂତନ ସମାଜ ଗଠନ ପାଇଁ ଆଶାପୋଷଣ କରିନାହାନ୍ତି; ବରଂ ଏହି ଭୟାବହ ଅବସ୍ଥାରେ ସେମାନେ ଦୃଢ଼ବିଶ୍ୱାସ କରନ୍ତି ଯେ, ଜୀବନର ଧାରା ନିଶ୍ଚିତ ଭାବରେ ଏପରି ରହିବ ନାହିଁ !

 

ପ୍ରିୟ ବଂଧୂ ‘ଶ’, ମୁଁ ଆପଣଙ୍କୁ ବ୍ୟାକୁଳ ନିବେଦନ କରୁଛି ଯେ, ଆପଣ ରୁଷିଆବାସୀଙ୍କୁ ସାହାଯ୍ୟ କରନ୍ତୁ, ଯେପରି ସେମାନେ ଦେଶବାସୀଙ୍କ ପ୍ରାଣରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିବେ । ଆପଣ ଏତାଦୃଶ କାର୍ଯ୍ୟକ୍ରମ ନିପୁଣ ଭାବରେ ବିଶ୍ଵମଧ୍ୟରେ ସଂପାଦନ କରିପାରୁଛନ୍ତି ।

 

ଅନୁଗ୍ରହ କରି ମୋର ଷ୍ଟକହମ୍ ଠିକଣାରେ ଲେଖାଟି ପଠାନ୍ତୁ । ଆପଣଙ୍କର ଇଚ୍ଛା କ’ଣ, ମୋତେ ଜଣାଇବେ ।

 

ଆପଙ୍କୁ ଶୁଭେଚ୍ଛା ସହ,

ଏମ୍, ଗର୍କୀ

 

ଇଂରେଜ ସାହିତ୍ୟର ବିଖ୍ୟାତ ନାଟ୍ୟକାର ଓ ବୁଦ୍ଧିଜୀବୀ ଜର୍ଜ ବର୍ଣ୍ଣାଡ଼ଶ’ଙ୍କୁ ଗର୍କୀଙ୍କର ଲିଖିତ ପତ୍ର ।

 

ମାର୍ଚ୍ଚ, ଏପ୍ରିଲ ୧୯୨୩

ପ୍ରିୟ ବର୍ଣ୍ଣାଡ଼ଶ’,

 

ବିଲନରୁ ରୁଷିଆ ଭାଷାରେ ପ୍ରକାଶ ହେବାକୁ ଯାଉଥିବା ସାହିତ୍ୟ ଓ ବିଜ୍ଞାନ ସମ୍ବନ୍ଧୀୟ ପତ୍ରିକା ଉଦ୍ଦେଶ୍ୟରେ ଗୋଟିଏ ଲେଖା ଦେବାପାଇଁ ମୁଁ ଆପଣଙ୍କୁ ଅନୁରୋଧ ଜଣାଉଛି । ପତ୍ରିକାର ସଂପାଦକ ହେଉଛନ୍ତି ଅଧ୍ୟାପକ ଏ. ବ୍ରନ୍ (Professor. A Braun) ଆଉ ମୁଁ । ଏହି ପତ୍ରିକାର ଉଦ୍ଦେଶ୍ୟ ହେଉଛି ପାଶ୍ଚାତ୍ୟ ସାହିତ୍ୟ ତଥା ବିଜ୍ଞାନ ସମ୍ପର୍କରେ ରୁଷିଆକୁ ଅବିହିତ କରିବା । ଏହି ପତ୍ରିକା ଅଣ-ରାଜନୈତିକ ଏବଂ ଆନ୍ତର୍ଜାତିକ । ଜର୍ମାନୀ, ଫ୍ରାନ‌୍ସ, ସ୍ପେନ୍, ଜେକୋସ୍ଳାଭାକିଆ ପ୍ରଭୃତି ଦେଶର ଲେଖକମାନେ ଏହି ପତ୍ରିକାରେ ଲେଖିବେ । ଗିନ୍ ଲେସ୍ଓ୍ୟାର୍ଦ୍ଦି କେତେକ ପୃଷ୍ଠା ଲେଖିଛନ୍ତି ଏବଂ ଏଚ୍. ଜି. ଓଏଲସ୍ ତାଙ୍କ ନିକଟରେ ଲିଖିତ ପୁସ୍ତକ ମଧ୍ୟ ପ୍ରେରଣ କରିଛନ୍ତି । ଏହି ବହି ରୁଷୀୟ ଭାଷାରେ ଅନୂଦିତ ହେଉଛି ।

 

ଆପଣଙ୍କୁ ମୋର ଅନୁରୋଧ, ଆପଣ ଯେକୌଣସି ବିଷୟରେ ଆପଣଙ୍କ ଇଚ୍ଛାନୁଯାୟୀ ଆମପାଇଁ ଗୋଟିଏ ଲେଖା ପଠାନ୍ତୁ । ଅବଶ୍ୟ ସାଂପ୍ରତିକ ଇଉରୋପ କିମ୍ବା ଇଂଲଣ୍ଡର ଅବସ୍ଥା, ବିଶେଷତଃ ଇଂରେଜ ରଙ୍ଗମଞ୍ଚ ସମ୍ପର୍କରେ ଆପଣଙ୍କର ମତାମତ ଜାଣିବା ଅତ୍ୟନ୍ତ ସମୀଚୀନ ହେବ । ଆପାତତଃ ଏଥିରୁ କୌଣସି ବିଷୟରେ ମୁଁ ଗୁରୁତ୍ୱ ଦେଉନାହିଁ । ପ୍ରକୃତ ଘଟଣା ହେଉଛି ଆପଣଙ୍କ ଚିନ୍ତାଧାରା ଓ ଦୃଷ୍ଟିକୋଣ ସହିତ ପରିଚିତ ହେବା । ବିଶେଷତଃ ଆପଣ ସ୍ଵଭାବସୁଲଭ ମୌଳିକ ଢଙ୍ଗରେ ପ୍ରତ୍ୟେକ ବିଷୟରେ ବେଶ୍ ଆଲୋକପାତ କରିପାରନ୍ତି ।

 

ଆପଣ ମୋତେ ବିଶ୍ୱାସ କରନ୍ତୁ । ମୁଁ ଆଦୌ ଖୋସାମତ କରୁନାହିଁ । ମୁଁ ଠିକ୍ ବର୍ତ୍ତମାନ ଆପଣଙ୍କ “Back to Methuselah” ନାଟକର କେତେକାଂଶ ପଢ଼ିପାରିଛି । ଏହା ମୋତେ ବିସ୍ମିତ କରିଛି, ଠିକ୍ ଆପଣଙ୍କ ତୀକ୍ଷ୍ଣ ଚାତୁରୀ ମୌଳିକତା, ଏବଂ ପ୍ରତିଭା ସର୍ବଦା ଯେପରି ପ୍ରଭାବ ସୃଷ୍ଟି କରିଥାଏ ।

 

ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ, ରଥରଫୋର୍ଡ଼ଙ୍କ (Rutherford) ରେଡ଼ିୟମ ଆଣ୍ଡ ଇଲେକ୍ଟ୍ରନ (Radium and Electron)ର ବିସ୍ତୃତ ଆଲୋଚନା କେଉଁ ଇଂରେଜ ବୈଜ୍ଞାନିକ ପତ୍ରିକା ପାଇଁ ଲେଖିବାକୁ ସ୍ୱୀକୃତ ହେବ, ତାହା ମୋତେ ଜଣାଇବେ । ଆପଣ ଯେବେ ଏପରି କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି, ତାହାହେଲେ ତାଙ୍କର ନାମ ଏବଂ ଠିକଣା ମୋତେ ଲେଖିପାରନ୍ତି କିମ୍ବା ଆପଣଙ୍କର ଯେବେ ବିଶେଷ ଅସୁବିଧା ନ ହୁଏ, ତାହାହେଲେ ନିଜେ ଆପଣ ସେ ମହାଶୟଙ୍କୁ ଆଲୋଚନା ଲେଖିବାକୁ କହିପାରନ୍ତି । ସମ୍ଭବତଃ ଆଉ କିଏ କିଏ ପତ୍ରିକା ପାଇଁ ଲେଖିପାରିବେ, ଆପଣ ମୋତେ ତାହା ଜଣାଇବେ ।

 

ଏହିସବୁ ଅସୁବିଧା, ହଇରାଣ ପାଇଁ ଆପଣ ମୋତେ କ୍ଷମା କରିବେ ।

 

ଶୁଭେଚ୍ଛାସହ

ଏମ୍. ଗର୍କୀ

 

ଗର୍କୀ

ଜୁଲାଇ ୨୬, ୧୯୩୧

 

ପ୍ରିୟ ବର୍ଣ୍ଣାଡ଼ଶ’

 

ଅସୁସ୍ଥତାବଶତଃ ମୁଁ ଆପଣଙ୍କ ସହିତ କରମର୍ଦ୍ଦନ କରିବାକୁ ମସ୍କୋକୁ ଆସିପାରୁ ନାହିଁ-। ଆପଣ, ଜଣେ ପ୍ରଚଣ୍ଡ ଯୋଦ୍ଧା ଏବଂ ଭୟଙ୍କର ପ୍ରତିଭାଶାଳୀ ବ୍ୟକ୍ତି । ଆପଣ ଗୋଟାଏ ଶତାବ୍ଦୀର ଚାରିଭାଗରୁ ତିନିଭାଗ ଅତିବାହିତ କଲେଣି ଏବଂ ରକ୍ଷଣଶୀଳତା ବିରୋଧରେ ଏବଂ ଅବାଂଛିତ ପରମ୍ପରା ମସ୍ତକରେ ଆପଣଙ୍କର ତୀକ୍ଷ୍ଣ ମେଧା ଯେଉଁସବୁ କଠୋର ପ୍ରହାର କରିଛି, ତାହା କଳନାତୀତ । ମୁଁ ଜାଣି ଅତ୍ୟନ୍ତ ଆହ୍ଲାଦିତ ହେଲି ଯେ, ଆପଣ ଗୋଟାଏ ଦେଶରେ ଆପଣଙ୍କ ୭୫ତମ ଜୟନ୍ତୀ ପାଳନ କରୁଛନ୍ତି, ଯେଉଁ ଦେଶର ଅଧିବାସୀମାନେ ଆପଣଙ୍କ ସମାଲୋଚିତ ଦୁନିଆ ବିରୋଧରେ ବିରାଟ ସଂଗ୍ରାମ ଆରମ୍ଭ କରିଛନ୍ତି ଏବଂ ସଫଳତାର ସହିତ ସଂଗ୍ରାମ ଚଳାଇଛନ୍ତି ଏବଂ ଶେଷରେ ନିଶ୍ଚୟ ବିଜୟ ହାସଲ କରିବେ ।

 

ଗର୍କୀ

 

ନରଓଏନ୍ ଲେଖକ ହମ୍‍ସନ୍‍ଙ୍କୁ ଗର୍କୀଙ୍କର ପତ୍ର

 

ସାରୋ

ଜାନୁୟାରୀ ୨୪, ୧୯୨୩

 

ପ୍ରିୟ ହମ୍‍ସନ୍,

 

ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କ ପ୍ରତିଭାର ଜଣେ ପ୍ରଶଂସକ ଏବଂ ମୋ ବିଚାରରେ ଆପଣ ସମଗ୍ର ଇଉରୋପରେ ଜଣେ ଶ୍ରେଷ୍ଠ ଶିଳ୍ପୀ । ଭିକ୍ଟୋରିୟା (Victoria), ପାନ୍ (Pan), ମିଷ୍ଟ୍ରିଜ୍ (Mysteries) ଏବଂ ଆପଣଙ୍କ ଅନ୍ୟାନ୍ୟ ପୁସ୍ତକ ଅତୀବ ଆଧ୍ୟାତ୍ମିକ ଆନନ୍ଦର ଉତ୍ସ ।

 

ଆଜି ମୁଁ ଆପଣଙ୍କ ଲିଖିତ Growth of the Soil ବହି ପଢ଼ିସାରିଲି । ଆପଣଙ୍କ ବହି କେତେକ ସମୟ ପାଇଁ ମୋ ମନରେ ଯେଉଁ ଗଭୀର ଆହ୍ଲାଦ ସୃଷ୍ଟି କଲା । ସେଥିପାଇଁ ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହେଁ । ବହୁଦିନ ଧରି ମୁଁ ଏତାଦୃଶ ବହି ଖଣ୍ଡେ ପଢ଼ିବାକୁ ପାଇନଥିଲି, ଯାହାକି ମୋତେ ଗଭୀର ଭାବରେ ଆକୃଷ୍ଟ କରିପାରିଛି । ଆପଣ ଅତ୍ୟନ୍ତ ମୌଳିକ ପ୍ରସଙ୍ଗ ଲେଖିଛନ୍ତି । ଆପଣଙ୍କ କୃତୀ ଯଥାର୍ଥରେ ଏକ ପ୍ରସିଦ୍ଧ ସୃଷ୍ଟି (ଏପିକ୍) । ନିକଟରେ ଜନୈକ ରୁଷୀୟ କବି “ମଦର ସଟର ଡେ” (Mother Saturday) ଶୀର୍ଷକ ଏକ କବିତା ଲେଖି ସରଳ ମାନବ ଆତ୍ମାର ସୌନ୍ଦର୍ଯ୍ୟକୁ ଉଚ୍ଛ୍ଵାସିତ ପ୍ରଶଂସା କରିଥିଲେ । ଆପଣ ସେହି ସୌନ୍ଦର୍ଯ୍ୟକୁ ଅଭୂତପୂର୍ବ ସଫଳତା, ନିଷ୍ଠା ଏବଂ ଦକ୍ଷତା ସହିତ ବର୍ଣ୍ଣନା କରିପାରିଛନ୍ତି ।

 

ମୁଁ ଯାହା କହୁଛି, ଆପଣ ତାହା ବିଶ୍ୱାସ କରନ୍ତୁ । ମୁଁ ଏପରି ଏକ ରାଜ୍ୟର ଅଧିବାସୀ ଯେଉଁଠାରେ କି ଯେ କୌଣସି ଇଉରୋପୀୟ ଦେଶ ଅପେକ୍ଷା କୃଷିଜୀବୀ ଏବଂ କୃଷି ସମ୍ପର୍କରେ ବହୁ ସାହିତ୍ୟ ଲେଖାଯାଇଛି । ଲିଓ ଟଲଷ୍ଟୟ ଏବଂ ଅନ୍ୟାନ୍ୟ ବହୁ ରୁଷୀୟ ଲେଖକ ଶ୍ରମ ଓ ଶ୍ରମିକ ସମ୍ପର୍କରେ ଲେଖିଛନ୍ତି । ଓ୍ୟାଲଡ଼ିସ୍ଲାଭ ରେମଣ୍ଟ (Wladyslav Reymont) ଏକ ବିରାଟ ଉପନ୍ୟାସ ଲେଖିଛନ୍ତି । ଏହି ଉପନ୍ୟାସର ନାମ ହେଉଛି “A Year” । ଏହା ଗ୍ରାମ୍ୟଜୀବନ ଉପରେ ଆଧାରିତ । କିନ୍ତୁ ଏହି ସବୁର ସ୍ଥାନ ଆପଣଙ୍କର ଶକ୍ତିଶାଳୀ ତଥା ବିଚକ୍ଷଣ କୃତିର ପଛରେ । ପ୍ରିୟ ହମ୍‍ସନ୍, ଏହାହିଁ ମୁଁ କହିବାକୁ ଚାହିଁଥିଲି ଏବଂ ଏହା ମୋର ହୃଦୟର କଥା ।

 

ଆପଣଙ୍କ ଶାରୀରିକ କୁଶଳ; ତଥା ଆଉ ଏକ ପ୍ରସିଦ୍ଧ ପୁସ୍ତକ ପାଇଁ ମୋର ଶୁଭେଚ୍ଛା । ଆପଣ କିପରି ଅଛନ୍ତି ଏବଂ ବର୍ତ୍ତମାନ କ’ଣ କରୁଛନ୍ତି, ଏହାସବୁ ମୋତେ ଜଣାଇ ପତ୍ର ଲେଖିଲେ ମୁଁ ଆନନ୍ଦିତ ହେବି ।

 

ଭକ୍ତିସହ,

ଏ. ପେସ୍‍କୋଭ

 

ଅପ୍‍ଟନ୍‍ ସିନକ୍ଳେୟାରଙ୍କୁ ଗର୍କୀଙ୍କର ପତ୍ର

 

କାପ୍ରି

ଜୁନ ୧, ୧୯୧୨

 

ପ୍ରିୟ ସିନକ୍ଳେୟାର,

 

ମୁଁ ଲିଗ୍‍ର ପ୍ରସ୍ତାବିତ କାର୍ଯ୍ୟକ୍ରମ ବୁଝିପାରିଛି । ମୋତେ ଏହି ସର୍ବାଧୁନିକ ଅନୁଷ୍ଠାନର ଜଣେ ସଭ୍ୟଭାବରେ ଗ୍ରହଣ କରିବାକୁ ଅନୁରୋଧ କରୁଛ । ମୁଁ ଅବଶ୍ୟ ମୋର ଯଥାସାଧ୍ୟ ଲିଗ୍‍ର ଉଦ୍ଦେଶ୍ୟ ସାଧନ ପାଇଁ ସର୍ବବିଧ ଚେଷ୍ଟା କରିବି ।

 

କାର୍ଯ୍ୟକ୍ରମ ରୁଷୀୟ ଭାଷାରେ ଅନୂଦିତ ହୋଇସାରିଛି ଏବଂ ପ୍ରକାଶନ ପାଇଁ ରୁଷିଆକୁ ପ୍ରେରିତ ହୋଇଛି ।

 

କମରେଡ଼ ସିନକ୍ଳେୟାର, ଲିଗ୍‍ର ଉଦ୍ଦେଶ୍ୟ ସହାୟକ ମୋର କେତେକ ଯୋଜନା ମୁଁ ଏଠାରେ ଉଲ୍ଲେଖ କରୁଛି । ତାହାସବୁ ଏହି ଚିଠି ସହିତ ସ୍ୱତନ୍ତ୍ର ଭାବରେ ପ୍ରେରିତ ହୋଇଛି ।

 

ଆପଣଙ୍କର ସଫଳତା କାମନା କରି ।

 

ଶୁଭେଚ୍ଛାସହ

ଗର୍କୀ

 

ସିନକ୍ଳେୟାରଙ୍କ ଦ୍ଵାରା ପରିକଳ୍ପିତ ।

 

† ଆନ୍ତର୍ଜାତିକ ଲିଗ୍‍କୁ ଲକ୍ଷ୍ୟ କରାଯାଇଛି ।

 

ମାର୍ଚ୍ଚ, ୧୯୨୩

 

ମୋର ପ୍ରିୟ ବଂଧୁ,

 

ଆପଣଙ୍କ ପତ୍ର ପାଇଁ ଧନ୍ୟବାଦ । “The Story of a Patriot” ପୂରାପୂରି World Literature ଦ୍ୱାରା ‘Jimmie Higgins’ ସହିତ ପ୍ରକାଶିତ ହୋଇଛି । ‘ଜିମ୍ ହିଜିନମ୍’ ଏକ ଚମତ୍କାର ବିଷୟ ଏବଂ ରୁଷୀୟ ପାଠକମାନଙ୍କ ଦ୍ୱାରା ବିଶେଷ ଆଦୃତ । ଆପଣ ଖୁବ୍ ଚମତ୍କାର ଲେଖୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଭାବରେ ଶୁଭେଛା ଜଣାଉଛି ।

 

ବର୍ଲିନଠାରୁ ରୁଷିଆର ଜନସାଧାରଣଙ୍କୁ ପ୍ରାଚୀନ ଏବଂ ନୂତନ ବିଜ୍ଞାନ ଏବଂ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ଅବହିତ କରିବା ପାଇଁ ମୁଁ ରୁଷୀୟ ଭାଷାରେ ଏକ ପତ୍ରିକା ପ୍ରକାଶ କରୁଛି । କ୍ଲାର୍କ ସମ୍ଭବତଃ ଏହି ବିଷୟ ଆପଣଙ୍କୁ ଜଣାଇଛନ୍ତି ।

 

ଯୁକ୍ତରାଷ୍ଟ୍ରରେ ସାହିତ୍ୟର ଆଧୁନିକ ଗତି ଓ ଅବସ୍ଥା ସମ୍ପର୍କରେ ଆପଣଙ୍କ ମତାମତ କେତେ ପୁଷ୍ଠା ଭିତରେ ଲେଖିବା ପାଇଁ ଚେଷ୍ଟା କରିବେ କି ?

 

ମୁଁ ଆପଣଙ୍କ ନିକଟରେ ବିଶେଷ କୃତଜ୍ଞ ରହିବି ଏବଂ ରୁଷିଆର ଜନସାଧାରଣ ମଧ୍ୟ ଆପଣଙ୍କ ନିକଟରେ କୃତଜ୍ଞ ରହିବେ ।

 

ଆପଣଙ୍କ ସମ୍ପର୍କରେ ଆମ୍ଭମାନଙ୍କୁ ଜଣାଇବେ । ଆପଣ ବର୍ତ୍ତମାନ କ’ଣ ଲେଖୁଛନ୍ତି । ଆପଣ କିପରି ଅଛନ୍ତି । ଇଉରୋପ ସମ୍ପର୍କରେ ଆପଣଙ୍କ ଧାରଣ କଅଣ ?

 

‘Are Theatre’ ଏବଂ Chauve Souris ସମ୍ୱାଦ କ’ଣ ଜଣାଇବେ ।

 

ଅନୁଗ୍ରହ କରି ଲେଖିବେ ।

 

ବିଶ୍ୱସ୍ତ ବଂଧୁ

 

୧୯୨୩ ମସିହାରେ ମସ୍କୋର ଆର୍ଟ ଥିଏଟର ଯୁକ୍ତରାଷ୍ଟ୍ରରେ ଭ୍ରମଣ କରୁଥିଲେ । ସେହିପରି ରସିୟାନ୍ ମିନିଆଚର ଥିଏଟର ସେତେବେଳେ ଯୁକ୍ତରାଷ୍ଟ୍ରରେ ଭ୍ରମଣ କରୁଥିଲେ ।

 

ଏଚ୍. ଜି. ଓଏଲସ୍‍ଙ୍କ ନିକଟକୁ ଗର୍କୀଙ୍କର ପତ୍ର

 

ପ୍ରିୟବଂଧୁ

 

ମୁଁ ବର୍ତ୍ତମାନ ଆପଣଙ୍କର ସଦ୍ୟପ୍ରକାଶିତ ପୁସ୍ତକ Mr. Britling sees it Throughର ରୁଷୀୟ ଅନୁବାଦର ପୃଫ୍ ସଂଶୋଧନ ଶେଷ କଲି ଏବଂ ଆପଣ ଏପରି ଏକ ଚମତ୍କାର ପୁସ୍ତକ ଲେଖିଥିବାରୁ ମୁଁ ଆପଣଙ୍କୁ ମୋର ସମ୍ବର୍ଦ୍ଧନା ଜଣାଉଛି । ଅଭିଶପ୍ତ ଯୁଦ୍ଧ ସମୟରେ ଇଉରୋପରେ ଏହା ହେଉଛି ଏକ ସର୍ବଶ୍ରେଷ୍ଠ ନିର୍ଭୀକ, ସତ୍ୟନିଷ୍ଠ ଏବଂ ମାନବିକ ଆବେଦନ ପୂର୍ଣ୍ଣ ଗ୍ରନ୍ଥ । ମୁଁ ନିଶ୍ଚୟ କରି କହୁଛି ଯେ, ପରେ ଯେତେବେଳେ ଆମ୍ଭେମାନେ ପୁନର୍ବାର ଉପଲବ୍‍ଧି କରିବା ଏବଂ ମାନବିକ ବିଚାରଦ୍ୱାରା ଉଦ୍‍ବୁଦ୍ଧ ହେବା, ସେତେବେଳେ ଇଂରେଜମାନେ ଗର୍ବ କରିବେ ଯେ ବର୍ବରତା ଓ ସାମରିକ ଆକ୍ରମଣ ବିରୋଧରେ ସର୍ବପ୍ରଥମେ ଏପରି ଦୃଢ଼ ପ୍ରତିବାଦ ସ୍ୱର ଇଂଲଣ୍ଡରେ ଉତ୍ତୋଳିତ ହୋଇଥିଲା ଏବଂ ସମସ୍ତ ନୀତିବାଦୀ ଓ ବିଜ୍ଞ ବ୍ୟକ୍ତିମାନେ କୃତଜ୍ଞତା ସହିତ ଆପଣଙ୍କ ନାମ ଉଚ୍ଚାରଣ କରିବେ । ବହୁବର୍ଷବ୍ୟାପୀ ପ୍ରଭାବ ବିସ୍ତାର କରୁଥିବା ପୁସ୍ତକମାନଙ୍କ ମଧ୍ୟରେ ଆପଣଙ୍କର ପୁସ୍ତକ ପରିଗଣିତ । ପ୍ରିୟ ବଂଧୂ ଓଏଲସ, ଆପଣ ଜଣେ ମହାନ୍ ଏବଂ ବିଚକ୍ଷଣ ବ୍ୟକ୍ତି । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ମୋର ଆପଣଙ୍କ ସହିତ ଦେଖାସାକ୍ଷାତ ହୋଇପାରିଛି ଏବଂ ଆପଣଙ୍କର ମୁଖମଣ୍ଡଳ, ଉଜ୍ଜ୍ୱଳଚକ୍ଷୁ ମୋର ମନେପଡ଼ିଯାଉଛି । ସମ୍ଭବତଃ ମୋର ଏହି ବର୍ଣ୍ଣନା ନିହାତି ଅସଂପୂର୍ଣ୍ଣ ଓ ସାଧାରଣ; କିନ୍ତୁ ମୁଁ ଆପଣଙ୍କୁ ଏତିକି ମାତ୍ର କହିବାକୁ ଚାହେଁ ଯେ, ବ୍ୟାପକ ବର୍ବରତା ଏବଂ ନିଷ୍ଠୁରତା ସମୟରେ ଆପଣଙ୍କ ଗ୍ରନ୍ଥ ବସ୍ତୁତଃ ଏକ ସ୍ୱତନ୍ତ୍ର ମାନବିକ କୃତୀ ।

 

ଅବଶ୍ୟ, ମୁଁ ଆପଣଙ୍କ ଗ୍ରନ୍ଥର ଉପସଂହାର ସହିତ ଏକମତ ନୁହେଁ, ବିଶ୍ୱର ବ୍ୟଥା ଏବଂ ବେଦନାର ପାତ୍ର, ରକ୍ତାକ୍ତ ଅବସ୍ଥାରେ ପାନ କରିଥିବା ବ୍ରିଟଲିଙ୍ଗର ବର୍ଣ୍ଣନା କରିବାକୁ ଆପଣଙ୍କୁ ଯେଉଁ ଈଶ୍ୱର ଉଦ୍‍ବୁଦ୍ଧ କରିଛନ୍ତି, ମୁଁ ତାଙ୍କ ଅପେକ୍ଷା ଆଉ କୌଣସି ଈଶ୍ୱରଙ୍କୁ ଜାଣେ ନାହିଁ । ଏହି ଈଶ୍ୱର କେବଳ ଆପଣଙ୍କ ଆତ୍ମାରେ ବାସ କରନ୍ତି । ଆପଣଙ୍କ ଆତ୍ମା ମାନବିକ ଆତ୍ମା । ଈଶ୍ୱର ଅନ୍ୟତ୍ର କେଉଁଠି ବାସ କରନ୍ତି ନାହିଁ, ସେହି ଆତ୍ମାରେ ହିଁ ବାସ କରନ୍ତି । ଆମ୍ଭେ ମଣିଷ ଜାତି ସୁଖ ଏବଂ ଦୁଃଖ ପାଇଁ ଆମ୍ଭ ନିଜର ଈଶ୍ୱରଙ୍କୁ ସୃଷ୍ଟି କରିଛୁ । ଆମ୍ଭ ଚତୁଃପାର୍ଶ୍ଵ ଜଗତରେ ଆମ୍ଭେ କୌଣସି ଈଶ୍ୱରଙ୍କର ସଂଧାନ ପାଉନାହୁଁ । ଆମ୍ଭମାନଙ୍କ ସଦୃଶ ଜନସାଧାରଣ ମଧ୍ୟ ଦୁଃଖରେ ଅଛନ୍ତି ଏବଂ ସେମାନେ ନିଜର ଈଶ୍ୱର ସୃଷ୍ଟି କରିସାରିଛନ୍ତି, ତାହା ହେଉଛି ସୌନ୍ଦର୍ଯ୍ୟ ।

ପ୍ରିୟ ଓଏଲସ୍, ଆପଣ ଗୋଟାଏ ଚମତ୍କାର ଗ୍ରନ୍ଥ ଲେଖିଛନ୍ତି ଏବଂ ଭକ୍ତି ଏବଂ ଶ୍ରଦ୍ଧାରେ ମୁଁ ଆପଣଙ୍କ କରମର୍ଦ୍ଦନ କରୁଅଛି ।

ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋର ଦୁଇଜଣ ବଂଧୁ ଆଲେକଜାଣ୍ଡାର ଟିକୋନଭ୍ ଏବଂ ଲଭାନ୍‍ଲେଡ଼ି ଝିନିକଭ ଗୋଟାଏ ଶିଶୁ ସାହିତ୍ୟ ପ୍ରକାଶନ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ବର୍ତ୍ତମାନ ପୃଥିବୀର ସମ୍ଭବତଃ ପ୍ରାଚୀନ ସମୟରୁ ସର୍ବପେକ୍ଷା ଅଧିକ ମୂଲ୍ୟବାନ ବସ୍ତୁ ହେଉଛନ୍ତି ଶିଶୁମାନେ । ଯେ କୌଣସି ଦେଶର ଶିଶୁମାନଙ୍କ ଅପେକ୍ଷା ରୁଷିଆର ଶିଶୁମାନେ ସମଗ୍ର ମାନବଜାତିର ସୁଖସମୃଦ୍ଧି ନିମନ୍ତେ ବିଶ୍ୱ, ତା’ର ମହାନ୍ ପୁରୁଷ ଏବଂ ସେମାନଙ୍କର କୃତୀ ସମ୍ପର୍କରେ ଶିକ୍ଷା କରିବା ଆବଶ୍ୟକ ହେଉଛି । ଶିଶୁମାନଙ୍କ ହୃଦୟରୁ ଏହି ସାଙ୍ଘାତିକ, ବର୍ବର ଯୁଦ୍ଧର ରକ୍ତାକ୍ତ ଦାଗ ନିଶ୍ଚୟ ଲିଭାଇଦେବାକୁ ପଡ଼ିବ । ସେମାନଙ୍କ ହୃଦୟରେ ମାନବ ଜାତି ପାଇଁ ବିଶ୍ୱାସ ଏବଂ ଶ୍ରଦ୍ଧା ସଂଚାରିତ କରିବାକୁ ପଡ଼ିବ । ଆମ୍ଭଙ୍କୁ ନିଶ୍ଚୟ ସାମାଜିକ ତାରୁଣ୍ୟ ଏବଂ ଚେତନା ପୁନଃପ୍ରତିଷ୍ଠିତ କରିବାକୁ ହେବ, ଯେଉଁ ଚେତନା ସମ୍ପର୍କରେ ବ୍ରିଟଲିଙ୍ଗ ଲେଟିକୁ କହିଥିଲା ଏବଂ ଯାହା ସମ୍ପର୍କରେ ସେ ପୋମେରାନିଆରେ ହେନେରିଚ୍‍ର ପିତାମାତାଙ୍କୁ ଲେଖିଥିଲା ।

ପ୍ରିୟ ଓଏଲସ୍, ମୁଁ ଆପଣଙ୍କୁ ଏଡ଼ିସନଙ୍କ (Edison) ଜୀବନୀ ଏବଂ ରଚନା ସମ୍ପର୍କରେ ଶିଶୁମାନଙ୍କ ପାଇଁ ଏକ ପୁସ୍ତକ ଲେଖିବାକୁ ଅନୁରୋଧ କରୁଛି । ବିଜ୍ଞାନ ଏବଂ ଶ୍ରମ ପାଇଁ ଶିଶୁମାନଙ୍କ ହୃଦୟରେ ଆଗ୍ରହ ଜାତ କରେଇବାକୁ ଏକ ପୁସ୍ତକର ଆବଶ୍ୟକତା ଆପଣ ଅନୁଭବ କରିବେ । ମୁଁ ବେଥୋଭେନ୍ (Beethoven) କଲମ୍ଵସଙ୍କ ସମ୍ପର୍କରେ ପୁସ୍ତକ ଲେଖିବା ପାଇଁ ଯଥାକ୍ରମେ ରୋମାରୋଲାଁ ଏବଂ ନାନସେନର ଫ୍ରିଡ଼ିଜଙ୍କୁ ଅନୁରୋଧ କରିବି । ମୁଁ ନିଜେ ଗାରିବାଲିଡ଼୍‍ଙ୍କ ସମ୍ବନ୍ଧରେ ଲେଖିବି । ଏହି ଉପାୟରେ ଶିଶୁମାନଙ୍କୁ ବହୁ ମହାପୁରୁଷମାନଙ୍କ ଜୀବନୀ ସହିତ ପରିଚିତ କରିଦିଆଯିବ । କେଉଁ କେଉଁ ଇଂରେଜ ଲେଖକମାନେ, ଚାର୍ଲସ ଡିକେନ୍‍ସ ବାଇରନ୍ ଏବଂ ସେଲିଙ୍କ ସମ୍ବନ୍ଧରେ ଲେଖିପାରିବେ, ତାହା ମୋତେ ଦୟାକରି ଜଣାଇବେ । ପୁନଶ୍ଚ ଶିଶୁ ଉପଯୋଗୀ କତିପୟ ଉତ୍ତମ ପୁସ୍ତକର ନାମ ମୋତେ ଜଣାନ୍ତୁ । ଯାହା ସବୁ ମୁଁ ରୁଷୀୟ ଭାଷାରେ ଅନୁବାଦ କରିପାରିବି ।

ମୋର ଆଶା, ମୋତେ ସାହାଯ୍ୟ କରିବାରେ ଆପଣ କୁଣ୍ଠିତ ହେବେ ନାହିଁ । ମୁଁ ପୁଣି କହିରଖୁଛି ଯେ, ଆପଣ ଏକ ଅପୂର୍ବ ଗ୍ରନ୍ଥ ଲେଖିଛନ୍ତି ଏବଂ ମୁଁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି-

ଆପଣଙ୍କର ସ୍ନେହର

ଏମ୍. ଗର୍କୀ

 

ବି: ଦ୍ର:— ମୋର ଠିକଣା, ମାକ୍‍ସିମ୍‍ ଗର୍କୀ,C/o ପରୁଷ (Parus),୧୮, ବୋଲସାୟା ମନେଟନାୟା, ପେଟ୍ରୋଗାର୍ଡ଼

 

ପେଟ୍ରୋଗାଡ଼୍

ମାର୍ଚ୍ଚ ୧୮-୨୧, ୧୯୧୭

 

ପ୍ରିୟ ଓଏଲସ୍,

 

ଏଡ଼ିସନ୍‍ଙ୍କ ଜୀବନୀ ସମ୍ପର୍କରେ ଲେଖିବା ପାଇଁ ଆପଣ ସ୍ଵୀକୃତ ହୋଇନଥିବାରୁ ମୁଁ ବଡ଼ ନୈରାଶ୍ୟ ଅନୁଭବ କଲି । ମୋର ଧାରଣା, ଆପଣ ଖୁବ୍ ସଫଳତାର ସହିତ ଲେଖିପାରିଥାନ୍ତେ । ସମ୍ଭବତଃ ଆପଣଙ୍କ ନୂତନ ପୁସ୍ତକ ଲେଖା ଶେଷ ହେଲେ ଆପଣ କଅଣ ଏହି ବହିଟି ଲେଖିପାରିବେ ?

 

ଆମ୍ଭମାନଙ୍କର ଉଦ୍ଦେଶ୍ୟ ହେଉଛି, କିଶୋରମାନଙ୍କ ହୃଦୟରେ ସାମାଜିକ ତାରୁଣ୍ୟ, ଜନତା ଏବଂ ଜୀବନ ପାଇଁ ପ୍ରେମ, ବିଶ୍ଵାସର ଚେତନା ଜାଗ୍ରତ କରାଇବା । ସେମାନଙ୍କୁ ବୀରତ୍ୱ ଶିକ୍ଷା ଦେବାପାଇଁ ଆମ୍ଭେମାନେ ଚେଷ୍ଟା କରୁଛୁଁ । ସେମାନେ ଅନୁଭବ କରିବା ଉଚିତ ଯେ, ସେମାନେ ହେଉଛନ୍ତି ପୃଥିବୀର ନିର୍ମାତା ଏବଂ କର୍ଣ୍ଣଧାର । ସେମାନେ ପୃଥିବୀର ଦୁର୍ଭାଗ୍ୟ ପାଇଁ ଦାୟୀ ଏବଂ ପୃଥିବୀରେ ଯାହା କିଛି ଶ୍ରେୟ, ସେସବୁ ସେମାନଙ୍କର କୃତିତ୍ଵ । ସେମାନଙ୍କୁ ଆକ୍ରାନ୍ତ କରିଥିବା ବ୍ୟକ୍ତିତନ୍ତ୍ର ଏବଂ ଜାତୀୟତାର ବନ୍ଧନ ଛିନ୍ନ କରିବା ପାଇଁ ବିଶ୍ଵ ଐକ୍ୟ ଉଦ୍ଦେଶ୍ୟରେ ପ୍ରଚାର ଅତ୍ୟନ୍ତ ଆବଶ୍ୟକ । ଆପଣଙ୍କ ନୂତନ ପୁସ୍ତକର ଏକକିତା ପାଣ୍ଡୁଲିପି ଦୟାକରି ମୋ ନିକଟକୁ ପଠାଇବେ କି, କାରଣ ମୋର ଆଶଙ୍କା, ପୁସ୍ତକ ଥରେ ପ୍ରକାଶିତ ହେଲେ, ଖଣ୍ଡେ ସୁଦ୍ଧା ମୋର ହସ୍ତଗତ ହେବ ନାହିଁ ।

 

ଏହି କାହାଣୀ ଏକ ଅପୂର୍ବ କଳାକୃତି । ମୁଁ ଏହାକୁ ଏକ ସ୍ଵତନ୍ତ୍ର ପ୍ରକାଶନରୂପେ ସଜ୍ଜିତ କରିବାକୁ ଏବଂ ମୋ ପତ୍ରିକାର ଅନ୍ତର୍ଭୁକ୍ତ କରିବାକୁ ଚାହେଁ ।

 

ପୁନଶ୍ଚ ଲେଖୁଅଛି ଯେ ଦୟାକରି ଆପଣଙ୍କ ନୂଆ ବହି ଖଣ୍ଡେ ପଠାନ୍ତୁ ଏବଂ ଆପଣଙ୍କର ସର୍ତ୍ତ ଜଣାନ୍ତୁ । ଆପଣଙ୍କର ପ୍ରତ୍ୟୁତ୍ତରକୁ ଅପେକ୍ଷା କରିଛି, ଏବଂ ହେ, ମୋର ପ୍ରିୟ ବନ୍ଧୁ, ନିର୍ଭୀକ ବଂଧୁ, ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ଏମ୍.ଗର୍କୀ

 

ବି:ଦ୍ର :—ବିପ୍ଳବ ଯୋଗୁଁ ଏହି ଚିଠିଟି ଅଟକି ଯାଇଥିଲା । ପ୍ରିୟ, ଓଏଲସ୍, ମୋର ଆଶା ନୂତନ ଗଣତାନ୍ତ୍ରିକ ରାଷ୍ଟ୍ରର ଜନ୍ମରେ ଆପଣ ଆନନ୍ଦିତ ହେବେ । ସମଗ୍ର ଇଉରୋପରେ ଆମ୍ଭେମାନେ ଆଉ ପ୍ରତିକ୍ରିୟାଶୀଳ ବୋଲି ଅଭିହିତ ହେବୁ ନାହିଁ ।

 

୧୧-୨-୧୯୨୦

 

ପ୍ରିୟ ଗର୍କୀ,

 

ଆପଣଙ୍କ ସହିତ ପତ୍ରାଳାପ କରିବାର ସୁଯୋଗ ପାଇବା ଅତୀବ ଆନନ୍ଦର ବିଷୟ ।

 

ଆପଣ ସବୁ କ’ଣ ଲେଖୁଛନ୍ତି ? ମୋର ଆଶା, ଆପଣଙ୍କଠାରୁ ନିକଟ ଭବିଷ୍ୟତରେ ଆମ୍ଭେମାନେ କିଛି ନୂଆ ଜିନିଷ ପାଇପାରିବୁ ଯାହାକି ରୁଷିଆରେ ସଂଘଟିତ ଅପୂର୍ବ ଏବଂ ଅଦ୍ଭୁତ ଘଟଣାବଳୀ ଉପରେ ଯଥେଷ୍ଟ ଆଲୋକପାତ କରିବ । ରୁଷିଆ ନିଜ ପାଇଁ ଏକ ସ୍ଵତନ୍ତ୍ର ପଥ ଅବଲମ୍ବନ କରିଅଛି । ସେଥିପାଇଁ ତା’ ବିରୋଧରେ ପ୍ରବଳ ଚିତ୍କାର ଏବଂ ତୁମୂଳ ଧରଣର ପ୍ରଚାର ମଧ୍ୟ ଚାଲିଅଛି । ମାତ୍ର ଏହି ଦେଶରେ ପ୍ରତିକ୍ରିୟା ପ୍ରତିକୂଳ ଅପେକ୍ଷା ଅଧିକ ବିସ୍ମୟକର । ଆମ୍ଭେମାନେ ବୁଝିପାରୁନାହୁଁ । ଆମ୍ଭେମାନେ ବିଚଳିତ, କିନ୍ତୁ ଏଠାରେ ଏକ ଗଭୀର ବିଶ୍ୱାସ ଯେ ଏହା ମୂଳରେ ଋଷୀୟମାନେ, ଏକ ଅସାଧାରଣ ଶକ୍ତିସଂପନ୍ନ ମନୁଷ୍ୟ, ଯେଉଁମାନେକି ଏକ ନୂତନ ବିଶ୍ଵ ନିର୍ମାଣ କ୍ଷେତ୍ରରେ ବିଶିଷ୍ଟ ଭୂମିକା ଗ୍ରହଣ କରୁଛନ୍ତି ଏବଂ ଗ୍ରହଣ କରିବା ପାଇଁ ଅଭିପ୍ରେତ ।

 

ତୁମର

ଏଚ. ଜି. ଓଏଲ୍ସ

 

ମ୍ୟାକସିମ୍ ଗର୍କୀଙ୍କୁ ୧୯୨୦ ମସିହାରେ ଇଂରେଜ ଲେଖକ ତଥା ବୁଦ୍ଧିଜୀବୀ ଏଚ୍.ଜି.ଓଏଲସଙ୍କ ଲିଖିତ ପତ୍ର ।

 

ଏପ୍ରିଲ ଶେଷ କିମ୍ବା ମେ’ ୧୯୨୦

 

ପ୍ରିୟ ଓଏଲସ୍,

 

ଆପଣଙ୍କ ପତ୍ର ଏବଂ ଆପଣଙ୍କ ପୁସ୍ତକର ପ୍ରଥମ ଭାଗ ମୁଁ ପାଇଅଛି । ଆପଣଙ୍କ ଉଦାରତା ଏବଂ ଆପଣ ମୋତେ ଭୁଲିନାହାନ୍ତି, ଏଥିରେ ମୁଁ ଅନୁଭୂତ ହୋଇପଡ଼ିଛି ।

 

କେତେକ ବିଶେଷଜ୍ଞଙ୍କୁ ମୁଁ ଆପଣଙ୍କ ପତ୍ର ଦେଖାଇଲି ଏବଂ ସେମାନେ ଆପଣଙ୍କ ପୁସ୍ତକର ଭୂରି ଭୂରି ପ୍ରଶଂସା କରିଛନ୍ତି । ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ପରବର୍ତ୍ତୀ ସଂଖ୍ୟା ପାଇବା ମାତ୍ରେ ମୁଁ ପୁସ୍ତକଟି ଅନୁବାଦ କରିବାକୁ ପ୍ରସ୍ତାବ ଦେଇଛି । ରୁଷୀୟ ଗ୍ରନ୍ଥ ବିଦେଶରେ ସୁଇଡ଼େନରେ ମୁଦ୍ରିତ ହେବାପାଇଁ ବ୍ୟବସ୍ଥା କରିବାରେ ମୁଁ ସମର୍ଥ ହେବି, ତାହାହେଲେ ପୁସ୍ତକର ଅଙ୍ଗସଜ୍ଜ ଖୁବ୍ ଚମତ୍କାର ହେବ । ଆପଣଙ୍କ ସର୍ତ୍ତ ଜଣାନ୍ତୁ ।

 

ଆପଣ ପଚାରୁଛନ୍ତି ମୁଁ କିପରି ଅଛି । ଲୋକଶିକ୍ଷା କ୍ଷେତ୍ରରେ ମୁଁ ବହୁତ କିଛି କାମ କରୁଛି, ମାତ୍ର ମୁଁ କିଛି ଲେଖୁନାହିଁ । ଊନବିଂଶ ଶତାବ୍ଦୀର ସମସ୍ତ ଇଉରୋପୀୟ ସାହିତ୍ୟର ପ୍ରକାଶନ ପାଇଁ ମୁଁ ବ୍ୟବସ୍ଥା କରିଛି । ଅବଶ୍ୟ ତାହାସବୁ ଚିରାୟତ୍ତ ସାହିତ୍ୟ । ଏହା ଅନ୍ତତଃ ତିନିହଜାର ପୃଷ୍ଠା ହେବ । ତତ୍ପରେ ବିଜ୍ଞାନ ସଂପର୍କୀୟ ପୁସ୍ତକ ପ୍ରକାଶନ ପାଇଁ ମୁଁ ମଧ୍ୟ ବ୍ୟବସ୍ଥା କରିଛି । ଏଥିରେ ଲୋକପ୍ରିୟ ପୁସ୍ତକଠାରୁ ବିଶ୍ୱବିଦ୍ୟାଳୟ ଏବଂ ମୌଳିକ ସ୍ତରର ପୁସ୍ତକ ପର୍ଯ୍ୟନ୍ତ ବ୍ୟାପକ ଭାବରେ ଅନ୍ତର୍ଭୁକ୍ତ । ବୈଜ୍ଞାନିକମାନଙ୍କର ଅବସ୍ଥାର ଉନ୍ନତି ନିମନ୍ତେ ଗଠିତ ଏକ କମିସନର ମୁଁ ହେଉଛି ଅଧ୍ୟକ୍ଷ ଏବଂ ଏତଦ୍‍ବ୍ୟତୀତ ବିଭିନ୍ନ ସାଂସ୍କୃତିକ ଏବଂ ଶିକ୍ଷା ମୂଳକ ଅନୁଷ୍ଠାନର ମୁଁ ଅଧ୍ୟକ୍ଷ ।

 

ଜୀବନ ଅତ୍ୟନ୍ତ ଦୁର୍ବହ । ଏହାର କାରଣ ଦୁର୍ଭିକ୍ଷ, ଶୈତ୍ୟ କିମ୍ବା ଅତ୍ୟଧିକ କାର୍ଯ୍ୟ ନୁହେଁ ବରଂ କାରଣ ହେଉଛି କାର୍ଯ୍ୟ କରିବାରେ ବାଧାବିଘ୍ନ କୋଲଚାକ୍ (Kolchak) ଏବଂ ଡେନିକିନ୍ (Denikin)ର ପରାଜୟ ଆଶା ସଂଚାର କରିଥିଲା ଯେ, ରୁଷିଆର ପୁନର୍ଗଠନ ପାଇଁ ଶାନ୍ତିରେ କାର୍ଯ୍ୟ କରିବାର ସମ୍ଭାବନା ଅଛି । ରୁଷିଆ ବର୍ତ୍ତମାନ ସର୍ବୋପରି କଠୋର, ନିର୍ଭୀକ ସାଧନା ଆବଶ୍ୟକ କରେ ।

 

ବର୍ତ୍ତମାନ ପୋଲାଣ୍ଡର ଆକ୍ରମଣ ଫଳରେ, ଏହି ଆଶା ଧୂଳିସାତ ହୋଇଯାଇଛି । ପୁନଶ୍ଚ ଯୁଦ୍ଧରେ ହଜାର ହଜାର ଜନସାଧାରଣ ନିହତ ହେଉଛନ୍ତି ଏବଂ ସର୍ବଦା ଯେମିତି ଘଟେ, ସେମାନଙ୍କ ସହିତ ସାଂସ୍କୃତିକ କ୍ଷେତ୍ରରେ ବହୁ ମୂଲ୍ୟବାନ ଜୀବନ ଧ୍ୱଂସ ପାଉଅଛି । କ୍ଳାନ୍ତ ଶ୍ରାନ୍ତ ଶକ୍ତିର ସଦ୍ୟ ଗ୍ଳାନି ଓ ଅପଚୟ ଆମ୍ଭମାନଙ୍କର ଅତ୍ୟାଚାରିତ ଦେଶକୁ ଆହୁରି ଦୁର୍ବଳ କରିଦେଉଛି-। ଏହାସବୁ କିପରି କରୁଣ ଏବଂ ମର୍ମନ୍ତୁଦ ଆପଣ କଳ୍ପନା କରିପାରିବେ ନାହିଁ । ସମ୍ଭବତଃ ମୋର ଭ୍ରାନ୍ତି ହୋଇପାରେ, କିନ୍ତୁ ମୋର ଅନୁମାନ, ଇଉରୋପର ପୁଞ୍ଜିପତି ଗୋଷ୍ଠୀ ଲୋଭ ଆଉ ପ୍ରତିଶୋଧରେ ପୂରାପୂରି ବର୍ବର ହୋଇଯାଇଛନ୍ତି ।

 

ବେଳେବେଳେ ଜଣେ ଅନୁଭବ କରେ, ଯେପରି ତା’ର ଶକ୍ତି ନିଃଶେଷ ହୋଇଯାଇଛି ଏବଂ ଏପରି ମାନବିକ ନିଷ୍ଠୁରତା ଏବଂ ନିର୍ବୋଧତାର ଶୋଚନୀୟ ଚିତ୍ର ଦେଖିବାପାଇଁ ବଞ୍ଚିଥିବାରୁ ମନରେ ଅନୁଶୋଚନା ଆସେ । ତଥାପି ଜଣେ ଦେଖିପାରେ ଏବଂ ଅନୁଭବ କରିପାରେ ଯେ ରୁଷିଆର ସାଧାରଣ ଶ୍ରମିକ ଶ୍ରେଣୀ ମଧ୍ୟରେ ବହୁ ମୂଲ୍ୟବାନ ସତ୍ତା ନିହିତ ଏବଂ ଜ୍ଞାନ ଆହରଣ ପାଇଁ ପରିବର୍ଦ୍ଧିତ ଆଗ୍ରହ ମଧ୍ୟ । ଜଣେ ଲକ୍ଷ୍ୟ କରିପାରେ ଏବଂ ଏହା ମନରେ ସାନ୍ତ୍ୱନା ଆଣେ ଏବଂ ଉତ୍ସାହ ସୃଷ୍ଟି କରେ । ଆଗ୍ରହ ଏବଂ ବିଶ୍ଵାସରେ ପୁଣି ଜଣେ କର୍ମରେ ଅଗ୍ରସର ହୁଏ । ଏହିପରି ଦିନ ଅତିକ୍ରାନ୍ତ ହୁଏ । ମୋତେ ଜଣାପଡ଼ୁଛି ମୋର ବେଶୀଦିନ ନାହିଁ ।

 

ଆପଣଙ୍କ ପାଇଁ ମୋର ଯେଉଁ ଶ୍ରଦ୍ଧା, ତାହା ଆପଣ ଜାଣନ୍ତି । ମୋର ଆନ୍ତରିକ ସମ୍ବର୍ଦ୍ଧନା ଗ୍ରହଣ କରିବେ । ମୁଁ ଆପଣଙ୍କର ସର୍ବବିଧ ମଙ୍ଗଳ କାମନା କରେ ।

 

ଏମ୍. ଗର୍କୀ

 

ସାରେ

ଫେବୃୟାରୀ ୨୧, ୧୯୨୩

 

ପ୍ରିୟବନ୍ଧୁ ଓଏଲସ୍,

 

ପରିଶେଷରେ ସୂଚନାତ୍ମକ ଧରଣର ଏକ ସାହିତ୍ୟ ଏବଂ ବିଜ୍ଞାନଧର୍ମୀ ପତ୍ରିକା ସଙ୍ଗଠନ କରିବାରେ ମୁଁ ସମର୍ଥ ହୋଇପାରିଛି । ଏହାର ଉଦ୍ଦେଶ୍ୟ ଇଉରୋପର ବୌଦ୍ଧିକ ଜୀବନ ସମ୍ପର୍କରେ ରୁଷିଆକୁ ଅବହିତ କରିବା । ପ୍ରଥମ ସଂଖ୍ୟା ପ୍ରସ୍ତୁତ ହେଉଛି । ଏଥିରେ ଇଂରେଜ ସାହିତ୍ୟର ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ଏକ ପ୍ରବନ୍ଧ ସ୍ଥାନ ପାଇବ । ଜନ୍ ଗଲସ୍ଓ୍ୟାର୍ଦ୍ଦି ଦୟାକରି ଏହି ପ୍ରବନ୍ଧଟି ପଠାଇଥିଲେ । ଫ୍ରାନ୍‍ଜ ହେଲେନ୍ସଙ୍କ ଲିଖିତ ବେଲଜିୟା ସାହିତ୍ୟ ସମ୍ପର୍କୀୟ ଏକ ପ୍ରବନ୍ଧ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ରୋମାରୋଲାଁ ମଧ୍ୟ ଏକ ଦୀର୍ଘ ଲେଖା ଦେବେ । ଏତଦ୍‍ବ୍ୟତୀତ ସ୍ପାନୀଶ୍, ଡଚ୍ ଏବଂ ଆମେରିକା ଲେଖକଙ୍କ (ବାରେଟ୍ ଏଚ୍. କ୍ଳାର୍କ) ଠାରୁ ଏବଂ ଆଉ ଅନେକ ବିଦେଶୀୟଙ୍କଠାରୁ ଲେଖା ମଗାଇଛି ।

 

ପତ୍ରିକା ପାଇଁ କିଛି ଲେଖା ପଠାଇ ମୋତେ ଏହି କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ । ରୁଷିଆ ପକ୍ଷରେ ଏହା ଅତ୍ୟନ୍ତ ଆବଶ୍ୟକ । ଯୁଦ୍ଧ କିପରି ଇଉରୋପକୁ ବିଧ୍ୱସ୍ତ କରିଛି ଏବଂ ବିଜ୍ଞାନ, କଳା କ୍ଷେତ୍ରରେ କର୍ମୀମାନଙ୍କୁ ଆକ୍ରାନ୍ତ କରିଛି । ସେହି ସମ୍ପର୍କରେ ୮୦,୦୦୦ ହଜାର ଶବ୍ଦସମ୍ବଳିତ ଏକ ପ୍ରବନ୍ଧ ଲେଖିବା ପାଇଁ ସମର୍ଥ ହେବ, ସେପରି ଜଣେ ଲେଖକଙ୍କ ନାମ ଦୟାକରି ସୁପାରିଶ କରିବେ କି ? ଯେବେ ଏପରି କେଉଁ ଲେଖକଙ୍କୁ ଆପଣ ଜାଣନ୍ତି, ତେବେ ଆମପାଇଁ ତାଙ୍କୁ ଟିକିଏ ପ୍ରବର୍ତ୍ତାଇବେ କି ?

 

ତା’ପରେ ସଡ଼ି ଏବଂ ରଥର ଫୋର୍ଡ଼ଙ୍କୁ (Soddy and Rutherford) ବ୍ୟକ୍ତିଗତ ଭାବରେ ଆପଣ ଜାଣନ୍ତି କି ? ରେଡ଼ିୟମ ଏବଂ ଆଟମ ତତ୍ତ୍ଵ ପ୍ରସଙ୍ଗରେ ସମ୍ଭବତଃ ସେମାନେ କ୍ଷୁଦ୍ର କ୍ଷୁଦ୍ର ଲେଖା ଲେଖିପାରିବେ ।

 

ଆପଣ ଯେବେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଜାଣନ୍ତି ନାହିଁ, ତାହାହେଲେ ସେମାନଙ୍କ ଠିକଣା ମୋର ଦରକାର ।

 

ଆପଣଙ୍କୁ ଏପରି ବ୍ୟତିବ୍ୟସ୍ତ କରୁଥିବାରୁ ମୋତେ କ୍ଷମା କରିବେ । କିନ୍ତୁ ମୁଁ ମୋ ଦେଶକୁ ଇଉରୋପର ଆଧ୍ୟାତ୍ମିକ ଜୀବନ ଧାରା ସମ୍ପର୍କରେ ଅବହିତ କରିବାକୁ ଚାହେଁ । ଯେଉଁ ଧାରାରୁ ରୁଷିଆ ବଞ୍ଚିତ ରହିଛି । ମୋର ମତ ହେଉଛି ଯେ, ହିଂସ୍ର ସମୟରେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ନିଶ୍ଚୟ ଗୁରୁତ୍ଵ ଦିଆଯିବା କଥା । ଆମ୍ଭେ ସମ୍ଭବତଃ ଶ୍ରମର ସାଙ୍ଗଠନିକ କଲ୍ୟାଣକର ପ୍ରଭାବ, ତଥା ମନର ଭୂମିକା ସମ୍ପର୍କରେ ବିସ୍ମୃତ ।

ତେଣୁ ମୁଁ ଆପଣଙ୍କଠାରୁ ଏଇ ଲେଖା ପାଇବି ବୋଲି ଆଶା କରିପାରେ କି ? ମୁଁ ଏପରି ପ୍ରଗଳ୍‍ଭତା ପ୍ରଦର୍ଶନ କରୁଥିବା ଯୋଗୁଁ ମୋତେ କ୍ଷମା କରିବେ । ମୁଁ ମୋ ପାଇଁ ଲେଖୁନାହିଁ-। ସର୍ବୋପରି ଆପଣ କିପରି ଅଛନ୍ତି ? ଆପଣ କ’ଣ ଲେଖୁଛନ୍ତି ? ଆପଣଙ୍କର ସବୁ କୁଶଳ ତ-? ଜି. ପି. କିପରି ଅଛନ୍ତି ?

 

ଶୁଭକାମନା ସହ,

ଏମ୍. ଗର୍କୀ

 

ରୋମାରୋଲାଙ୍କୁ ଗର୍ଜୀଙ୍କର ପତ୍ର

 

ସାରୋ

ଅକ୍ଟୋବର ୫, ୧୯୨୨

 

ପ୍ରିୟବଂଧୁ,

 

ମୁଁ ଆପଣଙ୍କ ନିକଟକୁ ଖଣ୍ଡିଏ ଅତ୍ୟନ୍ତ ଦରଦପୂର୍ଣ୍ଣ ପୁସ୍ତକ ପଠାଉଛି । ଏହା ଲେଖିବା ସହଜ ନ ଥିଲା: କିନ୍ତୁ ଏହା ଦରକାର ଥିଲା । ମୁଁ ଆପଣଙ୍କ ଉପନ୍ୟାସର ରୁଷୀୟ ଅନୁବାଦ ପାଠ କରୁଛି । ଏତଦ୍ଦ୍ଵାରା ଏହାର (ଗ୍ୟାଲିକ୍ ସ୍ପିରିଟା) ମର୍ମ ତଥା ଆବେଦନ କଦାପି କ୍ଷୁଣ୍ଣ ହୋଇନାହିଁ । ପୁସ୍ତକ ଖଣ୍ଡିକ ଏକ ବିସ୍ମୟ ରୂପେ ପ୍ରତିଭାତ ଏବଂ ଏହା ଆପଣଙ୍କ ପ୍ରତିଭାର ସାମଗ୍ରୀକତା ପ୍ରଦର୍ଶନ କରିପାରିଛି ।

 

ଏହା ବ୍ୟତୀତ, ପ୍ରକୃତରେ ଫରାସୀ ଭାଷାର ପୁସ୍ତକ ଏବର କେତେକଙ୍କ ପକ୍ଷରେ ନୈରାଶ୍ୟ ଏବଂ କେତେକଙ୍କ ପକ୍ଷରେ ତିକ୍ତତାସୂଚକ ଦୁଃଖର ସମୟ ଅପେକ୍ଷା ଅନ୍ୟ କୌଣସି ସୁବିଧା ସମୟରେ ଆସିପାରିନଥାନ୍ତା ।

 

ଆନ୍ତରିକ ଶ୍ରଦ୍ଧା ଜ୍ଞାପନ କରୁଛି,

 

ଏମ୍. ଗର୍କୀ

 

ଅଗଷ୍ଟ ୬, ୧୯୨୩

 

ପ୍ରିୟବଂଧୁ,

 

ଆପଣଙ୍କର କ୍ଷୁଦ୍ର ପତ୍ରଟି ମୋତେ ବିଶେଷ ଆନନ୍ଦ ଦେଲା । ସେଥିପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ମୁଁ ଯାହାଙ୍କୁ ଏତେ ଶ୍ରଦ୍ଧା ଓ ସମ୍ମାନ କରେ ତାହାଙ୍କଠାରୁ ପତ୍ର ନ ପାଇବା ଅତ୍ୟନ୍ତ ଦୁଃଖଦାୟକ । ଯେଉଁ ଷ୍ଟିଫେନ୍ ଜୁଇଗ୍ ଆପଣଙ୍କ ସମ୍ପର୍କରେ ପୁସ୍ତକ ଲେଖିଛନ୍ତି, ସେ ମଧ୍ୟ Letter from an Unknown woman ପୁସ୍ତକର ଲେଖକ ନୁହନ୍ତି କି ? ପ୍ରକୃତରେ ସେ ଯେବେ ଲେଖକ ହୋଇଥାନ୍ତି, ତାହାହେଲେ ଆପଣ ତାଙ୍କୁ କହିଦେବେ ଯେ ତାଙ୍କର ଚମତ୍କାର ପୁସ୍ତକ ମୋତେ ବିଶେଷ ଆକୃଷ୍ଠ କରିଛି । ଏହା ଏକ ଚମତ୍କାର ବିଷୟ, ମୋତେ ଏହା ଖୁବ୍ ପ୍ରଭାବିତ କରିପାରିଛି । ‘ପ୍ରେମ’ ପ୍ରସଙ୍ଗରେ ପ୍ରକାଶିତ ଗ୍ରନ୍ଥମାଳାରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଁ ବର୍ଲିନସ୍ଥ ଜନୈକ ରୁଷୀୟ ପ୍ରକାଶକଙ୍କୁ ସୂଚନା ଦେଇଛି । ଏହିସବୁ ଗ୍ରନ୍ଥର ବନ୍ଧେଇ ଚମତ୍କାର ଏବଂ ସୁଦୃଶ୍ୟ ପ୍ରଚ୍ଛଦପଟ ସମନ୍ୱିତ । ଏଥିମଧ୍ୟରେ ଟୁର୍ଗନିଉଙ୍କ ଫାଷ୍ଟ ଲଭ୍ (First Love), ନକ୍ରେକ୍ୟୁଅର୍, ନୁଟ୍‍ହମସନଙ୍କ ଭିକ୍ଟୋରିଆ, ରୋମିଓ ଜୁଲିଏଟ୍, ଆପଣଙ୍କର ପିଅର ଏତ୍‍ଲୁସେ ଏବଂ ଆହୁରି କେତେକ ପୁସ୍ତକ ଅନ୍ତର୍ଭୁକ୍ତ । ଏହି ଗ୍ରନ୍ଥମାଳାରେ Letter from an Unknown Woman ପ୍ରକାଶିତ ହେବାରେ ଜୁଇଗ୍‍ଙ୍କର ଆପତ୍ତି ହେବ କି ?

 

ମୁଁ ଅତ୍ୟନ୍ତ ବ୍ୟସ୍ତ ଭାବରେ କର୍ମରତ । ମୁଁ ମୋର ଡାଏରୀର କେତେକାଂଶ ବ୍ୟବହାର କରିଛି । ମୋର ଧାରଣା, ଏହା ଏକ ମୌଳିକ ଗ୍ରନ୍ଥ ହେବ । ମୁଁ ଏକ ପୁସ୍ତକ “Story of a Bandit” ଲେଖିଛି ଏବଂ ରୁଷିଆର ଜନୈକ ବୀରଙ୍କ ସମ୍ପର୍କରେ ଲେଖୁଛି, ଯେ କି ଜଣେ ବିଶ୍ୱସ୍ତ ବିପ୍ଳବୀ ଅଥଚ ପ୍ରତାରକ ଥିଲେ ଏବଂ ତାଙ୍କର ବନ୍ଧୁମାନଙ୍କୁ ଫାଶୀଖୁଣ୍ଟକୁ ପଠାଇଥିଲେ । ଏ ଅବଶ୍ୟ ଆଜେଫ୍ ନୁହନ୍ତି, ଯାହାଙ୍କୁ ମୁଁ ଜାଣିଥିଲି ଏବଂ ମୋ ମତରେ ଯେ ଗୋଟିଏ ପାଶବିକ ସୁଖଲାଳସୀ ପଶୁ ଥିଲେ । ନା, ମୋର ପ୍ରସ୍ତାବିତ ନାୟକ ଆହୁରି ନୀଚ ଧରଣର । ସେ ସ୍ଵାର୍ଥତ୍ୟାଗ କାର୍ଯ୍ୟ କରିଥିଲେ ମଧ୍ୟ ପରେ ଅତ୍ୟନ୍ତ ଜଘନ୍ୟ କାର୍ଯ୍ୟ କରିବାକୁ ଚାହିଁଥିଲେ । ତାଙ୍କୁ ଯେତେବେଳେ ବିଚାର ପାଇଁ ହାଜର କରାଗଲା, ସେ ସେତେବେଳେ ଏହା ସ୍ୱୀକାର କରିଥିଲେ ।

 

ମୁଁ ମାନବବାଦୀ ରୁଷୀୟ ଆତ୍ମା ଚିନ୍ତାଦ୍ୱାରା ଆନ୍ଦୋଳିତ । ବିଦ୍ରୋହର ଚାରିବର୍ଷ ମଧ୍ୟରେ ଏହା ଏପରି ବ୍ୟାପକ ଆଉ ଭୟାନକ ଭାବରେ ଆତ୍ମପ୍ରକାଶ କରିପାରିଛି ଏବଂ ପ୍ରଜ୍ଜ୍ଵଳିତ ହୋଇପାରିଛି । ଏହା କ’ଣ କେବଳ ଭସ୍ମ ରଖିଦେଇ ଜଳିଯିବ ନା.....

 

ମୁଁ ଆପଣଙ୍କ La me enchantee ପାଠ କରିଅଛି । ମୁଁ ଆପଣଙ୍କ ଯୋଜନା କ’ଣ ବୁଝିପାରୁ ନାହିଁ । ତେବେ ମୁଁ ଏହାର ପ୍ରସ୍ଥ ଉପଲବ୍‍ଧି କରୁଛି । ସାଲଭିଆ (Sylvia) ବେଶ୍ ନିପୁଣ ଭାବରେ ବର୍ଣ୍ଣିତ, ତା’ର ଭଉଣୀ କିନ୍ତୁ ମୋ ନିକଟରେ ଅସ୍ପଷ୍ଟ । କିନ୍ତୁ ମୁଁ ତା’ର ଆତ୍ମାର ବିଶାଳତା ଲକ୍ଷ୍ୟ କରିପାରୁଛି । ଆପଣ କି ପ୍ରକାର ପ୍ରକାଣ୍ଡ କାମରେ ହାତ ଦେଇଛନ୍ତି । ମସ୍କୋଠାରେ କ୍ରାଶନାୟାନୋଭ (Krasnaya Nov) ପତ୍ରିକାରେ ଆପଣଙ୍କ ଲେଖା ମହାତ୍ମା ଗାନ୍ଧି ପ୍ରକାଶିତ ହେଉଛି । ଅନୁବାଦ ବାଜେ ଏବଂ ତରତରିଆ ହୋଇଛି । ‘ବେସେଡ଼ା’ ପଠାଯାଉଛି କି ?

 

ଆପଣଙ୍କ ଶାରୀରିକ କୁଶଳ ଆଶା କରି ରହୁଛି ।

 

ସମସ୍ତ ଶୁଭେଚ୍ଛା ସହ

 

ଏମ୍. ଗର୍କୀ

 

ଏସ୍ତୋନିଆ ବାଟେ ଆପଣଙ୍କୁ ଏ ପତ୍ର ପଠାଯାଉଛି ।

 

ସମ୍ଭବତଃ ଗର୍କୀ ତାଙ୍କର ପୁସ୍ତକ Story of a Heroକୁ ଲକ୍ଷ୍ୟ କରିଛନ୍ତି ।

 

† ଜାର୍ଶାସନର ଜନୈକ ଗୁପ୍ତଚର ।

 

ଜିଣ୍ଟରଷ୍ଟାଲ୍

ନଭେମ୍ବର ୬, ୧୯୨୩

 

ମୋର ପ୍ରିୟ ବଂଧୂ,

 

ମୋର ପୁସ୍ତକ ସମ୍ପର୍କରେ ଆପଣଙ୍କର ଯେଉଁ ପ୍ରଶଂସା ତାହା ମୋତେ ଅଭିଭୂତ କରିଛି-। ମୋ ମତରେ ଆପଣଙ୍କର ମୋ ପ୍ରତି ବିଶେଷ ଅନୁକମ୍ପା ଅଛି ସମ୍ଭବତଃ ସେଥିପାଇଁ ମୋର ଲେଖା ପ୍ରସଙ୍ଗରେ ଆପଣଙ୍କର ଆଲୋଚନା ଏପରି ମଧୁର ହୋଇପାରିଛି-

 

ଏହି ପୁସ୍ତକ ଆଦୌ ସଫଳ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ । ଏହା ତ୍ରୁଟିପୂର୍ଣ୍ଣ ଏବଂ ଏହାର ଆଭ୍ୟନ୍ତରୀଣ ସଂହତି ନାହିଁ ଏବଂ ଯେକୌଣସି ବ୍ୟକ୍ତିର ଧାରଣା ହେବ ଯେ ଲେଖକ କାହାଣୀ ବର୍ଣ୍ଣନା କରିବାପାଇଁ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି ଏବଂ ସେହି ସୂତ୍ରରେ ଶସ୍ତା, ସହଜ ଏବଂ ସିଧାସିଧା ଭାବରେ ବହୁତଗୁଡ଼ାଏ ଘଟଣା ବର୍ଣ୍ଣନା କରାଯାଇଛି ଏବଂ ଏପରି ବର୍ଣ୍ଣନା କରିବାରେ ଲିଖିତ ଶବ୍ଦ ପ୍ରତି ଲେଖକ ଧ୍ୟାନ ଦେଇନାହାନ୍ତି କିମ୍ବା ଘଟଣାବଳୀର ଗୂଢ଼ ଅର୍ଥଭେଦ କରିପାରିନାହାନ୍ତି । ପୁନଶ୍ଚ ଫରାସୀ ଅନୁବାଦରେ ବହୁ ଅଂଶ ବାଦ୍ ଦିଆଯାଇଛି । ଏହା ବଡ଼ ବିଶୃଙ୍ଖଳିତ ହୋଇଛି ଏବଂ ଏହା ମୋ ମନରେ ବିଶେଷ କଷ୍ଟ ଦେଇଛି । ମୁଁ ମୋର ନିଜର ତ୍ରୁଟି ସମ୍ପର୍କରେ ସଂପୂର୍ଣ୍ଣ ସଚେତନ ଏବଂ ସେଥିମଧ୍ୟରେ ପ୍ରଧାନ ତ୍ରୁଟି ହେଉଛି ଏହି ଅସ୍ଥିରତା ଏବଂ ଖୁବ୍ କମ୍ ସମୟ ମଧ୍ୟରେ ମୁଁ ଯାହା ଦେଖିଛି, ଜାଣିଛି ସେସବୁ ବର୍ଣ୍ଣନା କରିବା ପାଇଁ ମୋର ବ୍ୟାକୁଳତା-। ଏଠାରେ ସେହି ପ୍ରବାଦଟି ଅକ୍ଷରେ ଅକ୍ଷରେ ସତ୍ୟ-ତାହା ହେଉଛି “ଗୁଡ଼ାଏ ଜାଣିବା ସର୍ବଦା ଆଦୌ ଆବଶ୍ୟକ ନୁହେଁ ।”

 

ଜୀବନର ବୈଚିତ୍ର୍ୟ ଯୋଗୁ ମୁଁ ଅଭିଭୂତ । ତଥ୍ୟ ତଥା ଘଟଣାବଳୀଦ୍ୱାରା ମୁଁ ଆକ୍ରାନ୍ତ । ବହିର୍ଜଗତର ଘଟଣାବଳୀଦ୍ୱାରା ମୁଁ ପ୍ରଭାବିତ, ଯାହାଫଳରେ ମୁଁ ଜୀବନ ସମସ୍ୟା ଏବଂ ମାନବ ଆତ୍ମାର ଗୂଢ଼ ରହସ୍ୟର ଅନୁସଂଧାନକାରୀ ନ ହୋଇ ଗୋଟାଏ ଗଳ୍ପକାର ହୋଇପାରିଛି । ନୂତତ୍ତ୍ୱ ଉପରେ ନିର୍ଭର କରି ମୁଁ ମଣିଷର ବିଚାର କରିଥାଏ ଏବଂ ପ୍ରକୃତି ବର୍ଣ୍ଣନାରେ ମୁଁ anthropomorphic । ତଥାପି ମୁଁ ମୋର ପ୍ରକୃତ ସ୍ୱରୂପ କିପରି ଦୃଢ଼ତା ଏବଂ ବିଶ୍ଵାସର ସହିତ ପ୍ରକାଶ କରିବାକୁ ହେବ ତାହା ଜାଣିପାରୁ ନାହିଁ । ମୋ ଭିତରେ ଯେଉଁ ଶକ୍ତି ନିହିତ ଅଛି, ତାହା ବ୍ୟକ୍ତିଗତ ଚିନ୍ତା ଓ ଧାରଣାରେ ଭାରାକ୍ରାନ୍ତ ।

 

ଯାହାହେଉ ମୋତେ ଯେବେ ଗର୍କୀଙ୍କ ସମ୍ପର୍କରେ ଏକ ସମାଲୋଚନାତ୍ମକ ପ୍ରବନ୍ଧ ଲେଖିବାକୁ ପଡ଼ନ୍ତା, ତାହାହେଲେ ମୋ ମତରେ ଏହା ଏକ ନିଷ୍ଠୁର ଏବଂ ଧ୍ୱଂସାତ୍ମକ ସମାଲୋଚନା ହୁଅନ୍ତା । ମୋତେ ବିଶ୍ୱାସ କରନ୍ତୁ, ଏହା କୌଣସି ପ୍ରକାର ଛଳନା ନୁହେଁ । ସର୍ବୋପରି ମୁଁ ଗର୍କୀଙ୍କର ଜଣେ ଭକ୍ତ ଏବଂ ଆପଣ ଯେବେ ଜଣେ ଲେଖକର ଆଦର୍ଶ ସମ୍ପର୍କରେ ମୋର ମତାମତ ଚାହାନ୍ତି, ତାହାହେଲେ ଫ୍ଳବର୍ଟଙ୍କ ଲେଖିବା ସଦୃଶ ଏହା ହେଉଛି ଏକ ଦୁର୍ଦ୍ଦାନ୍ତ ଏବଂ ଅବିନୀତ ଧାରଣା । ସେଠାରେ !

 

ଷ୍ଟିଂଫେନ୍ ଜୁଇଗ୍‍ଙ୍କଠାରୁ ମୁଁ ଖଣ୍ଡିଏ ଚମତ୍କାର ଚିଠି ପାଇଛି । ମୋ ପ୍ରତି ତାଙ୍କର ଗଭୀର ସ୍ନେହ ଯୋଗୁଁ ସେ ମୋତେ ଜର୍ମାନୀ ଛାଡ଼ିଯିବାକୁ ପ୍ରବର୍ତ୍ତାଇଛନ୍ତି । ସମ୍ଭବତଃ ମୁଁ ତାହା କରିବି । ଯୁଗୋସ୍ଳୋଭାଆ ଏବଂ କାର୍ଲସବାଦକୁ ଚାଲିଯିବି । ଜୁଇଗ୍ ଜଣେ ଉଦାର ବ୍ୟକ୍ତି ହୋଇଥିବେ । ଗତକାଲି ମୁଁ ତାଙ୍କର ଲେଖା ‘Moonbeam Alley’ ପଢ଼ିଲି । ଗଳ୍ପାଂଶ ମୋର ରଚନା About Unregoitted Loveର ଗଳ୍ପାଂଶ ସଙ୍ଗେ ମିଳିଯାଉଛି । ଏହା କିନ୍ତୁ ଚମତ୍କାର ଭାବରେ ଲେଖାଯାଇଛି । ଜୀବନ ଏଠାରେ ବରାବର ଦୁର୍ବହ ଏବଂ ଅପ୍ରୀତିକର ହୋଇପଡ଼ୁଛି । ସ୍ଥାନୀୟ ଅଧିବାସୀ ବରଘେରଙ୍କର ଏହି ଦେଶ ଭାଙ୍ଗିପଡ଼ୁଛି । ଖଣ୍ଡିତ ବିଖଣ୍ଡିତ ହୋଇଯାଉଛି ଏବଂ ଏହି ପତନକୁ ରୋକିବା ପାଇଁ କୌଣସି ଶକ୍ତିର ସମ୍ଭାବନା ଆଦୌ ନାହିଁ କି ଜଣେ ଦେଖିପାରେ ନାହିଁ । ଡଲାର ଉପାର୍ଜନ କରିବା ଉଦ୍ୟମରେ ବରଘେରମାନେ ନିହାତି ବ୍ୟସ୍ତ ଏବଂ ସମାଜବାଦୀ ରାଷ୍ଟ୍ରର ପରିକଳ୍ପନା କେବଳ ଯାହା ଶ୍ରମିକମାନଙ୍କ ଅଶ୍ରୁରେ ହିଁ ରହିଯାଇଛି ।

 

ବୁଦ୍ଧିଜୀବୀମାନେ ଅନାହାରକ୍ଳିଷ୍ଟ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଭାରିଆ ପ୍ରତି ଆକୃଷ୍ଟ । ବୁଦ୍ଧିଜୀବୀମାନଙ୍କ କଥା ବିଚାର କଲେ ଏହା ବଡ଼ ବିସ୍ମୟକର ବୋଲି ଜଣାପଡ଼େ । ମୁଁ ଏହାର ରାଜନୈତିକ ରକ୍ଷଣଶୀଳତା ଏବଂ ନିଦାନାତ୍ମକ ଭାବରେ ବୃଦ୍ଧିପ୍ରାପ୍ତ ଜାତୀୟତାକୁ ଘୃଣା କରେ । କେତେଦିନ ତଳେ ଫ୍ରେବର୍ଗଠାରେ ପ୍ରସିଦ୍ଧ ଦାର୍ଶନିକ ଏଡ଼ମଣ୍ଡ ହୁସେର୍ଲ କହିଥିଲେ ଯେ ୧୮୪୮ ମସିହାରେ ଜର୍ମାନୀର ପାର୍ଲିଆମେଣ୍ଟରେ ୧୫୦ ଜଣ ଅଧ୍ୟାପକ ସଭ୍ୟଙ୍କ ସହିତ ଏକ ଆଦର୍ଶ ସରକାର ଥିଲା । ମୋଟ ଉପରେ ସମସ୍ତ ଲୋକ ଏକ ଶକ୍ତିଶାଳୀ ସରକାର ପାଇଁ ବ୍ୟାକୁଳ-। ଏତଦ୍ଦ୍ୱାରା ସେମାନେ ରାଜନୈତିକ ଲେଖକମାନଙ୍କର ଯେଉଁ ଭକ୍ତି “ଜର୍ମାନମାନେ ମରଦ ଏବଂ ସକ୍ରିୟ ନୀତିର ପ୍ରତୀକ ସ୍ଳାଭମାନେ ସ୍ତ୍ରୀ, ଅପେକ୍ଷାକୃତ ଦୁର୍ବଳ ନୀତିର ପ୍ରତୀକ” ତାହା ଖଣ୍ଡନ କରିଥାନ୍ତି । ଏଠାରେ ଖୁବ୍ ଭୟଙ୍କର ଅବସ୍ଥା ।

 

ପ୍ରିୟ ବନ୍ଧୁ, ମୋ ପାଖକୁ ଶୀଘ୍ର ପତ୍ର ଲେଖିବ । ମୁଁ ଆପଣଙ୍କର ସମସ୍ତ କୁଶଳ କାମନା କରୁଛି ।

 

ଏମ୍. ଗର୍କୀ

 

ସରେଣ୍ଟୋ

ମାର୍ଚ୍ଚ ୨୩, ୧୯୨୮

 

ପ୍ରିୟ ରୋଲା,

 

ଆପଣଙ୍କର ଜନ୍ମଦିନ ଶୁଭେଚ୍ଛା ମୋତେ ଗଭୀର ଭାବରେ ଅଭିଭୂତ କରିଛି । ମୁଁ ଆପଣଙ୍କୁ ନିବିଡ଼ ଭାବରେ ଆଲିଙ୍ଗନ କରୁଛି । ଆପଣଙ୍କର ଦୟା ଯୋଗୁଁ ମୁଁ ଗର୍ବ ଅନୁଭବ କରୁଛି ଏବଂ ଜଣେ କବି ଓ ଦାର୍ଶନିକର ଗଭୀର ହୃଦୟର ଶ୍ରେଷ୍ଠ ଗୀତ କବିତାସୁଲଭ ଆପଣଙ୍କର ପତ୍ରଗୁଡ଼ିକୁ ମୁଁ ଅତ୍ୟନ୍ତ ଭଲପାଏ ।

 

ମୋର ଗୋଟାଏ ବଦ୍ଧମୂଳ ଧାରଣା ଯେ ଫରାସୀ ଲୋକମାନେ ଶବ୍ଦଚାତୁର୍ଯ୍ୟ ବିଶେଷତଃ ପତ୍ରରଚନା ପଦ୍ଧତିର ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ ଏବଂ ପୃଥିବୀର ଆଉ କୌଣସି ଦେଶରେ ଫରାସୀମାନଙ୍କ ସଦୃଶ ସେମାନଙ୍କର ପରମ ସୁନ୍ଦରୀ ନାରୀ ତଥା ଶକ୍ତିଶାଳୀ ଚିନ୍ତାକୁ ଏତେ ନିପୁଣ ଭାବରେ ସଜ୍ଜିତ କରିବାକୁ ଜାଣନ୍ତି ।

 

ହଁ, ବର୍ତ୍ତମାନ ମୋର ବୟସ ଷାଠିଏ । କିନ୍ତୁ ମୁଁ ବଞ୍ଚିବା ପାଇଁ ମୋର ଇଚ୍ଛାରେ କିମ୍ବା ଜୀବନ ଆସ୍ୱାଦନ ଆଗ୍ରହରେ କୌଣସି ଶିଥିଳତା ଅନୁଭବ କରୁନାହିଁ । ମୋର ଜୀବନ ସହଜ ଏବଂ ସୁଗମ ହୋଇନାହିଁ ଏବଂ ମୁଁ ଜାଣେ ମୁଁ ଯେବେ ମଣିଷର ସୃଜନୀ ଶକ୍ତିର ଶ୍ରେଷ୍ଠତମ ଅଭିବ୍ୟକ୍ତି କଳା ଓ ବିଜ୍ଞାନକୁ ଭଲପାଇବା ପାଇଁ ଶିକ୍ଷା କରିନଥାନ୍ତି, ତାହାହେଲେ ଜୀବନ ମୋ ପକ୍ଷରେ ଆହୁରି ଦୁର୍ବହ ହୋଇଥାନ୍ତା । ମୁଁ ଭାବୁଛି, ମୁଁ ଆପଣଙ୍କୁ ବରାବର କହିସାରିଛି ଯେ ମୋର ଏହି ଅନୁରାଗ ତଥା ଦକ୍ଷତା ଉପରେ ଫରାସୀ ସାହିତ୍ୟ ତା’ର ଅତୁଟ ପ୍ରଭାବ ପକାଇ ସାରିଛି । ମୋର ସେହି ସ୍ୱୀକାରୋକ୍ତିକୁ ପୁନରାବୃତ୍ତି କରିବାରେ କୌଣସି ବାହୁଲ୍ୟ ନାହିଁ । ଏହା ହେଉଛି ଜଣକର ଏକାନ୍ତ ବିଶ୍ଵସ୍ତ ସ୍ୱୀକାରୋକ୍ତି, ଯେ କି ଆପଣଙ୍କ ସହିତ ଜନତାର ଆଧ୍ୟାତ୍ମିକ ଭ୍ରାତୃତ୍ଵରେ ଅଦମ୍ୟ ବିଶ୍ୱାସ କରେ ।

 

ଜଣେ ଫରାସୀ ଲୋକଠାରୁ ଜଣେ ମଙ୍ଗୋଲବାସୀ ପର୍ଯ୍ୟନ୍ତ ଯେତିକି ବ୍ୟବଧାନ, ଫ୍ରାନ୍ସରୁ ସାଇବେରିଆ ପର୍ଯ୍ୟନ୍ତ ଠିକ୍ ସେତିକି ବ୍ୟବଧାନ । ମୁଁ କିନ୍ତୁ ଆପଣଙ୍କୁ ଗୋଟାଏ କଥା ନିଶ୍ଚୟ କହିବି, ଯାହା କି ମୋ ପରି ଆପଣଙ୍କୁ ଗୁରୁତ୍ଵ-ପୂର୍ଣ୍ଣ ବୋଲି ଜଣାପଡ଼ି ନ ପାରେ । ଏହା ହେଉଛି ରୂଷିଆରେ ଅଣ-ରୁଷୀୟ ସାହିତ୍ୟର କ୍ଷିପ୍ର ପ୍ରସାର । ଗତ ଦଶବର୍ଷ ମଧ୍ୟରେ ସୋଭିଏଟ ଇଉନିଅନର ଫିନିସ୍, ମଙ୍ଗୋଲ, ତୁର୍କ-ଫିନିସ ଲୋକମାନଙ୍କୁ ସେମାନଙ୍କର ଲିଖିତ ଭାଷା ଦିଆଯାଇଛି । ଚୁଭାସେସ୍, ମର୍ଡ଼ୋଭିନାସ୍, ଭଲଗା ଅଞ୍ଚଳର ଚେରେମିସ୍ ଗୋଷ୍ଠୀମାନେ ଏବଂ କକେସସ୍ ଓ ସାଇବେରିଆର ଅଧିବାସୀମାନେ ସେମାନଙ୍କର ନିଜ ନିଜର ସମ୍ବାଦପତ୍ର ପ୍ରକାଶନ କରୁଛନ୍ତି, ସଙ୍ଗୀତ ବିଦ୍ୟାଳୟ, ମ୍ୟୁଜିୟମ, ପ୍ରକାଶନ-ସମିତ ପ୍ରତିଷ୍ଠା କରୁଛନ୍ତି ଏବଂ ଗଦ୍ୟ ଓ ପଦ୍ୟର ଲେଖକ ସୃଷ୍ଟି କରୁଛନ୍ତି ।

 

ଦଶଲକ୍ଷ ଚୁଭାସେସ୍ ଭଲ୍‍ଗକୂଳରେ ଅବସ୍ଥିତ ସେମାନଙ୍କର ରାଜଧାନୀ ଛେବୋସ୍କରୀଠାରେ ଦଶଗୋଟି ସମ୍ବାଦପତ୍ର ପ୍ରକାଶ କରୁଛନ୍ତି । ପ୍ରତ୍ୟେକର ସଂଖ୍ୟା ଦଶ ହଜାର । ମୋଟ ଉପରେ ରୁଷୀୟ ସଂସ୍କୃତି ସହିତ ଏହି ମିଶ୍ରଣ ଖୁବ୍ ଦ୍ରୁତ ଗତିରେ ଚାଲିଛି । ନଭୋସିର୍ବିସ୍କିଠାରେ ଏପ୍ରିଲ ୨୦ ତାରିଖରେ ସାଇବେରିଆ ଲେଖକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ଏମାନେ ହେଉଛନ୍ତି ରୂଷୀୟ । ୟାକୁତ୍, ବ୍ରାୟତ୍ ଏବଂ ଅନ୍ୟାନ୍ୟ ଗୋଷ୍ଠୀ । ପ୍ରିୟ ରୋଲାଁ ! ଆପଣ ଅନୁଗ୍ରହ । ଆପଣଙ୍କ ପରି ଜଣେ ବିଶ୍ଵ-ଭ୍ରାତୃତ୍ଵର ପରମ ସାଧକଙ୍କଠାରୁ ବାର୍ତ୍ତା ପାଇଲେ ସେମାନେ କିପରି ଆନନ୍ଦିତ ହେବେ, ତାହା ମୁଁ ଲେଖିପାରୁ ନାହିଁ । ନଭୋସିର୍ବିସ୍କି ସ୍ଥିତ ‘ସିର୍ବିସ୍କାୟା ଅଗ୍ନି, ପତ୍ରିକାର ସଂପାଦକମଣ୍ଡଳୀଙ୍କ ନିକଟକୁ ଆପଣ ଏହି ବାର୍ତ୍ତାଟି ସିଧା ପଠାଇପାରନ୍ତି । ଠିକଣାରେ ଆପଣ ପ୍ରତିଭାଶାଳୀ ଯୁବ ଲେଖକ ଭ୍ଲାଡ଼ିମିର ଜାଜୁବ୍ରିନ୍‍ଙ୍କ ନାମ ଲେଖିବେ । ପ୍ୟାରିସର ଗୋଟିଏ ପତ୍ରିକା ନିକଟରେ ତାଙ୍କର କେତେକ ଲେଖା ପ୍ରକାଶ କରିଛନ୍ତି । କିମ୍ବା ଆପଣ ବାର୍ତ୍ତାଟି ମୋ ନିକଟରେ ପଠାଇଦେଲେ ମୁଁ ତାହା ସେମାନଙ୍କ ନିକଟକୁ ପଠାଇଦେବି-। ମୋର ବିଶେଷ ଅନୁରୋଧ, ଆପଣ ନିଶ୍ଚୟ ପଠାଇବେ ।

 

ତାହାହେଲେ ବାଲମଣ୍ଟ (Balmont) ଆପଣଙ୍କୁ ପୁନର୍ବାର ଚିଠି ଲେଖିଛି । ସେ ଏକ ଅତି ନିର୍ବୋଧ ବ୍ୟକ୍ତି ବୋଲି ମୋର ଧାରଣା ।

 

ମୁଁ ତାକୁ ବହୁଦିନରୁ ଜାଣେ, ସେ ବୁଦ୍ଧିମାନ ନୁହେଁ କିମ୍ବା: ମଦ୍ୟାସକ୍ତ ଥିବାରୁ ସାଧାରଣ ନୁହେଁ । କବି ଭାବରେ ‘Let Us Be Like the Sun’ ଶୀର୍ଷକ ଏକ ଶ୍ରେଷ୍ଠ କବିତା ଗ୍ରନ୍ଥର ସେ ହେଉଛି ସ୍ରଷ୍ଟା । ଆଉ ସବୁ ଶବ୍ଦର ସାଙ୍ଗୀତିକ ଅଭିବ୍ୟକ୍ତି ବ୍ୟତୀତ କିଛି ନୁହଁ । ସେ ଗୋଟିଏ ଅଦ୍ଵୈତବାଦୀ ଏବଂ ସେ ତା’ର ଏହି ଈଶ୍ଵରବିଶ୍ୱାସ ନ୍ୟୁଟ୍ ହାମସନ୍‍ଙ୍କ ପ୍ରସିଦ୍ଧ ଉପନ୍ୟାସ ପାନ୍ (Pan)ରୁ ଆହରଣ କରିଥିଲା । ସେ ଆପଣଙ୍କ ଡିକେଡ଼ାଣ୍ଟଙ୍କର ଶିଷ୍ୟ; ମାତ୍ର ପରବର୍ତ୍ତୀ କାଳରେ ‘ରୋଷ୍ଟଣ୍ଟ’ଠାରୁ ହୀନ ବୋଲି ଜଣାପଡ଼ିଲା । ସେ ବର୍ତ୍ତମାନ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ସର୍ବସ୍ୱାନ୍ତ ବ୍ୟକ୍ତି । ବାଲମଣ୍ଟ ଚିଠିର ପ୍ରତ୍ୟୁତ୍ତର ମୁଁ ଆପଣଙ୍କ ନିକଟକୁ ପଠାଇଦେଉଛି । ଆପଣ ଯେବେ ଏହାକୁ ଗୁରୁତ୍ଵପୂର୍ଣ୍ଣ ଏବଂ ଆବଶ୍ୟକ ମନେକରନ୍ତି, ତାହାହେଲେ ଏହାକୁ ପ୍ରକାଶ କରିପାରନ୍ତି । ଅବଶ୍ୟ ମୁଁ ଏଥିପାଇଁ ସେତେ ବାଧ୍ୟ କରୁନାହିଁ । କିନ୍ତୁ ବୁନିନ୍, ବାଲମଣ୍ଟ ଏବଂ ଅନ୍ୟାନ୍ୟ ହତଭାଗା ବ୍ୟକ୍ତି, ଯେଉଁମାନେ କି ନିଜକୁ ଜନସାଧାରଣଙ୍କଠାରୁ ରୂଷିଆଠାରୁ ବିଚ୍ଛିନ୍ନ କରିନେଇଛନ୍ତି, ସେମାନେ ଆପଣଙ୍କୁ ଶତ୍ରୁତାର ବ୍ୟୂହ ମଧ୍ୟକୁ ଟାଣିନେଇ ଏପରି ପ୍ରତିବାଦ କାର୍ଯ୍ୟରେ ବ୍ୟସ୍ତ କରିବାପାଇଁ ମୁଁ ଚାହେଁ ନାହିଁ । ପ୍ରିୟ ରୋଲାଁ, ପୁନର୍ବାର ଶୁଭେଚ୍ଛା ଏବଂ ଅନ୍ୟବାଦ ଜଣାଉଛି ।

 

ଏମ୍.ଗର୍କୀ

 

ମସ୍କୋ

ଜୁଲାଇ ୫, ୧୯୩୧

 

ପ୍ରିୟ ବନ୍ଧୁ,

 

ଏହା କହିବା ବାହୁଲ୍ୟ ଯେ ସୋଭିଏଟ୍ ଇଉନିଅନକୁ ଆପଣ ଏବର୍ଷ ଆସିପାରୁନଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ତେବେ ଏହାର ଗୋଟିଏ ଭଲ ଦିଗ ଅଛି । କାରଣ ଆସନ୍ତା ବର୍ଷକୁ ସୋଭିଏଟ୍ ଇଉନିଅନର ବହୁ ନିର୍ମାଣ କାର୍ଯ୍ୟ ଓ ଯୋଜନା ପୂର୍ଣ୍ଣାଙ୍ଗ ହୋଇଯାଇଥିବ ଏବଂ ସେସବୁ ଆପଣଙ୍କୁ ପୂର୍ଣ୍ଣାଙ୍ଗ ରୂପରେ ଦେଖାଇ ଦିଆଯିବ ।

 

ଆପଣଙ୍କ ପିତାଙ୍କର ମୃତ୍ୟୁ ସମ୍ପର୍କରେ ଆପଣଙ୍କର ଯେଉଁ ଅବିଚଳିତ ସମ୍ବାଦ ତାହା ମୋତେ କିପରି ଚିନ୍ତିତ କଲା ମୁଁ ଆପଣଙ୍କୁ ସେ କଥା କହିବି କି ନାହିଁ ଜାଣିପାରୁ ନାହିଁ । ରୋମା ରୋଲାଁ ବାସ୍ତବିକ ଜଣେ ସଚ୍ଚା ରୋମାନ୍, ସେ ଯେପରି ନିଜକୁ ଅଭିବ୍ୟକ୍ତ କରିଛନ୍ତି । ଆପଣଙ୍କ ନିର୍ଭୀକ ରଚନା ମୋ ମନରେ ତାଦୃଶ ଚିନ୍ତା ଜାଗ୍ରତ କରିଛି । ‘ତ୍ରଶନିୟା ନଭ୍’ ପତ୍ରିକାର ଆଗାମୀ ସଂଖ୍ୟାରେ ଏକା ପ୍ରକାଶିତ ହେବ ।

 

ପ୍ରଗତିଶୀଳ ବିପ୍ଳବୀ ଲେଖକମାନଙ୍କର ଆନ୍ତର୍ଜାତିକ ସଂଘ ବିନୀତ ଭାବରେ ଆପଣଙ୍କୁ ଅନୁରୋଧ କରିଛନ୍ତି କି ଆପଣ ଯୁଦ୍ଧପ୍ରସ୍ତୁତି ସମ୍ପର୍କରେ ସେମାନଙ୍କ ନିକଟକୁ ନିର୍ଦ୍ଦିଷ୍ଟ ରଚନା ଉପାଦାନ ପଠାଇବେ । ନିର୍ଦ୍ଦିଷ୍ଟ ରଚନା ଉପାଦାନ ଅର୍ଥ କଅଣ, ମୁଁ ତାହା ବୁଝିପାରୁ ନାହିଁ । ମୁଁ କିନ୍ତୁ ଭାବୁଛି, ଆମ୍ଭ ସମସ୍ତଙ୍କୁ ଯୁଦ୍ଧ ସମ୍ପର୍କରେ ମତାମତ ପ୍ରକାଶ କରିବାକୁ ପଡ଼ିବ । ଆନ୍ତର୍ଜାତିକ ସଂଘ ଆପଣଙ୍କୁ ଏହି ନିବେଦନ ଜଣାଇଛନ୍ତି, ଯଥା-ଥିଓଡ଼ର ଡ୍ରେସିଅର୍, ବର୍ଣ୍ଣାଡ଼ ଶ’, ଏଚ୍. ଜି ଓଏଲସ୍ ଏବଂ ଆହୁରି ଅନେକ ।

 

ମୋତେ କ୍ଷମା କରିବେ, ପ୍ରିୟ ରୋମା ରୋଲାଁ, ମୁଁ ଆପଣଙ୍କୁ ଏପରି ବ୍ୟସ୍ତ କରୁଅଛି । କିନ୍ତୁ ସଂଗ୍ରାମ ଚଳାଇବା ଆବଶ୍ୟକ ଏବଂ ସଂଗ୍ରାମ ଚଳାଇବା ପାଇଁ ଆପଣ ଜଣେ ଖୁବ୍ ଶକ୍ତିଶାଳୀ ସୈନିକ । ଏଠାରେ ବଞ୍ଚିବା ଅର୍ଥ ଯୁଗ ଯୁଗ ବ୍ୟାପୀ ରକ୍ଷଣଶୀଳତା, ଅନ୍ଧବିଶ୍ଵାସ ନିହିତ ପ୍ରାଚୀନ କୁସଂସ୍କାର ବିରୋଧରେ ବ୍ୟାପକ ଯୁଦ୍ଧରେ ନିଜକୁ ବ୍ୟାପୃତ ରଖିବା, ଅବ୍ୟବସ୍ଥିତ ବିଷୟବସ୍ତୁର ପ୍ରତିରୋଧ ବିରୋଧରେ ଯୁଦ୍ଧ କରିବା, ଯାହା ମଧ୍ୟରୁ ଜନସାଧାରଣ ସେମାନଙ୍କ ଜୀବନ ସୁଗମ ଏବଂ ସହଜ କରିବା ପାଇଁ ସବୁ ସୃଷ୍ଟି କରିପାରନ୍ତି, ଯାହା ଅଯଥା ଶାରୀରିକ ଶକ୍ତି କ୍ଷୟରୁ ସେମାନଙ୍କୁ ମୁକ୍ତକରି ସେସବୁକୁ ଆତ୍ମିକ ଏବଂ ବୌଦ୍ଧିକ ଶକ୍ତିରେ ପରିଣତ କରିଥାଏ ।

 

ଏଠାରେ ଚିନ୍ତା ଏବଂ ଇଚ୍ଛା ଅଦ୍ଭୁତ ଭାବରେ ବିବର୍ତ୍ତିତ ହୋଇପାରିଛି ଏପରିକି ସୃଜନୀ ଶକ୍ତି ଯାହାକି ନିଜ ପ୍ରତିଷ୍ଠିତ ବିଧିବିଧାନ ପରିବର୍ତ୍ତନ କରିବାକୁ ମଧ୍ୟ ଉଦ୍ୟତ । ଚିନ୍ତାର ଅଦ୍ଭୁତ ଚେତନା ବେଳେବେଳେ ଅବାସ୍ତବର ସୀମା ମଧ୍ୟ ସ୍ପର୍ଶ କରୁଛି । ପଦାର୍ଥ ବିଜ୍ଞାନର ନିୟମାନୁଯାୟୀ ଏକ ଦିଗରେ କାର୍ଯ୍ୟ କରୁଥିବା ଶକ୍ତି ବିପରୀତ ଦିଗରେ ସେହି ସମୟରେ କାର୍ଯ୍ୟକାରୀ ହୋଇନପାରେ । କିନ୍ତୁ ଜାର ଅମଳର ଜନୈକ କର୍ମଚାରୀ ମୋର ପୁରାତନ ବଂଧୂ ଏକପ୍ରକାର ଇଂଜିନ୍‍ଶୂନ୍ୟ ବୋଇତ (ଜାହାଜ) ପ୍ରସ୍ତୁତ କରିପାରିଛନ୍ତି ଯାହାକି ନଦୀର ସ୍ରୋତରେ ଉଭୟ ଦିଗରେ ଗତି କରିପାରେ । ଆମର ଜଣେ ଅଧ୍ୟାପକ ବାଇଓଲଜି କ୍ଷେତ୍ରରେ ଏକ ଅପୂର୍ବ ଆବିଷ୍କାର ଓ ଅନୁଶୀଳନ କରିଛନ୍ତି । ସେମାନେ କାଠର ସରୁ ନିଆଁବିରୋଧୀ କୋଠାବାଡ଼ି ଉପକରଣ ତିଆରି କରିପାରିଛନ୍ତି । ଏହିପରି ଅନେକ ଉଦ୍ଭାବନ ଏବଂ ଆବିଷ୍କାର ହୋଇପାରୁଛି, ଯାହାକି ଉଲ୍ଲେଖ କରିବା ପାଇଁ ମୋର ଅଧିକାର ନାହିଁ ।

 

ମଧ୍ୟ ଏସିଆରେ ଆହୁରି ଏକ ବିସ୍ମୟକର ଘଟଣା ଲକ୍ଷ୍ୟ କରାଯାଇପାରେ । ଯେଉଁଠାରେ ଯାଯାବର ଦଳ ପୁଂଜିବାଦ ପଦ୍ଧତି ପ୍ରତ୍ୟାଖ୍ୟାନ କରି ସମଗ୍ର ଗୋଷ୍ଠୀ ସହିତ ସମାଜବାଦୀ ଅର୍ଥନୀତି ଆଡ଼କୁ ଗୃହପାଳିତ ପଶୁର ସଂଗଠନ, ତୁଳା ଶସ୍ୟର ସମବାୟ ଫାର୍ମ ମାଧ୍ୟମରେ ଗତି କରୁଛନ୍ତି । ଗ୍ରାମଗହଳର ପୂର୍ବତନ ଶୋଷକ କୁଲ୍କମାନେ ସେମାନଙ୍କ ନିର୍ବାସିତ ସ୍ଥାନରେ ସମାଜବାଦୀ ଆନ୍ଦୋଳନରେ ଯୁବକ କମ୍ୟୁନିଷ୍ଟଙ୍କ ସହିତ ଯୋଗଦାନ କରି ଜୟ ହାସଲ କରୁଛନ୍ତି । ଚାଷୀମାନେ ସଂପୂର୍ଣ୍ଣ ଭାବରେ ବୁଝିପାରୁଛନ୍ତି ଯେ ଯାନ୍ତ୍ରିକ ବ୍ୟବସ୍ଥା ସଂପନ୍ନ ସମବାୟ ଫାର୍ମସବୁ ସେମାନଙ୍କୁ କ୍ଳାନ୍ତ ମୃତ୍ତିକା ଉପରେ କଠୋର ପରିଶ୍ରମ କରିବାକୁ ରକ୍ଷା କରିପାରିଛି । ଛୋଟ ଛୋଟ ରୁଷୀୟ ଗ୍ରାମସବୁର ଅବସାନ ଘଟୁଛି । ସେମାନଙ୍କ ସ୍ଥାନରେ ସ୍ନାନଗାର, ରଙ୍ଗମଞ୍ଚ, ରୁଟି କାରଖାନା, ଲଣ୍ଡ୍ରି, ସ୍କୁଲ, ଶିଶୁ ପାର୍କ ପୂର୍ଣ୍ଣ ସହର ଗଢ଼ିଉଠୁଛି, ଯେଉଁଠାରେ କି ନାରୀ ଆଉ ଗୃହପାଳିତ ପଶୁ କିମ୍ବା ସ୍ୱାମୀର ଦାସୀ ନୁହେଁ ।

 

ଗତକାଲି ତାସକେଣ୍ଟରୁ ଜଣେ ମହିଳା ଆସି ମୋତେ ଦେଖାକରିଥିଲେ । ସେ ସେଠାରେ ବିଶ୍ଵବିଦ୍ୟାଳୟରେ ଐତିହାସିକ ଧାରା ଉପରେ ବକ୍ତୃତା କରନ୍ତି, ବିପ୍ଳବ ପୂର୍ବରୁ ସେ କୁଦାନ ଅଂଚଳରେ ଜଣେ କୃଷିଶ୍ରମିକ ଥିଲେ । ତାହାପରେ ଜଣେ କୋଶାକଙ୍କ ସହିତ ତାଙ୍କର ବିବାହ ହୁଏ । କୋଶାକ୍ ଜଣକ ଡେନିକିନ୍ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ପ୍ରସ୍ଥାନ କରିଥିଲେ । ସେ ବର୍ତ୍ତମାନ ଗୋଟିଏ ସମବାୟ ଫାର୍ମର ଜଣେ ସଭ୍ୟ ଆଉ ତାଙ୍କର ପ୍ରାକ୍ତନ ସ୍ତ୍ରୀ ହେଉଛନ୍ତି ଜଣେ ଅଧ୍ୟାପକ । ଏତାଦୃଶ ଶତଶତ ପରିବର୍ତ୍ତନ ଘଟି ଚାଲିଛି । ଲୋଲା ଖାଁ ନାମକ ଜନୈକ ଉଜବେକ୍ର ମହିଳା ‘The Falling Minaret’ ନାମକ ଖଣ୍ଡିଏ ସୁନ୍ଦର ଉପନ୍ୟାସ ଲେଖିଛନ୍ତି । ଏହାର ସାଂପ୍ରତିକ ସଂସ୍କରଣ ଦଶ ହଜାର । ଗୋଟାଏ ଗୋଷ୍ଠୀର (Tribe) ଜୀବନରେ ଏହା ଏକ ପ୍ରଧାନ ଘଟଣା । ଯେଉଁଠାରେ ସ୍ତ୍ରୀ ପୁରୁଷକୁ ମୁହଁ ଦେଖାଇବା ନିଷିଦ୍ଧ । ଭଜବେକ ଏବଂ ଟର୍କମେନମାନେ ବର୍ତ୍ତମାନ ଲାଟିନ ବର୍ଣ୍ଣ ବ୍ୟବହାର କରୁଛନ୍ତି । ଏଥିରୁ ଜଣାପଡ଼େ ଯେ ଆରବିକ ବର୍ଣ୍ଣ ମାଧ୍ୟମରେ ପଢ଼ିବା ଲୋକମାନଙ୍କ ଅପେକ୍ଷା ଲାଟିନ ବର୍ଣ୍ଣ ମାଧ୍ୟମରେ ପଢ଼ୁଥିବା ଲୋକମାନେ ଅଧିକ ସାକ୍ଷର । କାରଣ ଆରବିକ୍ ବର୍ଣ୍ଣ ଜାଣିଥିବା ଲୋକମାନେ କେବଳ କୋରାନ ପଢ଼ିଥାନ୍ତି । ଲୋକମାନଙ୍କ ମଧ୍ୟରେ ଜ୍ଞାନପିପାସା ପୁସ୍ତକ ବ୍ୟବହାର ଯୋଗୁ କାଗଜ-ଦୁର୍ଭିକ୍ଷ ଦେଖାଦେଇଛି । ଏହା ହେବା ସ୍ଵାଭାବିକ । ଲିଓ ଟଲଷ୍ଟୟଙ୍କର ସଂଗୃହୀତ ରଚନାବଳୀ ତିନି ସଂଖ୍ୟାରେ ପ୍ରକାଶିତ ହୋଇଛି । ତଥାପି ବହି ଦୋକାନମାନଙ୍କରେ ଖଣ୍ଡେ ହେଲେ ବହି ମିଳୁନାହିଁ । ଅନ୍ୟାନ୍ୟ ଶ୍ରେଷ୍ଠ ରଚନାର ମଧ୍ୟ ଏହି ଅବସ୍ଥା । ଏହି ପରିସ୍ଥିତି ଅତ୍ୟନ୍ତ ଭୟଙ୍କର । ମାତ୍ର ତିନିଦିନ ମଧ୍ୟରେ ସାଇ ରାମେ ଦ’ ବର୍ଗେରାସଙ୍କର L’ Autre Monde ପୁସ୍ତକର ପାଂଚ ହଜାର ଖଣ୍ଡ ସରିଗଲା । ଜର୍ଜ ସାର୍ଣ୍ଡଙ୍କର ବହି Ducolies of Franceର ମଧ୍ୟ ଏହି ଅବସ୍ଥା । ଗେଟେ, ବାଲଜାତ ଫ୍ଳବର୍ଟ ପ୍ରମୁଖଙ୍କର ପ୍ରସ୍ତୁତ ପୁସ୍ତକସବୁର ମୁଦ୍ରଣ ପାଇଁ କାଗଜର ଏକାନ୍ତ ଅଭାବ । ଆପଣଙ୍କ ବହି ମଧ୍ୟ ଅଟକିଯାଇଛି । ପ୍ରତିବର୍ଷ ବଡ଼ବଡ଼ କାଗଜ କଳ ସ୍ଥାପିତ ହେବା ସତ୍ତ୍ୱେ ଏହି ଅବସ୍ଥା ଲାଗି ରହିଛି । ଶତାବ୍ଦୀବ୍ୟାପୀ କ୍ଷୁଧିତ ଜନସାଧାରଣଙ୍କୁ ଯଥେଷ୍ଟ ବୌଦ୍ଧିକ ଖାଦ୍ୟ ଯୋଗାଇଦେବା ଏକରକମ ଅସମ୍ଭବ ।

 

ମୋର ଆଶଙ୍କା, ମୁଁ ଆପଣଙ୍କୁ ଗୋଟାଏ ଲମ୍ବା ଚିଠି ଲେଖି ବିରକ୍ତ କରୁଛି । ତଥାପି ମୁଁ ମୋର ଈପ୍‍ସିତ ବକ୍ତବ୍ୟର ଏକ ସହସ୍ରାଂଶ ମଧ୍ୟ କହିପାରି ନାହିଁ ।

 

ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ମୋତେ ଆଦୌ ଭଲଲାଗୁ ନାହିଁ, ମୁଁ କ୍ଳାନ୍ତଶ୍ରାନ୍ତ, ମୋର ନିଶ୍ଵାସ ହ୍ରାସ ପାଉଛି, ମୋତେ କିଛିଦିନ ଶଯ୍ୟାଶାୟୀ ହେବାକୁ ପଡ଼ିଥିଲା । ମୁଁ ଆପଣଙ୍କ ନିକଟକୁ ଦୁଇଟି ଛୋଟ ବାକ୍ସ ପଠାଉଛି । ତାହା ଭ୍ଳାଡ଼ିମିମ ପ୍ରଦେଶିସ୍ଥିତ ପାଲେକ୍‍ଗ୍ରାମର ଶ୍ରେଷ୍ଠ କାରିଗରଙ୍କ ହସ୍ତନିର୍ମିତ । ବିପ୍ଳବ ପୂର୍ବରୁ ଏହି ଶ୍ରେଷ୍ଠ କାରିଗରମାନେ ସମଗ୍ର ରୁଷୀୟ ଗ୍ରାମାଞ୍ଚଳ ପାଇଁ ପିତୁଳା ତିଆରି କରୁଥିଲେ; କିନ୍ତୁ ସେମାନଙ୍କର ଶିଳ୍ପ ମୌଳିକତା ଦୃଷ୍ଟିରେ କିଂବା ଚାକଚକ୍ୟ ଦୃଷ୍ଟିରେ ସେତେ ଉଲ୍ଲେଖଯୋଗ୍ୟ ନଥିଲା, ଯଦ୍ୟପି ସେମାନେ ବର୍ତ୍ତମାନ ସଦୃଶ ଏହି ରଙ୍ଗ ଓ ଶୈଳୀ ବ୍ୟବହାର କରୁଥିଲେ । ମାତ୍ର ବର୍ତ୍ତମାନ ସେମାନେ ତିଆରି କରୁଥିବା ଶିଳ୍ପଦ୍ରବ୍ୟସମୂହ ଖୁବ୍ ବିଶେଷ ପ୍ରଶଂସିତ ଏବଂ ଶିଳ୍ପ ମୋଦୀମାନଙ୍କଦ୍ୱାରା ସଂଗୃହୀତ ।

 

ଜ୍ଳାତଷ୍ଟରେ ନିର୍ମିତ ଏକ କାଗଜ ଛୁରିକା ମୁଁ ଆପଣଙ୍କ ପାଇଁ ପଠାଉଛି । ପାଲେକର ଶିଳ୍ପୀମାନେ ପ୍ରୋକ୍ଳିନରେ ମଧ୍ୟ ଚମତ୍କାର କାମ କରିପାରନ୍ତି ।

 

ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆପଣଙ୍କ ପାଇଁ ଭେଲିକ୍ ଇୟୁସ୍ତଗ୍ର କିଛି ରୁପା କାମ ପଠାଇପାରୁ ନାହିଁ । ଏହା ମଧ୍ୟ ସୂକ୍ଷ୍ମ ଶିଳ୍ପରୀତିର ପରିଚାୟକ ।

 

ପ୍ରିୟ ବଂଧୂ, ମୁଁ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।

 

ଶ୍ରଦ୍ଧା ସହିତ

ଏମ. ଗର୍କୀ

 

ପେଟ୍ରୋଗାଡ଼‌୍

ଏପ୍ରିଲ ୨, ୧୯୨୦

 

ପ୍ରିୟ ଭ୍ଲାଡ଼ିମିର୍ କଲିଚ୍,

 

ଏଥିସହିତ ହରମିଟେଜ୍ ବୋର୍ଡ଼ର ବିବୃତିର ଏକକିତା ନକଲ ପଠାଇଲି । ମସ୍କୋରୁ ପେଟ୍ରୋଗ୍ରାଡ଼କୁ ଏହାର ଟଙ୍କା ପଇସା ଫେରାଇଦେବା ସମ୍ପର୍କରେ ଏଥିରେ ଉଲ୍ଲେଖ ଅଛି ଏବଂ ବୋର୍ଡ଼ର ଜଣେ ସଦସ୍ୟ ଭାବରେ ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରୁଅଛି । ବାଳ ଅପରାଧର ନିରାକରଣ ପାଇଁ କି ପ୍ରକାର ପଦକ୍ଷେପ ନେବାକୁ ପଡ଼ିବ ସେଥିପାଇଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ପ୍ରଶ୍ନର ବିଶେଷ ବିବରଣୀ ସହିତ ମୁଁ ପରିଚିତ ଏବଂ ମୁଁ ଜାଣେ କିପରି ଭୟାନକ କ୍ଷିପ୍ର ଭାବରେ ଏହି ବ୍ୟାଧି ସଂଚାରିତ ହୁଏ । ପୃଥିବୀ କିରଣଦ୍ୱାରା ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ଅନ୍ୟାନ୍ୟ ପ୍ରତିକାର ଆବଶ୍ୟକ । ବାଳାପରାଧ ନିରାକରଣ ପାଇଁ ମୁଁ ଏକ ଲିଗ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ କରୁଛି । ବାଳାପରାଧ ସମସ୍ୟା ଓ ତା’ର ସମାଧାନ ସହିତ ଜଡ଼ିତ ସମସ୍ତ ବିଶାରଦମାନଙ୍କୁ ମୁଁ ଏହି ଲିଗ୍‍କୁ ନିମନ୍ତ୍ରଣ କରିବି । ଏହି ସମସ୍ୟା ସମାଧାନର ଗତି ହିଁ ସର୍ବାପେକ୍ଷା ଅଧିକ ଆବଶ୍ୟକ ।

 

ଏପରି ଛୋଟ ଛୋଟ ବିଷୟ ନେଇ ଆପଣଙ୍କୁ ବ୍ୟସ୍ତ କରୁଥିବାରୁ ମୋତେ କ୍ଷମା କରିବେ । କଠୋର ପରିଶ୍ରମ କରିବାକୁ ଆପଣ ବରାବର ଭାଷଣ ଦେଉଛନ୍ତି । ଆପଣଙ୍କ କୌଣସି ଏକ ବକ୍ତୃତାରେ ଯେବେ ନିମ୍ନଲିଖିତ ତଥ୍ୟ ପ୍ରକାଶ କରନ୍ତେ, ତାହାହେଲେ ଖୁବ୍ ଚମତ୍କାର ହୁଅନ୍ତା-। ୟୁଡ଼େନିଚ୍ ଆକ୍ରମଣଠାରୁ ପେଟ୍ରୋଗାଡ଼‌୍ ରାସ୍ତାରେ ସହସ୍ର ସହସ୍ର ବାଲି ବୋଝେଇ ଅଖା ବଂଧୁକ ଓ ଗୁଳିଗୋଳାର ପୀଠକ ଭାବେ ବ୍ୟବହୃତ ହେବା ପରେ ପଡ଼ି ରହିଛି । ଅଖାଗୁଡ଼ିକ ସଢ଼ିଗଲାଣି ଏବଂ କାଗଜ କରଖାନାରେ ଛିଣ୍ଡା ଅଖାର ଖୁବ୍ ପ୍ରୟୋଜନ ଅଛି ।

 

ପୁନର୍ବାର ଯେଉଁଠାରେ କାଠଘର ସବୁ ଭାଙ୍ଗିପଡ଼ିଛି, ଅପର୍ଯ୍ୟାସ୍ତ ଲୁହା ପଡ଼ି କଳଙ୍କି ଲାଗିଯାଇଛି । ଘରସବୁ ଭାଙ୍ଗି ଦିଆଯିବାବେଳେ ଦୁଆର ଏବଂ ଝରକାର କାଚସବୁ କାଢ଼ି ନିଆଯାଇ ନାହିଁ, ଫଳରେ ସେସବୁ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଉଛି ଏବଂ ଝରକା କାଚର ମୂଲ୍ୟ ଏକ ହଜାରରୁ ବାରଶହ ରୁବଲ୍ ପର୍ଯ୍ୟନ୍ତ । ତେଣୁ ନଗଦ ଲକ୍ଷ ଲକ୍ଷ ଟଙ୍କା ଏଠାରେ ଧୂଳିସାତ୍ ହେଉଛି ।

 

ଏହା ଅବଶ୍ୟ କେବଳ ଅର୍ଥର ବିଷୟ ନୁହେଁ, ଜନସାଧାରଣଙ୍କୁ ସମାଜର ଧନ ସମ୍ପତ୍ତିର ଯତ୍ନ ନେବାକୁ ଶିଖାଇବାକୁ ପଡ଼ିବ । ଅଖା, ଛିଣ୍ଡା ଅଖା, କାଚ ଓ ଲୁହା ପ୍ରଭୃତିର ସଂଗ୍ରହ କାର୍ଯ୍ୟ ବନ୍ଦୀମାନଙ୍କଦ୍ୱାରା କରାଯାଇପାରିବ । ଲୋକମାନେ ଏହି ବିଷୟ ଆଲୋଚନା କରୁଛନ୍ତି । ଆପଣ ତେଣୁ ପ୍ରକାଶ କରି ଜଣାଇଦେବା ଉଚିତା ବାସ୍ତବରେ, ଏହାସବୁ ଆଦୌ ତୁଚ୍ଛ ବ୍ୟାପାର ନୁହେଁ ।

 

ଶୁଭେଚ୍ଛା ସହ

ଏ. ପେଶକୋଭ

Image